ଏଠାରେ ରାବଣଙ୍କର ରହିଛି ମନ୍ଦିର ! ୫୦୦ ବର୍ଷ ଧରି ପ୍ରତିବର୍ଷ ଦଶହରାରେ ଲଙ୍କାପତିଙ୍କର ହୋଇଥାଏ ବିଶେଷ ପୂଜାର୍ଚ୍ଚନା ।

30

ଉଜ୍ଜେନ ଜିଲ୍ଲାର ମୁଖ୍ୟାଳୟ ଠାରୁ ୧୯ କିଲୋମିଟର ଦୂରରେ ପାଖାପାଖି ୩ ହଜାର ଲୋକ ରହୁଥିବା ଚିକଲି ନାମକ ଏକ ଗାଁରେ ରହିଛି ନିଆରା ପରମ୍ପରା । ଏଠାରେ ଗ୍ରାମବାସୀମାନେ ରାବଣଙ୍କୁ ପୂଜା କରିଥାନ୍ତି । ଦଶହରାରେ ଲଙ୍କାପତିଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଗ୍ରାମବାସୀ ମାନଙ୍କର କହିବା ଅନୁଯାୟୀ, ଏହି ପରମ୍ପରା ୫୦୦ ବର୍ଷ ଧରି ଚାଲିଆସିଛି । ତେବେ ପ୍ରକୃତ ଘଟଣା ହେଉଛି, ପ୍ରଥମେ ଏଠାରେ ମଧ୍ୟ ଦଶହରାରେ ରାବଣ ପୋଡି କରାଯାଇଥାଏ । କିନ୍ତୁ ଗ୍ରାମବାସୀଙ୍କର କହିବା କଥା, ଗୋଟିଏ ଥର ରାବଣପୋଡିରେ ସମ୍ପୂର୍ଣ୍ଣ ଗାଁ ଜଳିଯାଇଥିଲା । ଆଉ ଏହା ପର ଠାରୁ ଗାଁରେ ଅନିଷ୍ଟ ନହେବା ପାଇଁ ଦଶାନନଙ୍କର ପୂଜା ଆରମ୍ଭ କରାଯାଇଥିଲା । ପିଢି ପରେ ପିଢି ପୂବର୍ଜମାନେ ଏହି ଘଟଣା କହିଆସୁଛନ୍ତି ।

ତେବେ ଆଜି ବି ଗାଁରେ ଖୋଳାଖୋଳି କଲେ ଗାଁର ସେହି ଭୟାନକ ଅଗ୍ନିକାଣ୍ଡର ପ୍ରମାଣ ମିଳେ । ପ୍ରତିବର୍ଷ ଦଶହରାରେ ରାବଣଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଯେଉଁଥିରେ ଆଖପାଖ ଗାଁର ସବୁ ଗ୍ରାମବାସୀ ସାମିଲ ହୋଇଥାନ୍ତି । ରାବଣଙ୍କ ନିକଟରେ ଗୋଟିଏରୁ ଆରମ୍ଭ କରି ୫୧ ପର୍ଯ୍ୟନ୍ତ ନଡିଆ ଅର୍ପଣ କରାଯାଇଥାଏ । ଗ୍ରାମବାସୀମାନେ ଏଠାରେ ମାନସିକ ମଧ୍ୟ କରିଥାନ୍ତି । ପ୍ରଥମେ ଗାଁରେ ରାବଣଙ୍କର ମାଟିର ଏକ ପ୍ରତିମା ଖୋଲାରେ ସ୍ଥାପନ କରାଯାଇଥିଲା । ପାଖପାଖି ୩ ଦଶକ ପୂର୍ବେ ଗାଁର ମଧ୍ୟଭାଗରେ ମନ୍ଦିର ସ୍ଥାପନ କରାଯାଇ ସିମେଣ୍ଟର ୧୦ ଫୁଟ ଉଚ୍ଚର ଏକ ନୂଆ ପ୍ରତିମା ସ୍ଥାପନ କରାଯାଇଥିଲା । ସ୍ଥାନୀୟ ପୂଜାରୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ଏଠାରେ ରାବଣଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଏବଂ ପ୍ରତିବର୍ଷ ଦଶହରା ସନ୍ଧ୍ୟାରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ ।