ଛଦ୍ମବେଶରେ ଆସି ହଟହଟା ହେଲେ ସରକାରୀ ଅଫିସର । ସ୍କୁଲରୁ ତଡିଦେଲେ ଶିକ୍ଷକ, ପିଲା ଚୋର ଭାବି ମାଡ ମାରିବାକୁ ଗୋଡାଇଲେ ଗାଁ ଲୋକ ।

872

କନକ ବ୍ୟୁରୋ: ଦୁର୍ନୀତି ଧରିବାକୁ ଛଦ୍ମବେଶରେ ଆସିବା ଅଫିସରଙ୍କୁ ପଡିଲା ମହଙ୍ଗା । ପାଗଳ ଭାବି ଶିକ୍ଷକ ମାନେ ସ୍କୁଲରୁ ତଡିଦେଲେ ଓ ପିଲା ଚୋର ଭାବି ଗାଁ ଲୋକ ମାଡ ମାରିବାକୁ ଉଦ୍ୟତ ହେବାରୁ ନିଜର ଅସଲି ପରିଚୟ ଦେଇଥିଲେ ସରକାରୀ ଅଫିସର । ଆଉ ଗାଁ ଲୋକଙ୍କ ଠାରୁ ମାଡ ଖାଇବାକୁ ନିଜକୁ ବଞ୍ଚାଇଥିଲେ ଶେରଗଡ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ବାକିଲିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ଛଦ୍ମବେଶରେ ଗୋଷ୍ଠୀ ଶିକ୍ଷାଅଧିକାରୀ । ମୁଣ୍ଡରେ ଲମ୍ବା କେଶ, ମୁହଁରେ କଳା ରଙ୍ଗ ଆଉ ତା ସାଙ୍ଗକୁ ଚିରା ଫଟା ଡ୍ରେସ । ଆଉ ଏଭଳି ବେଶରେ ବାକିଲିକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ ଗୋଷ୍ଠୀ ଶିକ୍ଷାଅଧିକାରୀ ଭାସ୍କର ଲେଙ୍କା । ଆଉ ଏଭଳି ବେଶରେ ସ୍କୁଲରେ ପହଞ୍ଚିବା ପରେ ଭାସ୍କରଙ୍କୁ ଚିହ୍ନି ପାରିନଥିଲେ ସ୍କୁଲର ଶିକ୍ଷକ । ତାଙ୍କୁ ସ୍କୁଲ ପରିସରରୁ ବାହାର କରି ଗେଟରେ ତାଲା ପକାଇ ଦେଇଥିଲେ ସ୍କୁଲ ଶିକ୍ଷକ ।

ଏପରି ଛଦ୍ମ ବେଶରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆସିବା ପଛର କାରଣ ବି ରହିଥିଲା । ନିର୍ଦ୍ଦିଷ୍ଟ ଭାବେ ବାକିଲିକଣା ସ୍କୁଲରେ ଶିକ୍ଷକଙ୍କ ଅନୁପସ୍ଥିତି ଏବଂ ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ୨ଟି ଅଭିଯୋଗ ପାଇଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଆଉ ତାର ଅନୁଧ୍ୟାନ ପାଇଁ ପାଗଳ ଛଦ୍ମବେଶରେ ପହଞ୍ଚିଥିଲେ ସ୍କୁଲରେ । ସ୍କୁଲ ପରିସରରେ ପହଞ୍ଚିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପାଠପଢା ଉପରେ ବାହାରପଟୁ ନଜର ରଖିଥିଲେ । ହେଲେ ଏହି ଡ୍ରାମା ବେଶି ସମୟ ଧରି ଚାଲିପାରିଲାନି । ପିଲା ଚୋର ଭାବି ସ୍କୁଲର କର୍ମଚାରୀ ଏବଂ ଗ୍ରାମବାସୀ ତାଙ୍କୁ ମାଡ ମାରିବାକୁ ଉଦ୍ୟମ କରୁଥିବା ବେଳେ ବାଧ୍ୟ ହୋଇ ନିଜର ପରିଚୟ ଦେଇଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ।

ଏହିଭଳି ପ୍ରତ୍ୟେକ ସ୍କୁଲକୁ ସେ ସରପ୍ରାଇଜ ଭିଜିଟ୍ କରନ୍ତି ବୋଲି କହିଛନ୍ତି ଭାସ୍କର । ଯେପରି ତାଙ୍କୁ କେହି ଚିହ୍ନି ପାରିବେନି ସେଥିପାଇଁ ପ୍ରତିଥର ବେଶ ବଦଳାଇ ସ୍କୁଲରେ ପହଞ୍ଚିଥାନ୍ତି ଏହି ଅଫିସର । ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏଭଳି ପ୍ରୟାସକୁ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ଗ୍ରାମବାସୀ । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ସହ ସ୍କୁଲରେ ଦେଖାଦେଉଥିବା ଅବ୍ୟବସ୍ଥାକୁ ମଧ୍ୟ ଦୂର କରାଯାଇପାରିବ ବୋଲି କହିଛନ୍ତି ଗ୍ରାମବାସୀ ।