ପାଣି ଭିତରେ ମଣିଷ କୁମ୍ଭୀର ଲଢ଼େଇ: କାଲିମେଳା ଏମଭି-୭୮ ଗାଁ ପୋଖରୀରୁ ୬ଫୁଟ ଲମ୍ବର କୁମ୍ଭୀରକୁ ଧରିଲେ ଗ୍ରାମବାସୀ

30

କନକ ବ୍ୟୁରୋ: ପାଣି ଭିତରେ ମଣିଷ କୁମ୍ଭୀର ଲଢ଼େଇ । ଏହି ଚିତ୍ର ହେଉଛି କାଳିମେଳାରେ ଥିବା ଏକ ପୋଖରୀର । ବହୁଦିନ ଧରି ଲୋକଙ୍କୁ ଅତିଷ୍ଠ କରିଥିବା ଏକ ଗୋମୁହାଁ କୁମ୍ଭୀରକୁ କାବୁ କରିବା ପାଇଁ ଉଦ୍ୟମ ଚାଲିଥିଲା । ପ୍ରଥମେ ଦୁଇ ଜଣ ବ୍ୟକ୍ତି କୁମ୍ଭୀରକୁ ଠାବ କରିଥିବା ବେଳେ ପାଣି ଭିତରେ ବୁଡି ରହିଥିବା ଅବସ୍ଥାରେ ମିଳିତ ଭାବେ କୁମ୍ଭୀରକୁ ଧରିଛନ୍ତି କିଛିଲୋକ । ସମସ୍ତେ ହାତ ଲଗାଇ ପାଣି ଭିତରେ କୁମ୍ଭୀରକୁ କାବୁ କରିବା ସହିତ ତାକୁ ବାହାରକୁ ଆଣିବାକୁ ଚେଷ୍ଟା କରିଛନ୍ତି ।

ତେବେ କୁମ୍ଭୀରଟି ଧରାପଡିବା ପରେ ତାକୁ ଦଉଡିରେ ବାନ୍ଧି ବାହାରକୁ ଅଣାଯିବାର ଏ ହେଉଛି ଚିତ୍ର । କୁମ୍ଭୀରଟି ଲୋକମାନଙ୍କ ଅକ୍ତିଆରକୁ ଆସିବା ପରେ ତାକୁ କୌଶଳ କ୍ରମେ ବାହାରକୁ ଅଣାଯାଇଥିଲା । କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଂଚାୟତର ଏମଭି-୭୮ ଗାଁରେ କିଛି ଦିନ ଧରି ଏହି କୁମ୍ଭୀର ଆତଙ୍କ ଲାଗି ରହିଥିଲା । ଦୀର୍ଘ ୬ମାସ ହେଲା ଗାଁର ଏକ ପୋଖରୀରେ ୬ଫୁଟ ଲମ୍ବର କୁମ୍ଭୀରଟି ଆତଙ୍କ ଖେଳାଇଥିଲା । ଲୋକମାନେ ଭୟଭୀତ ଅବସ୍ଥାରେ ରହୁଥିଲେ ।

ଏନେଇ ସେମାନେ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବନ ବିଭାଗ ହାତ ଟେକିଦେଇଥିଲା । କୁମ୍ଭୀରକୁ ଧରିବା ମୁସ୍କିଲ ବୋଲି କହିଥିଲା ବନ ବିଭାଗ । ଏଥିସହ ଗ୍ରାମବାସୀଙ୍କୁ ଧରିବା ପାଇଁ କହିଥିଲା । ଶେଷରେ ଜୀବନକୁ ପାଣି ଛଡାଇ ଆଜି ସକାଳୁ କୁମ୍ଭୀରକୁ ଧରିବା ପାଇଁ ଲୋକେ ଅଂଟା ଭିଡିଥିଲୋ କୁମ୍ଭୀରକୁ ଧରିବା ପରେ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଅଧିକାରୀ କୁମ୍ଭୀରକୁ ନେଇଯାଇଥିଲେ ।