ଫେଲ୍ ମାରିଲା ସରକାରୀ କଳ ! ନିଜ ଉଦ୍ୟମରେ ଭିଜାୱାଡା-ରାଂଚି ଜାତୀୟ ରାଜପଥ ପ୍ରକଳ୍ପର ଅଧାଗଢା ରାସ୍ତା ନିର୍ମାଣ କଲେ ମାଲକାନଗିରିର ମୋଟୁ ଗ୍ରାମବାସୀ ।

220

କନକ ବ୍ୟୁରୋ : ମାଲକାନଗିରି ମୋଟୁ ଗ୍ରାମବାସୀଙ୍କ ଗାନ୍ଧୀଗିରି । ଅଧାଗଢ଼ା ରାସ୍ତାକାମ ଶେଷ କଲେ ଗ୍ରାମବାସୀ । ମିଟର ଖାଲ ଭିତରେ ଆଣ୍ଠେଇ ଥିଲା ଭିଜାୱାଡା ରାଂଚି ପ୍ରକଳ୍ପର ଭାଗ୍ୟ । କେନ୍ଦ୍ର, ଆନ୍ଧ୍ର ଓ ଓଡିଶାର ତୁତୁ ମେମେ ଯୋଗୁଁ ଅଧାରେ ଅଟକିଥିବା ପ୍ରକଳ୍ପ କାମକୁ ସମ୍ପନ୍ନ କରିଛନ୍ତି ମାଲକାନଗିରି ଜିଲ୍ଲାର ମୋଟୁ ଗ୍ରାମବାସୀ । ଭିଜାୱାଡା ରାଂଚି ପ୍ରକଳ୍ପ କାମ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏନଏଚଆରଆଇକୁ ଗୁହାରି କରି ନିରାସ ହେବା ପରେ ଏକତ୍ରିତ ହୋଇଥିଲେ ଗ୍ରମବାସୀ । ନିଜେ ଟଙ୍କା ଆଦାୟ କରି ଜେସିବି ଓ ଟ୍ରାକ୍ଟର ଲଗାଇ ୩୩୨ ମିଟର ଖାଲ ପୋତି, ଭିଜାୱାଡା ରାଂଚି ପ୍ରକଳ୍ପର ନୂଆ ପୋଲକୁ ସଂଯୋଗ କଲେ ରାସ୍ତା । ଆଉ ସିଲେରୁ ପୋଲ ଦେଇ ଓଡିଶାରୁ ଆନ୍ଧ୍ରକୁ ଯାତାୟତ ଆରମ୍ଭ ହୋଇଛି ।

ଭିଜାୱାଡା ରାଂଚି ଜାତୀୟ ରାଜପଥ ପ୍ରକଳ୍ପକୁ ୨୦୦୭ ମସିହାରେ ଗ୍ରୀନ ସିଗନାଲ୍ ଦେଇଥିଲେ କେନ୍ଦ୍ରର ତତ୍କାଳୀନ ମନମୋହନ ସିଂହ ସରକାର । ରାଜପଥ ପାଇଁ ୨୦୦୦ କୋଟି ବ୍ୟୟ ଅଟଳଳ କରାଯାଇଥିଲା । ଆନ୍ଧ୍ରପ୍ରଦେଶର ଭିଜାୱାଡା ଠାରୁ ଆରମ୍ଭ ହୋଇ ଓଡିଶାର ୧୨ଟି ଜିଲ୍ଲା ଦେଇ ଝାରଖଣ୍ଡ ରାଂଚି ଯାଏଁ ଲମ୍ବିବ ରାଜପଥ । ଯୋଜନା ଅନୁସାରେ ଓଡିଶାର ୧୨ଟି ମାଓ ଉପଦୃତ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଦେବଗଡ, କେନ୍ଦୁଝର ଏବଂ ମୟୁରଭଂଜ ଦେଇ ରାଂଚି ଯାଏଁ ଲମ୍ବିବ ରାଜପଥ । ମୋଟ ୧୭୨୯ କିଲୋମିଟର ଲମ୍ବ ଜାତୀୟ ରାଜପଥର ସର୍ବାଧିକ ୧୨୧୯ କିଲୋମିଟର ରାସ୍ତା ଓଡିଶା ଭାଗରେ ରହିଛି । ଅନ୍ୟ ଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୬୦ କିଲୋମିଟର ଅଂଶ ରହିଛି । କିନ୍ତୁ ରାଜ୍ୟରେ ଏଯାଏଁ ଶେଷ ହୋଇପାରୁନାହିଁ ଭିଜାୱାଡା ରାଂଚି ରାସ୍ତା କାମ ।

୨୧ କୋଟି ଟଙ୍କା ବ୍ୟୟ ଅଟକଳରେ କେନ୍ଦ୍ରର ଆଇ.ଏ.ପି ଫଣ୍ଡ ବିନିମୟରେ ଆନ୍ଧ୍ର ସରକାର ଚିନ୍ତୁର କାଲୋର ଗାଁ ନିକଟରେ ସିଲେରୁ ନଇ ଉପରେ ପୋଲ ନିର୍ମାଣ କରିବା ସହ ଆନ୍ଧ୍ର ପଟେ ଆପ୍ରୋଚ୍ ରୋଡ୍ ମଧ୍ୟ କରିସାରିଛନ୍ତି । କିନ୍ତୁ ଓଡିଶା ସୀମା ଅର୍ଥାତ୍ ମାଲକାନଗିରି ପଟେ ଥିବା ୩୩୨ ମିଟର ଆପ୍ରୋଚ୍ ରୋଡ୍ କାମ ହୋଇପାରୁନାହିଁ । ମାଲକାନଗିରି ଜିଲ୍ଲାବାସୀ ଶିକ୍ଷା, ସ୍ୱାସ୍ଥ୍ୟ ଓ କାମ ଧନ୍ଧା ଲାଗି ଆରପାରିରେ ଥିବା ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ସମେତ ସମଗ୍ର ଦକ୍ଷିଣ ଭାରତ ଉପରେ ନିର୍ଭର କରନ୍ତି । ସିଲେରୁ ନଦୀ ଉପରେ ପୋଲଟିଏ ନଥିବାରୁ ଲୋକେ ବିପଦ ଶଙ୍କୁଳ ଅବସ୍ଥାରେ ଦେଶୀଡଙ୍ଗାରେ ଯାତାୟାତ କରିଥାନ୍ତି ।