ତୃତୀୟ ଶ୍ରେଣୀ କର୍ମଚାରୀ, କିନ୍ତୁ ଧରୁଛନ୍ତି ଲକ୍ଷେ ଟଙ୍କାର ମୋବାଇଲ । ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ସମ୍ପତି ଦେଖି ତାଜୁବ ହୋଇଗଲେ ଅଧିକାରୀ ।

1,441

କନକ ବ୍ୟୁରୋ: ତୃତୀୟ ଶ୍ରେଣୀ କର୍ମଚାରୀ । ହେଲେ ସମ୍ପତି କୋଟି କୋଟି ଟଙ୍କାର । ଭିଜିଲାନ୍ସ ଆଜି ଏଭଳି ଜଣେ ସରକାରୀ କର୍ମଚାରୀଙ୍କ ଘରେ ଚଢାଉ କରିଛି । ଆଉ ବାବୁଙ୍କ ସମ୍ପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ଫୁଲବାଣୀ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ୫ଟି ସ୍ଥାନରେ ଏକାସଙ୍ଗେ ଚଢାଉ କରି ବର୍ତମାନ ଯାଏଁ ଦେଢ କୋଟି ଟଙ୍କାର ସମ୍ପତିର ହିସାବ ପାଇଲାଣି ଭିଜିଲାନ୍ସ ।

ବାବୁଙ୍କ ଘର , କୌଣସି ରାଜବଙ୍ଗଳାରୁ କମ୍ ନୁହେଁ । ଭିତରେ ଚକ୍ ଚକ୍ ମାର୍ବଲ ଆଉ ଦାମୀ ଟାଇଲ । ଫର୍ଣ୍ଣିଚର, ପଞ୍ଚତାରକା ହୋଟେଲ ଭଳି । ଘରେ ଲାଗିଛି ରିମୋଟ୍ କଂଟ୍ରୋଲ ଫ୍ୟାନ୍ । ଯାହାର ଦାମ୍ ଏସି ସହ ସମାନ । ଗାଧୋଇବା ପାଇଁ ରହିଛି ବିଳାସପୂର୍ଣ୍ଣ ବାଥ୍ ଟବ୍ । ବାବୁ ବ୍ୟବହାର କରନ୍ତି ଲକ୍ଷେ ଟଙ୍କିଆ ଫୋନ୍ ଏବଂ ୨ଲକ୍ଷ ଟଙ୍କାର ଲାପଟପ୍ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ଦାମୀ ଘଂଟା । ଯାଆସ ପାଇଁ ପାଖରେ ଅଛି ଦୁଇ ଦୁଇଟି ଲଗଜୁରିଅସ୍ କାର୍ । କୁବେର ସମ୍ପତି ରଖିଥିବା ସରକାରୀ ବାବୁ ଏବେ ପଡିଛନ୍ତି ଭିଜିଲାନ୍ସ ଜାଲରେ ।

ରାଧାମୋହନ ବେହେରା । ଫୁଲବାଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ । ୧୯୯୧ରେ କିରାଣୀ ଚାକିରି ଆଉ ୨୦୦୯ରେ କାର୍ଯ୍ୟନିର୍ବାହୀ ଅଧିକାରୀ । ୧୦ ବର୍ଷ ଭିତରେ ରାଧାମୋହନ ବେହେରାଙ୍କ ପାଖରେ ଥିବା ସମ୍ପତିର ହିସାବ କରିବା ମୁସ୍କିଲ । ବାବୁଙ୍କ ଆୟ ବହିର୍ଭୁତ ସମ୍ପତି ଅଭିଯୋଗ ନେଇ ସକାଳୁ ସକାଳୁ ଫୁଲବାଣୀ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଆଉ ଜଣେ ସରକାରୀ ଅଧିକାରୀଙ୍କ ପାଖରେ ଏଭଳି ସମ୍ପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।

କେବଳ ଏହି କୁବେର ସରକାରୀ ବାବୁ ନୁହେଁ ବରଂ ସେହି ଅଫିସରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଗତକାଲି ଆଇଏଏସ ଅଫିସରଙ୍କ ଅୟସର କାହାଣୀ ସାମ୍ନାକୁ ଆଣିଥିଲୁ । ଯେଉଁଥିରେ ନିଜର ଅୟସ ପାଇଁ ସରକାରୀ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଥିଲେ ଆଇଏଏସ ମାଡାମ । ଆଉ ଆଜି ଭିଜିଲାନ୍ସ ଜାଲରେ କୋଟପତି କିରାଣୀ ପଡିବା ପରେ ଲୋକଙ୍କ ଟଙ୍କାରେ ସରକାରୀ ବାବୁ କେମିତି ଅୟସ ଆରାମ କରୁଛନ୍ତି ତାହାର ସତ୍ୟତା ସାମ୍ନାକୁ ଆସିଛି ।