ମାଓବାଦୀଙ୍କ ବିରୋଧରେ ମେଳି କଲେ ଗ୍ରାମବାସୀ ! ପ୍ରଥମଥର ପାଇଁ ପୋଲିସକୁ କଲେ ସାମିଲ

22

କନକ ବ୍ୟୁରୋ : ଗାଁ ଲୋକଙ୍କ ନକ୍ସଲ ବିରୋଧୀ ମେଳି । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ଦୋରନାପାଲରେ ନକ୍ସଲଙ୍କ ବିରୋଧରେ ଏକାଠି ହୋଇଛନ୍ତି ଗାଁ ଲୋକେ । ନକ୍ସଲଙ୍କୁ ଆଉ ଡରିବୁ ନାହିଁ । ମିଳିମିଶି ଲଢିବୁ । ଗାଁ ଲୋକଙ୍କ କହିବା କଥା ହେଲା ଦୁର୍ଗମ ଅଂଚଳରେ ରହିବା ଓ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଆମେ ନକ୍ସଲଙ୍କୁ ସମର୍ଥନ କରିବାକୁ ବାଧ୍ୟ ହେଉଥିଲୁ । କିନ୍ତୁ ଏବେ ଆଉ ସମର୍ଥନ କରିବୁ ନାହିଁ । ମାଓ ଅଧୁଷିତ ଅଞ୍ଚଳରେ ପ୍ରଥମଥର ପାଇଁ ମାଓ ବିରୋଧୀ ସ୍ୱର ଉଠିଛି । ଏହାଛଡା ମାଓବାଦୀଙ୍କ ଏହି ବିରୋଧୀ ମେଳିରେ ପ୍ରଥମଥର ପାଇଁ ପୋଲିସକୁ ସାମିଲ କରିଥିଲେ ଗ୍ରାମବାସୀ । ଏହାସହ ପୋଲିସ ଠାରୁ ସୁରକ୍ଷା ମାଗିଛନ୍ତି ଗ୍ରାମବାସୀ ।

ସୀମାନ୍ତ ଗାଁ ଲୋକଙ୍କ ଏଭଳି ଆଭିମୁଖ୍ୟ ନକ୍ସଲ ସଙ୍ଗଠନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଶୁକ୍ରବାର ଦିନ ମାଲକାନଗିରିର ବିଭିନ୍ନ ସ୍ଥାନରେ ନକ୍ସଲମାନେ ପୋଷ୍ଟର ଲଗାଇ ପ୍ରତି ପରିବାରରୁ ୧୦ ଜଣ ଲେଖାଁଏ ମାଓ ସଙ୍ଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ନହେଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଏପରିକି ଯେଉଁମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ପୁଣିଥରେ ସଙ୍ଗଠନକୁ ଫେରି ଆସିବାକୁ ଲାଲବାହିନୀ ଧମକ ଦେଇଥିଲା । ଧୀରେ ଧୀରେ ଲାଲବାହିନୀ ଗଡ଼ ଦୁର୍ବଳ ହେଉଥିବାରୁ ଏଭଳି ପନ୍ଥା ଆପଣାଇଛି ସଙ୍ଗଠନ । ଏହାର ଦିନକ ପରେ ଗାଁ ଲୋକେ ମାଓ ସଙ୍ଗଠନ ବିରୋଧରେ ସ୍ୱର ଉଠାଇଛନ୍ତି । ଏହାସହ ସମାଜର ମୁଖସ୍ରୋତରେ ସାମିଲ ହେବାକୁ ଗାଁ ଲୋକ ନିଷ୍ପତି ନେଇଛନ୍ତି । ଗ୍ରାମବାସୀଙ୍କ ଏଭଳି ନିଷ୍ପତି ଏବେ ଲାଲବାହିନୀ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।