ପ୍ରଥମେ ନିୟମ ଭାଙ୍ଗିଲେ, ପରେ କ୍ଷମା ମାଗିଲେ ମୋଦିଙ୍କ ମନ୍ତ୍ରୀ ! ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ ପରେ କ୍ଷମା ମାଗିଲେ ବିଜୟ ଗୋଏଲ

42

କନକ ବ୍ୟୁରୋ : ଭୂଲ ମାନିଲେ ମୋଦିଙ୍କ ମନ୍ତ୍ରୀ । ପ୍ରଥମେ ନିୟମ ଭାଙ୍ଗିଲେ ଓ ପରେ କ୍ଷମା ପ୍ରାର୍ଥନା କଲେ । କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ଟ୍ୱିଟର ପେଜରେ ଛାଡିବା ପରେ ଓଡ଼ିଶାରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ଆଜି ଗୋଏଲ ଟ୍ୱିଟ୍ କରି ଭୂଲ ସ୍ୱୀକାର କରିଛନ୍ତି ।ଏହାଛଡା ଭକ୍ତଙ୍କ ଭାବାବେଗକୁ ଆଘାତ ଦେବାକୁ ସେ ଚାହାନ୍ତିନି ବୋଲି କହିଛନ୍ତି । ଏହାସହ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ସେ ହଟାଇଥିବା ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଗତକାଲି ଉକ୍ରଳ ଦିବସ ଅବସରରେ ଶୁଭେଛା ଜଣାଇବା ପାଇଁ ଗୋଏଲ୍ ଟ୍ୱିଟ୍ କରିଥିବା ବେଳେ ଏଥିରେ ଲିଙ୍ଗରାଜ ମନ୍ଦିରର ବେଢା ଓ ଗର୍ଭଗୃହରେ ସେ ନିଜେ ପୁଜା କରୁଥିବା ସମୟର ଫଟୋକୁ ପୋଷ୍ଟ କରିଥିଲେ । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଥିଲା । ଗତବର୍ଷ ଭୁବନେଶ୍ୱର ଆସିଥିବା ବେଳେ ସେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ ଓ ସେହି ସମୟରେ ଏହି ଫଟୋ ଉଠାଯାଇଥିବା ଜଣାପଡିଛି । ଗର୍ଭଗୃହରେ ବିଜୟ ଗୋଏଲ ଓ ଦୁଇ ସେବାୟତ ଉପସ୍ଥିତ ଥିବା ବେଳେ ଏହି ଫଟୋଟି ଉଠାଯାଇଛି । ପ୍ରଶ୍ନ ଉଠୁଛି, ଦୁଇ ସେବାୟତ ଗର୍ଭଗୃହରେ ଉପସ୍ଥିତ ଥିବା ବେଳେ ଏଭଳି ଫଟୋ କିଭଳି ଉଠାଗଲା । କାହିଁକି ସେବାୟତ ମାନେ ବିରୋଧ କରିନଥିଲେ ।

ବିଜୟ ଗୋଏଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ପୋଷ୍ଟ କରିବା ପରେ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ଉଭୟ କଂଗ୍ରେସ ଓ ବିଜେଡି ଏହି ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଥିଲେ । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଦୋଷ ଘୋଡାଇବାକୁ ଚେଷ୍ଟା କରିଥିଲା ବିଜେପି । ଗର୍ଭଗୃହରେ ଫଟୋ ଉଠାଯାଏନି ବୋଲି ମନ୍ଦିର ପ୍ରଶାସନ କହିବା କଥା । କିନ୍ତୁ ତାଙ୍କୁ ସେଭଳି କୌଣସି ସୂଚନା ବୋଧହୁଏ ମିଳିନଥିବ ।

କିଛିଦିନ ଆଗରୁ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ମଧ୍ୟ ବେଢା ଭିତରେ ଭିଡିଓ ସୁଟ୍ କରି ବିବାଦୀୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ବେଳର ଭିଡିଓ ସିଧାପ୍ରସାରଣକୁ ମଧ୍ୟ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଇଥିଲେ । ବାରମ୍ବାର ଲିଙ୍ଗରାଜ ମନ୍ଦିରର ନୀତି ନିୟମ ଭଙ୍ଗ ହେବା ନାନା ବିବାଦ ତିଆରି କରୁଛି । ନିୟମ ଥିବା ସତ୍ତେ୍ୱ କାହିଁକି ଭିଆଇପି ଓ ଭିଭିଆଇପିଙ୍କ କ୍ଷେତ୍ରରେ ଏହାକୁ ଭଙ୍ଗ କରାଯାଉଛି, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।