ଓଡ଼ିଶାର ଗାଁ ହେଲେ ଆନ୍ଧ୍ରର ନାଁ : ତେଲୁଗୁ ଭାଷାଭାଷୀଙ୍କ ପ୍ରଭାବ ଯୋଗୁଁ ମୂଳ ପରିଚୟ ହରାଇଲାଣି ରାୟଗଡା ଜିଲ୍ଲାର ଅନେକ ଗାଁ

57

କନକ ବ୍ୟୁରୋ : ଓଡ଼ିଶାର ଗାଁ । କିନ୍ତୁ ଆନ୍ଧ୍ର ଓ ତେଲୁଗୁ ଭାଷାଭାଷୀଙ୍କ ପ୍ରଭାବ ଅଧିକ ରହିଛି । ଏଥିଯୋଗୁଁ ବଦଳି ଯାଉଛି ଗାଁର ନାଁ । ତେଲୁଗୁ ଭାଷାଭାଷୀଙ୍କ ଉଚ୍ଚାରଣ ଅନୁଯାୟୀ ରାୟଗଡା ଜିଲ୍ଲାର ଗୋଟିଏ ପରେ ଗୋଟିଏ ଗାଁ ନିଜ ମୂଳ ପରିଚୟ ବି ହଜାଇବାକୁ ବସିଲାଣି । କୌଣସି ଉପାନ୍ତ କିମ୍ବା ସୀମାନ୍ତ ଗାଁ ନୁହେଁ, ଜିଲ୍ଲା ସଦର ମହକୁମାରେ ଏହିଭଳି ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି ।

ଗତକାଲି କେନ୍ଦ୍ର ସରକାରଙ୍କ ରେଳ ବିଭାଗ ପକ୍ଷରୁ ଆୟୋଜିତ ଜେମାଦେଇପେଣ୍ଠ ଓଭରବ୍ରିଜ୍ ଲୋକାର୍ପଣ ଉତ୍ସବରେ ବି ଏହିଭଳି ଏକ ଚିତ୍ର ଦେଖିବାକୁ ମିଳିଛି । ରେଳଲାଇନ୍ ପ୍ରତିଷ୍ଠା ପୂର୍ବରୁ ଏହି ଗାଁ ନାଁ ଜେମାଦେଇପେଣ୍ଠ ଥିଲା । ଓଡ଼ିଶା ସରକାରଙ୍କ ସରକାରୀ ଫାଇଲରେ ବି ଏହି ନାଁ ରହିଛି । ହେଲେ, ତେଲୁଗୁ ଭାଷାଭାଷୀ ନିଜ ଉଚ୍ଚାରଣକୁ ସହଜ କରିବାକୁ ଜିମିଡିପେଟା ବୋଲି କହି ଆସୁଥିଲେ । ଫଳସ୍ବରୂପ ସରକାରୀ କାର୍ଯ୍ୟକ୍ରମରେ ବି ବଦଳି ଗଲା ଓଡ଼ିଶାର ଏହି ଗା‌ଁର ନାଁ ।

ସୂଚନା ଅନୁସ‌ାରେ, ଆନ୍ଧ୍ର ଚାପରେ ଗତ ୧୦ ବର୍ଷ ମଧ୍ୟରେ ରାୟଗଡା ଜିଲ୍ଲାର ପାଖାପାଖି ୧୫ରୁ ଊର୍ଧ୍ବ ଗାଁର ନାଁ ଅନ୍ୟ ନାମରେ ପରିଣତ ହୋଇସାରିଲାଣି । ଖୋଦ୍‌ ରାୟଗଡ଼ା ବି ଏଥିରୁ ବାଦ୍‌ ପଡ଼ିନାହିଁ । ରାଜରାଜୁଡା ଅମଳରୁ ଜିଲ୍ଲା ସଦର ମହକୁମାର ନାମ ରାୟଗଡ ଥିଲା । ସମୟକ୍ରମେ ଏହା ରାୟଗଡାରେ ପରିଣତ ହୋଇଛି । ରାୟଗଡା ଅଞ୍ଚଳ ବଣ, ପାହାଡ ଘେରା ସହ ଚତୁଃପାର୍ଶ୍ବରେ ବଡ଼ ଖାଲଖମା ରହିଥିବାରୁ ରାୟଗଡ ଆସୁଥିବା ତେଲୁଗୁ ଲୋକ ନିଜ ଭାଷା ଅନୁଯାୟୀ ନାଁ ବଦଳାଇ ଦେଲେ । ତେଲୁଗୁରେ ପଥରକୁ ରାୟ ଓ ଖାଲଖମାକୁ ଗଡା କହୁଥିବାରୁ ରାୟଗଡ ଏବେ ରାୟଗଡା ଭାବେ ପରିଚିତ ।

ସେହିପରି ଜେମାଦେଇପେଣ୍ଠ ଜିମିଡିପେଟାରେ ପରିଣତ ହୋଇଥିବ ବେଳେ ଲୋଡା ଗାଁ ଲାଡ୍ଡାରେ ପରିଣତ ହୋଇଛି । ଏହି ଦୁଇ ଗାଁ ଦେଇ ରାୟଗଡାରୁ ବିଶାଖାପାଟଣାକୁ ରେଳ ଲାଇନ୍ ସଂଯୋଗ ହୋଇଥିବା ବେଳେ ଦୁଇଟି ଷ୍ଟେସନ ମଧ୍ୟ ରହିଛି । ୱାଲଟିଅର୍ ଡିଭିଜନ୍ ଅଧୀନରେ ଏହି ରେଳଲାଇନ୍ ଥିବାରୁ କାର‌୍ୟ୍ୟରତ ଅଧିକାରୀ ବି ନାଁକୁ ବଦଳାଇ ରେଳ ବିଭାଗ ରେକର୍ଡଭୁକ୍ତ କରି ସାରିଲେଣି । ସେହିପରି ହାଟ ଶେଷଖାଲ ଗାଁ ଏବେ ସାନ୍ତା ଶେଷଖାଲ ନାଁରେ ପରିଚିତ । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଏହି ଗାଁରେ ସାପ୍ତାହିକ ହାଟ ବସୁଥିବାରୁ ପଡୋଶୀ ଆନ୍ଧ୍ର ଗ୍ରାମବାସୀ ହାଟକୁ ସଉଦା ପାଇଁ ଆସିଥାନ୍ତି । ତେଲୁଗୁ ଭାଷାରେ ହାଟକୁ ସାନ୍ତା କୁହାଯାଉ ଥିବାରୁ ଧୀରେଧୀରେ ଏହା ସାନ୍ତା ଶେଷଖାଲ ଭାବେ ପରିଚିତ ହୋଇଗଲା ।

ସେହିପରି ପ୍ରତାପପୁର ନାଁ ବଦଳି ପାରତାପୁର ଏବଂ ନୂଆପେଣ୍ଠର ନାଁ ବଦଳି କୋତାପେଟା ହେଲାଣି । ତେଲୁଗୁ ଭାଷାରେ ନୂଆ ଅର୍ଥ କୋତା ହୋଇଥିବା ବେଳେ ପେଣ୍ଠକୁ ପେଟା ଭାବେ ଉଚ୍ଚାରଣ କରାଯାଏ । କେବଳ ଏତିକି ନୁହେଁ, କୁମୁଟିପେଣ୍ଠକୁ କୁମୁଟାଲପେଟା, ନୂଆଗାଁର ନାଁ କତୁରୁ ଭାବେ ପରିଚିତ । ରାୟଗଡାର ଆରାଧ୍ୟ ଦେବୀ ଭାବେ ମା’ ମଝିଘରିଆଣୀ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି। ଲୋକକଥା ଅନୁଯାୟୀ, ସହରର ମଧ୍ୟ ଭାଗରେ ମା’ଙ୍କ ଆବିର୍ଭାବ ହୋଇଥିବାରୁ ଏପରି ନାମକରଣ କରାଯାଇଛି । କିନ୍ତୁ ମା’ଙ୍କ ମନ୍ଦିରକୁ ବର୍ଷ ତମାମ ଆସୁଥିବା ଭକ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ ଭକ୍ତ କେବଳ ଆନ୍ଧ୍ରରୁ ଆସୁଥିବାରୁ ତେଲୁଗୁ ଭାଷାଭାଷୀଙ୍କ ଅନୁଯାୟୀ ମଝି ଘରିଆଣୀ ମନ୍ଦିର ଏବେ ଆନ୍ଧ୍ରରେ ମା’ ମାଝୀଗୌରୀ ନାଁରେ ପରିଚିତ ।

ଆନ୍ଧ୍ର ସୀମାନ୍ତରେ ରହିଛି ରାୟଗଡା ଜିଲ୍ଲା । ଜିଲ୍ଲାର ଅଧିକାଂଶ ଲୋକ ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ, ବ୍ୟବସାୟ ପାଇଁ ଆନ୍ଧ୍ର ଉପରେ ନିର୍ଭର କରି ଆସୁଛନ୍ତି । ଦୈନିକ ରାୟଗଡାରୁ ୫ରୁ ୬ ହଜାର ଲୋକ ବିଭିନ୍ନ କାମ ପାଇଁ ବିଶାଖାପାଟଣା ସମେତ ଆନ୍ଧ୍ରର ଅନ୍ୟ ଅଞ୍ଚଳକୁ ଯାତାୟାତ କରୁଛନ୍ତି । ଯେଉଁଥିପାଇଁ ଓଡ଼ିଆ ଭାଷାଭାଷା ଲୋକ ମଧ୍ୟ ଭାଷାର ଆଦାନ ପ୍ରଦାନ ପାଇଁ ତେଲୁଗୁ ଶିଖିବା ସହ ତେଲୁଗୁରେ କଥାବାର୍ତା କରୁଛନ୍ତି । ସରକାରୀ, ବେସରକାରୀ ଅନୁଷ୍ଠାନଠୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଭାବର ଆଦାନପ୍ରଦାନ ପାଇଁ ତେଲୁଗୁ ଭାଷା ହିଁ ବହୁଳ ଭାବରେ ବ୍ୟବହାର ହେବା ଯୋଗୁ ଏପରି ସ୍ଥିତି ଉପୁଜିଛି ।

Comments are closed.