ବଜ୍ରପାତ ରୋକିବାକୁ ଲାଗୁଛି ବଡ ବଡ଼ ଗଛ ! ବଜ୍ରପାତରେ ମୁତ୍ୟୁର ଜିଲ୍ଲା କୁହାଯାଉଥିବା ଜଗତସିଂହପୁର ପ୍ରଶାସନର ଅଭିନବ ପ୍ରୟାସ

440

କନକ ବ୍ୟୁରୋ : ତାଳଗଛ ରୋକିବ ବଜ୍ରପାତ । ଓଡିଶାରେ ବର୍ଷକୁ ପ୍ରାୟ ସାଢେ ୩ଶହ ଜଣଙ୍କ ଜୀବନ ନେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ବଜ୍ରପାତ ରୋକିବାକୁ ଲଗାଯାଉଛି ତାଳ ଓ ନଡିଆ ଗଛ । ବିଜ୍ଞାନ କହୁଛି, ତାଳଗଛ ହେଉଛି ବଜ୍ରପାତ ପରିବାହୀ । ତେଣୁ ଓଡିଶାର ବଜ୍ରପାତ ମୃତ୍ୟୁର ଜିଲ୍ଲା ଜଗତସିଂହପୁରରେ ଚାଲିଛି ତାଳଗଛ ରୋପଣ । ଧାଡି ଧାଡି ହୋଇ ଲାଗିଛି ତାଳ ଗଛ । ଆକାଶକୁ ଛୁଇଁଲା ଭଳି, ଉଚ୍ଚା । ଏକର ଏକର ଜାଗାରେ ଶହ ଶହ ଗଛ ।

ତାଳ ଓ ନଡିଆ ଗଛ ସହ ବିଭିନ୍ନ ପ୍ରକାରର ଉଚ୍ଚା ଗଛକୁ ଲଗାଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଆଉ ଏହା ପଛରେ କାରଣ ହେଉଛି ବଜ୍ରପାତ । ସାଧାରଣତ ଡେଙ୍ଗା ଗଛ ଗୁଡିକ ବଜ୍ରପାତ ପରିବାହୀ । ବଜ୍ରପାତ ବେଳେ ପ୍ରଥମେ ସଂସ୍ପର୍ଶରେ ଆସିଥାଏ ଏଭଳି ଉଚ୍ଚା ଗଛ । ଆଉ ଲମ୍ବା ଗଛ ମଧ୍ୟରେ ପ୍ରଥମରେ ରହିଛି ତାଳଗଛ । ଯାହା ବଜ୍ରପାତ ପରିବାହୀ ଓ ପ୍ରତିରୋଧକ ଭାବେ କାମ କରିଥାଏ । ଅଧିକ ସଂଖ୍ୟାରେ ତାଳ ଗଛ ଲଗାଯିବା ଦ୍ୱାରା ଜିଲ୍ଲାରୁ ବଜ୍ରପାତ ସମସ୍ୟା ରୋକାଯାଇପାରିବ ବୋଲି ଆଶା କରାଯାଉଛି ।

ଦେଶରେ ବଜ୍ରପାତ ପ୍ରବଣ ରାଜ୍ୟ ଭାବେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ରାଜ୍ୟରେ ବର୍ଷକୁ ପ୍ରାୟ ୩୨୭ ଜଣ ବଜ୍ରପାତରେ ପ୍ରାଣ ହରାଉଛନ୍ତି । ଗତ ୭ ବର୍ଷରେ ୨୨୯୭ ଜଣଙ୍କ ଜୀବନ ନେଇଛି ଏହି ପ୍ରାକୃତିକ ବିପର୍ଯ୍ୟୟ । ରାଜ୍ୟରେ ବଜ୍ରପାତ ମୃତ୍ୟୁସଂଖ୍ୟାରେ ଆଗରେ ରହିଛି ଜଗତସିଂହପୁର ।

ଗତ ୫ ବର୍ଷରେ ଏହି ଜିଲ୍ଲାରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ଆଗଷ୍ଟରେ ରାଜ୍ୟରେ ୬୦ ଜଣ ବଜ୍ରପାତରେ ପ୍ରାଣ ହରାଇଥିଲେ । ଏହାପରେ ରାଜ୍ୟ ସରକାର ବଜ୍ରପାତକୁ ପ୍ରାକୃତିକ ବିପର୍ଯୟ ଭାବେ ଘୋଷଣା କରିଛନ୍ତି । ଏଥିସହ ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶିର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଜମି ଚାରିପଟେ ତାଳ ଗଛ ବାଡ ଭଳି ରହୁଥିଲା । ଏବେ ପ୍ରାୟ ତାହା ଲୋପ ପାଇବାକୁ ବସିଲାଣି । ଫଳରେ ଦିନକୁ ଦିନ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯୟ ବଢିବାରେ ଲାଗିଥିବା ବିଶେଷଜ୍ଞ ମତ ଦେଇଛନ୍ତି ।