ଅପହଁଚ ଇଲାକାର ଅଲଗା ଚିତ୍ର ! ବିନା ପାଇପରେ ଆସିଲା ପାଣି, ବାଉଁଶ ଦୂର କଲା ଗାଁର ଜଳସଙ୍କଟ ।

30

କନକ ବ୍ୟୁରୋ : ବିଶ୍ୱାସ ନହେଲେ ବି ସତ । ଲୁହା କି ପ୍ଲାଷ୍ଟିକ୍ ନୁହେଁ ବାଉଁଶକୁ ବାଉଁଶ ଯୋଡ଼ି ଗ୍ରାମବାସୀ ଆଣୁଛନ୍ତି ପାଣି । କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକ୍ ସୋନପୁର ନିସ୍କିର ଏହି କାହାଣୀକୁ ଆପଣ ଅବିଶ୍ୱାସ କରିପାରନ୍ତି କିନ୍ତୁ ଅସ୍ୱୀକାର କରିପାରିବେ ନାହିଁ  ।

ପାଖ ଝରଣାରୁ ଗାଁକୁ ପାଣି ଆଣିବା ପାଇଁ ବାଉଁଶକୁ ପ୍ରସ୍ତୁତ କରାଯାଉଛି  । ବିନା ପାଇପରେ ବାଉଁଶକୁ ବାଉଁଶ ସହ ଯୋଡ଼ି ସଂଗ୍ରହ କରାଯାଉଛି ପାଣି  । ପାଣି ପାଇଁ ପ୍ରଶାସନ ନିକଟରେ ହାରିଗୁହାରି ସତ୍ୱେ କିଛି ପଦକ୍ଷେପ ନିଆ ନଯିବାରୁ କନ୍ଧମାଳ ନିସ୍କି ଗାଁର ବାସିନ୍ଦା ଏଭଳି ନିଆରା ଉପାୟକୁ ଆପଣାଇଛନ୍ତି ଓ ଗାଁକୁ ସମ୍ଭବ ହୋଇଛି ଜଳଯୋଗାଣ  ।

ଗାଁରେ ରୁହନ୍ତି ୩୬ଟି ପରିବାର  । ଲୋକସଂଖ୍ୟା ପାଖାପାଖି ୧୫୦ ହେବ  । ପାଣିର କୌଣସି ସାଧନ ନଥିବାରୁ ଗାଁରେ ସବୁବେଳେ ଜଳକଷ୍ଟ ଲାଗିରହିଥାଏ  । ତେବେ ଏଥରକ ସବୁଦିନିଆ ସମାଧାନ ପାଇଁ ଅଂଟା ଭିଡ଼ିଥିଲେ ଗ୍ରାମବାସୀ ଆଉ ୧୨ ଦିନ ମଧ୍ୟରେ ବାଉଁଶ ଜରିଆରେ ଗାଁକୁ ଆଣିପାରିଛନ୍ତି ପାଣି  । ତେବେ ଗାଁକୁ ପାଣି ଆସିବା ପରେ ଆଗକୁ ଗ୍ରାମବାସୀଙ୍କ ଲକ୍ଷ୍ୟ ପ୍ରତି ଘରକୁ କିଭଳି ପହଁଚିବ ପାଣି  । ଏ ନେଇ ଖୁବଶିଘ୍ର କାମ ଆରମ୍ଭ ହେବ ଓ ଗାଁର ଚିତ୍ର ବଦଳିବ ବୋଲି କହିଛନ୍ତି ନିସ୍କି ଗାଁର ଗ୍ରାମବାସୀ  ।