ପୁଣି ପିଲାଚୋରି ସନ୍ଦେହରେ ଆକ୍ରମଣ: ଭଦ୍ରକ ଗେଲଟିଆରେ ଅଣଓଡିଆ ଯୁବକଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ମାଡ, ଉଦ୍ଧାର କଲା ପୋଲିସ

31

କନକ ବ୍ୟୁରୋ: ପୁଣି ପିଲାଚୋରି ସନ୍ଦେହରେ ଆକ୍ରମଣ । ଭଦ୍ରକ ଗ୍ରାମାଂଚଳ ଥାନା ନିକଟସ୍ଥ ଗେଲଟିଆ ଆଦିବାସୀ ସାହିରେ ଜଣେ ଅଜଣା ଯୁବକଙ୍କୁ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀ । ସାହିରେ ଜଣେ ଛୋଟପିଲା ଖେଳୁଥିବା ବେଳେ ଯୁବକ ଜଣକ ତା’ ହାତଧରି ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ତଦନ୍ତ ଜାରି ରଖିଛି । ଯୁବକ ଜଣକ ଅଣଓଡିଆ ବୋଲି ଜଣାପଡିଛି । ପଚରା ଉଚରା ପରେ ଯୁବକଙ୍କ ଘର ରାଂଚି ଅଂଚଳରେ ବୋଲି ଜଣାପଡିଛି । ତେବେ ରାଂଚିରୁ ସେ କାହିଁକି ଏଠାକୁ ଆସିଥିଲା ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ପିଲାଚୋର ସନ୍ଦେହରେ ପ୍ରତିଦିନ ସାମ୍ନାକୁ ଆସୁଥିବା ମରଣାନ୍ତକ ଆକ୍ରମଣ ଖବର ପୋଲିସର ନିଦ ହଜାଇ ଦେଇଛି । ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ମାତ୍ରେ ତାତି ଉଠୁଛି ଭିଡ । ଆଉ ସଫ୍ଟ ଟାର୍ଗେଟ ପାଲଟୁଛନ୍ତି ଓଡିଆ କହିପାରୁନଥିବା କିମ୍ବା ମାନସିକ ଭିନ୍ନକ୍ଷମ ବ୍ୟକ୍ତି । ସୋସିଆଲ ମିଡିଆରେ ବ୍ୟାପି ଚାଲିଥିବା ଗୁଜବକୁ ରୋକିବା ପୋଲିସ ପକ୍ଷରେ ସମ୍ଭବ ହେଉନଥିବା ବେଳେ ଜାରି ହୋଇଛି ଆଡଭାଇଜରୀ । ପୋଲିସ ଡିଜି କହିଛନ୍ତି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସକୁ ଖବର ଦିଅନ୍ତୁ । ଆଇନକୁ ହାତକୁ ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପିଲା ଚୋରି ଖବର ଗୁଜବ ବୋଲି କହିଛନ୍ତି ପୁଲିସ ଡିଜି । ଏନେଇ ପୁଲିସ ଏକ ଆଡଭାଇଜରି ଜାରି କରିଛି । ଯେଉଁଥିରେ କୁହାଯାଇଛି

– ରାଜ୍ୟରେ କୌଣସି ପିଲା ଚୋରି ରାକେଟ ସକ୍ରିୟ ନାହିଁ । ଏହା ମିଥ୍ୟା ଗୁଜବ

– ଏପରି ଖବର ହ୍ୱାଟ୍ସଆପ କିମ୍ବା ଫେସବୁକରେ ପଠାଇବା ଦଣ୍ଡନୀୟ ଅପରାଧ

– ଓଡିଆ ଜାଣିନଥିବା ବାହାର ରାଜ୍ୟର ଲୋକଙ୍କୁ ପିଲାଚୋର ଭାବିବା ଠିକ ନୁହେଁ

– ଡାକ୍ତରଙ୍କ ବିନା ପରାମର୍ଶରେ ଆଖି, ଯକୃତ, ହୃତପିଣ୍ଡ କାଟିଲେ ତାହା ବ୍ୟବହାର ଉପଯୋଗୀ ହେଇନଥାଏ

– ଓଡିଆ ଜାଣିନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସକୁ ଖବର ଦେବାକୁ ପରାମର୍ଶ