ପୁଣି ପିଲା ଚୋର ସନ୍ଦେହରେ ମାଡ ! ମହିଳାଙ୍କ ହାତଗୋଡ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ

43

କନକ ବ୍ୟୁରୋ: ପିଲା ଚୋର ସନ୍ଦେହରେ ଦିନ ମଜୁରିଆ ମହିଳାଙ୍କ ଗୋଡହାତ ବାନ୍ଧି  କିଛି ଲୋକେ ମାଡ ମାରିଛନ୍ତି । ଏତିକିରେ ସେମାନଙ୍କ ଆକ୍ରୋଶ ଥଣ୍ଡା ହୋଇନଥିଲା । ମହିଳାଙ୍କୁ ନିସ୍ତୁକ ମାଡ ବି ମାରିଛନ୍ତି । ରାଉରକେଲା ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମରଣାନ୍ତକ ଆକ୍ରମଣରେ ମହିଳା ଗୁରୁତର ହୋଇଛନ୍ତି । ଏସପିଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଉଲ୍ଲେଖ ଥାଉ କି, ପିଲା ଚୋରି ଗୁଜବକୁ ନେଇ ପୁଲିସ ତରଫରୁ ମଧ୍ୟ ଏକ ପରାମର୍ଶବଳୀ ଜାରି କରାଯାଇଛି । ଯେଉଁଥିରେ ୭ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି ।

• ଓଡ଼ିଶାରେ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ପିଲା ଚୋର ରାକେଟ୍ ସକ୍ରିୟ ନାହାନ୍ତି। ଏପରି ଗୁଜବକୁ ହ୍ଵାଟସଆପ୍ ଏବଂ ଫେସବୁକରେ ସେୟାର କରିବାକୁ ବାରଣ କରାଯାଇଛି। ସେୟାର କରୁଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବାର ସମ୍ଭାବନା ରହିଛି।

• ଓଡ଼ିଶାର ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରେ ଶିକ୍ଷାଲାଭ କରୁଛନ୍ତି। ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓଡ଼ିଶାରେ ଶିକ୍ଷାଲାଭ କରୁଛନ୍ତି। ସେମାନେ ବାହାର ରାଜ୍ୟର ଆଞ୍ଚଳିକ ଭାଷରେ କଥାବାର୍ତ୍ତା କରିବାରେ ଅଡ଼ୁଆ ହୋଇଥାଏ। ତେଣୁ ଆଞ୍ଚଳିକ ଭାଷାରେ କଥା ହୋଇପାରୁନଥିବା ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ଆକ୍ରମଣ କରାଯାଉଛି। ଏପରି ନକରିବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି।

• ଗୁଜବକାରୀମାନେ ପ୍ରଚାର କରୁଛନ୍ତି ଯେ, ପିଲା ଚୋର ଛୋଟ ପିଲାଙ୍କୁ ଅପହରଣ କରି ସେମାନଙ୍କ ଯକୃତ, ହୃତ୍ପିଣ୍ଡ, ଆଖି ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତାଡ଼ି ନେଉଛନ୍ତି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସାଧାରଣତଃ ଏସବୁ ଅଙ୍ଗଗୁଡ଼ିକ ଡାକ୍ତରଖାନାରେ ସତର୍କତାର ସହିତ ସଂରକ୍ଷଣ କରାଯାଉଛି। ଡାକ୍ତରଙ୍କ ବିନା ପରାମର୍ଶରେ ଅଙ୍ଗଗୁଡ଼ିକ ଶରୀରରୁ କାଢ଼ି କୌଣସି ପରିସ୍ଥିତିରେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଡିଜିପି ପରାମର୍ଶବଳୀରେ ସୂଚନା ଦେଇଛନ୍ତି।

• ଓଡ଼ିଆ ଭାଷା ଜାଣି ନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କେହି ଦେଖିବାକୁ ପାଇଲେ ନିକଟସ୍ଥ ଥାନାର ଅଧିକାରୀ ଏବଂ ଜିଲ୍ଲା ଏସପିଙ୍କୁ ଅବଗତ କରାନ୍ତୁ।

• ସେଭଳି କୌଣସି ପ୍ରମାଣ ମିଳିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ କୌଣସି ନିର୍ଦ୍ଦୋଷଙ୍କୁ ସାଧାରଣ ଲୋକେ ପିଲା ଚୋରି ସନ୍ଦେହରେ ନିର୍ୟାତନା ଦେଉଥିବା ଘଟଣା ସାମ୍ନାକୁ ଆସିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ଡିଜିପି ପରାମର୍ଶବଳୀରେ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

• ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ କେବଳ ଥାନା ଏବଂ ଅଦାଲତର ପରିସରଭୁକ୍ତ। ଏଣୁ ସାଧାରଣ ଲୋକେ ଆଇନକୁ ହାତକୁ ନନେବାକୁ ପୁଲିସ ଡିଜି ସୂଚନା ଦେଇଛନ୍ତି।

ରାଜ୍ୟରେ ଗତ ଏକ ସପ୍ତାହ ହେବ ପିଲା ଚୋର ଗୁଜବର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଜିଲ୍ଲାରୁ ଜିଲ୍ଲା ଭାଇରାଲ୍ ହେବାରେ ଲାଗିଛି। ବିହାରର ପାଖାପାଖି ୫ ଶହରୁ ଅଧିକ ଯୁବକ ଓଡ଼ିଶାକୁ ଆସିଛନ୍ତି। ସେମାନେ ରାଜ୍ୟର ଖୋର୍ଧା, ବାଲେଶ୍ୱର, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରେ ପିଲାଙ୍କ ହୃତପିଣ୍ଡ, ଆଖି ତାଡ଼ି ନେଉଥିବା ଗୁଜବ ସୃଷ୍ଟି ହୋଇଛି। ତେଣୁ ସାଧାରଣ ଲୋକେ ସନ୍ଦେହରେ ଏକାଧିକ ବ୍ୟକ୍ତିଙ୍କୁ ଆକ୍ରମଣ କଲେଣି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୁଲିସ ଡିଜି ଏହି ପରାମର୍ଶବଳୀ ଜାରି କରିଛନ୍ତି।