ଭାରତ ଫେରିବା ପୂର୍ବରୁ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପିଏମଏଲଏ ଅଦାଲତର ରାୟକୁ ରହିଛି ଅପେକ୍ଷା

ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟଗ୍ରତା ପ୍ରକାଶ କରିଲାଣି

68

କନକ ବ୍ୟୁରୋ : ପଳାତକ ଆର୍ଥିକ ଅପରାଧୀ ଘୋଷିତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟଗ୍ରତା ପ୍ରକାଶ କରିଲାଣି। ମାଲ୍ୟା ଏବେ ଲଣ୍ଡନରେ ରହୁଛନ୍ତି। ସେଠାକାର ଅଦାଲତ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଅନୁମତି ପ୍ରଦାନ କରିସାରିଛନ୍ତି। କିନ୍ତୁ ଏହି ପ୍ରକିୟା କେବେ ସରିବ ଏବଂ ମାଲ୍ୟା କେବେ ଭାରତକୁ ଆସିବେ ସେ ନେଇ ଏ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ। ତେଣୁ ମାଲ୍ୟାଙ୍କର ଜବତ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିକ୍ରି କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତତ୍ପରତା ପ୍ରକାଶ କରିଛି। ଇଡି ପକ୍ଷରୁ ଜବତ ହୋଇଥିବା ମାଲ୍ୟାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ଲାଗି ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଅନୁମତି ଦେବାମାତ୍ରେ ଇଡି ଏଥିପାଇଁ ପଦକ୍ଷେପ ନେବା ଆରମ୍ଭ କରିଦେବ।

 

ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି, ଆସନ୍ତା ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ପିଏମଏଲଏ ଅଦାଲତ ଏ ସଂକ୍ରାନ୍ତରେ ରାୟ ଦେବାର ରହିଛି। ରାୟ ପ୍ରକାଶ ପାଇବା ପରେ ଇଡି ମାଲ୍ୟାଙ୍କ ସେୟାର ବିକ୍ରି କରିବା ଯୋଜନା କରୁଛି। ମାଲ୍ୟାଙ୍କ ସେୟାର ବିକ୍ରି କରି ଇଡି କିଭଳି ଅଧିକରୁ ଅଧିକ ଅର୍ଥ ପାଇପାରିବ ତାହାକୁ ଲକ୍ଷ୍ୟରେ ରଖି ଏପ୍ରକାର ଉଦ୍ୟମ ଚଳାଇଛି। ମାଲ୍ୟାଙ୍କ ପ୍ରତ୍ୟର୍ପଣ ପର୍ଯ୍ୟନ୍ତ ଅପେକ୍ଷା କରିଲେ ସେହି ସମୟ ମଧ୍ୟରେ ତାଙ୍କ କମ୍ପାନୀର ସେୟାର ମୂଲ୍ୟ କମି ଯିବାର ଆଶଙ୍କା ରହିଛି। ଏବେ ମାଲ୍ୟାଙ୍କର ସେୟାରର ମୂଲ୍ୟ ୧୧ ହଜାର କୋଟି ଟଙ୍କା ରହିଛି। ତୁରନ୍ତ ବିକ୍ରି କରା ନଗଲେ ଏ ବାବଦରେ କମ୍ ଅର୍ଥରାଶି ମିଳିବା ଆଶଙ୍କା ଇଡି କରୁଛି।

 

ଅନ୍ୟପକ୍ଷରେ ମାଲ୍ୟାଙ୍କ ଜବତ ସମ୍ପତ୍ତି ଉପରେ ଏକାଧିକ ପକ୍ଷ ମାଲିକାନା ଜାହିର କରିପାରନ୍ତି। ତେଣୁ ମାଲ୍ୟାଙ୍କ ସମ୍ପତ୍ତିର ପ୍ରକୃତ ଦାବିବାର କିଏ ସେ ସମ୍ପର୍କରେ ପିଏମଏଲଏ ଅଦାଲତ ନିଷ୍ପତ୍ତି ନେବା ପରେ ଯାଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ଜବତ ହୋଇଥିବା ମାଲ୍ୟାଙ୍କ ସମ୍ପତ୍ତି ବିଭିନ୍ନ ପ୍ରକାର ଦାବିରୁ ମୁକ୍ତ ଅଛି କି ନାହିଁ ସେ ସମ୍ପର୍କରେ ଅଦାଲତ ଆସନ୍ତା ମାସରେ ନିଷ୍ପତ୍ତି ନେବେ। ତେବେ ମାଲ୍ୟାଙ୍କ ସମ୍ପତ୍ତି ପାଇଁ ଅତିକମରେ ୩ଟି ପକ୍ଷ ଦାବି କରିପାରନ୍ତି। ସେମାନଙ୍କ ମଧ୍ୟରେ ମାଲ୍ୟାଙ୍କ ସାବତ ମାଆ ଋତୁ ମାଲ୍ୟା ଓ କର୍ଣ୍ଣାଟକ ସରକାର ରହିଛନ୍ତି। ତେଣୁ ମାଲ୍ୟାଙ୍କ ସମ୍ପତ୍ତି ଏପ୍ରକାର ଦାବିରୁ ମୁକ୍ତ ରହିଛି କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ଅଦାଲତ ନେବେ। ଯଦି କାହାରି ଦାବି ରହିଥାଏ ତାହେଲେ ଏହାର ମାଲିକ କିଏ ସେ ନେଇ ଏକ ସ୍ବତନ୍ତ୍ର କମିଟି ନିଷ୍ପତ୍ତି ନେବ। ସମ୍ପତ୍ତି ବିକ୍ରି ସମୟରେ ସଂପୃକ୍ତ ପକ୍ଷଙ୍କୁ ଅଂଶଧନ ନେବା ଲାଗି ସୁଯୋଗ ପ୍ରଦାନ କରିବ।

 

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ପିଏମଏଲଏ ଅଦାଲତ ମାଲ୍ୟାଙ୍କ ସାବତ ମାଆ, ହିନେନକେନ୍ ଏନଭି ଏବଂ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ନିଯୁକ୍ତ ଅଫିସିଆଲ ଲିକ୍ବିଡେଟରଙ୍କୁ ମାମଲାରେ ପକ୍ଷ ହେବା ପାଇଁ ସୁଯୋଗ ଦେଇଥିଲେ। ମାଲ୍ୟାଙ୍କ ସାବତ ମାଆ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ଇଡି ଭୁଲକ୍ରମେ ଦୁଇଟି କମ୍ପାନିରେ ଥିବା ୧୭% ଅଂଶଧନକୁ ଜବତ କରିଦେଇଛି। ମାଲ୍ୟାଙ୍କ ବିଭିନ୍ନ କମ୍ପାନୀର ଅଂଶଧନ ବ୍ୟତୀତ ମୁମ୍ବାଇ, ନୂଆଦିଲ୍ଲୀ, ତାମିଲନାଡ଼ୁ ଏବଂ ବେଙ୍ଗାଲୁରୁରେ ଇଡି ସମ୍ପତ୍ତି ଜବତ କରିଛି। ଏଥିରେ ୩,୦୯,୦୦୦ ବର୍ଗଫୁଟର ୟୁବି ସିଟି ସମ୍ପତ୍ତି ରହିଛି। ଏହାର ମୂଲ୍ୟ ୭୧୩ କୋଟି ଟଙ୍କା ହେବ। ବେଙ୍ଗାଲୁରୁର କିଙ୍ଗଫିସର ଟାୱାର ଫ୍ଲାଟ ମୂଲ୍ୟ ୧୦୦୦ କୋଟି ଟଙ୍କା ହେବ। ତେବେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସଂକ୍ରାନ୍ତ ରାୟ ଏବେ ବ୍ରିଟେନର ଗୃହ ସଚିବଙ୍କ ନିକଟରେ ରହିଛି। ଆସନ୍ତାମାସ ୯ ସୁଦ୍ଧା ଏ ନେଇ କିଛି ନିଷ୍ପତ୍ତି ହେବ ବୋଲି ଆଶା ରହିଛି। ଯଦି ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ସଚିବ ଅନୁମତି ଦିଅନ୍ତି ତାହେଲେ ମାଲ୍ୟା ଲଣ୍ଡନ ହାଇକୋର୍ଟକୁ ଯିବେ। ଯଦି ଅନୁମତି ନଦିଅନ୍ତି ତାହେଲେ ଭାରତ ସରକାର ଏହା ବିରୋଧରେ ଆବେଦନ କରିବା ସମ୍ଭାବନା ରହିଛି।