୭୦ ବର୍ଷ ଧରି ରାସ୍ତାଟିଏ ପାଇଁ ଗୁହାରି କରି ହେଲେ ନିରାଶ । ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଗ୍ରାମବାସୀ ।

35

କନକ ବ୍ୟୁରୋ: ପ୍ରଶାସନକୁ ଗୁହାରି କରି ନୟାନ୍ତ ହେଲେ ଶେଷରେ ନିଜ ଗାଁ ରାସ୍ତାକୁ ନିଜେ ତିଆରି କଲେ । ଏମିତି କରି ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛନ୍ତି ଗ୍ରାମବାସୀ । ସୁନ୍ଦରଗଡରୁ ଦେଖିବା ଏହି ରିର୍ପୋଟ ‘ପ୍ରଶାସନ ଶୁଣିଲା ନାହିଁ ଆମର ଗୁହାରି’ । ଚାଲିଛି ମାଟି ପକା । ଜେସିପି, ଟ୍ରାକ୍ଟର ବି କାମରେ ଲାଗିଛି । ଆଉ ଲୋକେ ତିଆରି କରୁଛନ୍ତି ରାସ୍ତା । ଏ ଚିତ୍ର କେଉଁ ଅପହଚଂ ଇଲାକାର ନୁହେଁ । ଏହା ସୁନ୍ଦରଗଡ ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ସବଡେଗା ବ୍ଲକ ସେଫତିବାହାଲ ଗାଁର ଦୃଶ୍ୟ ।

ତେବେ ସବୁଠୁ ବଡ଼କଥା ହେଲା ଜିଲ୍ଲା ପ୍ରଶାସନ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ହେଲେ ନା, ଏଠି ତାର ବିପରିତ କିଛି ଘଟିଛି । ଗାଁକୁ ଭଲ ରାସ୍ତା ନଥିବାରୁ ରାସ୍ତାଟିଏ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇ ନିରାସ ହେବା ପରେ ଗ୍ରାମବାସୀମାନେ ନିଜ ଉଦ୍ୟମରେ ରାସ୍ତା ତିଆରି କରିଛନ୍ତି । ସୁନ୍ଦରଗଡ ବସଷ୍ଟାଣ୍ଡରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି ସେଫତିବାହାଲ ଗାଁ । ହେଲେ ଦୀପତଳ ଅନ୍ଧାର ଭଳି ଏହି ଗାଁକୁ ଆଜି ଯାଏଁ ପକ୍କା ରାସ୍ତାଟି ନାହିଁ । କି ଗାଁର ସମସ୍ୟା ଉପରେ ସରକାରି ବାବୁଙ୍କ ନଜର ପଡିନି ।

ପ୍ରଶାସନ ଦୁଃଖ ନବୁଝିବାରୁ ଗ୍ରାମବାସୀ ବୈଠକ କରି ରାସ୍ତା ନିର୍ମାଣ ପାଇଁ ନିଷ୍ପତି ନେଇଥିଲେ । ନିଷ୍ପତି ଅନୁସାରେ ସେଫତି ବାହାଲରୁ ସୁବଳୟା ଏବଂ କରମଡିହିକୁ ସଂଯୋଗ କରୁଥିବା ୬ କିଲୋମିଟର ରାସ୍ତାକୁ ଜେସିପି, ଟ୍ରାକ୍ଟର ଓ ନିଜ ଶ୍ରମରେ ତିଆରି କରିଛନ୍ତି । ଦୀର୍ଘ ୬ କିଲୋମିଟର ରାସ୍ତାରେ ମାଟି ଓ ପଥର ପକାଇ ପ୍ରଶସ୍ତିକରଣ କରିଛନ୍ତି ଗ୍ରାମବାସୀ, ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସୁନ୍ଦରଗଡ ପ୍ରଶାସନ ଏନେଇ ଜାଣିପାରିନାହିଁ ।