ରିଲ ନୁହେଁ ରିଅଲ ରେଡ୍ ! ଜେଇଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ୱାସିଂ ମେସିନରେ ଲୁଚାଇ ରଖିଥିଲେ ୩୦ ଲକ୍ଷ, ଚଢାଉ ବେଳେ ଝରକା ବାଟେ ଫିଙ୍ଗିଦେଲେ ଟଙ୍କା ।

99

କନକ ବ୍ୟୁରୋ : ଜଣେ କୋଟିପତି ବାବୁଙ୍କ ଖବର । ଯିଏ ବୃତିରେ ଆଇଟିଡିଏର କନିଷ୍ଠ ଯନ୍ତ୍ରୀ । ୨ବର୍ଷ ତଳେ ଯାହାଙ୍କୁ ସ୍ଥାନୀୟ ନିଯୁକ୍ତି ମିଳିଛି । ହେଲେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ନେଇ ଯେତେବେଳେ ତାଙ୍କ ଘରେ ରେଡ୍ ହେଲା, ନଗଦ ୩୦ ଲକ୍ଷ ଟଙ୍କା ଠାବ କରିଛି ଭିଜିଲାନ୍ସ । ଏହି କୋଟିପତି ବାବୁ ଜଣକ ହେଉଛନ୍ତି ଗୁଣୁପୁର ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତି । ବଡ କଥା ହେଉଛି, ଭିଜିଲାନ୍ସ ଚଢ଼ାଉର ଖବର ପାଇଲା ପରେ ୱାସିଂ ମେସିନ୍ ଭିତରେ ଲୁଚାଇ ରଖିଥିଲେ ପୁଳା ପୁଳା ୫ଶହ ଏବଂ ୨ହଜାର ଟଙ୍କଆ ନୋଟ୍ ବିଡ଼ା ।

ଆଜି ଗଗନ ବିହାରୀ ପତିଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ସଂପତି ଠାବ କରିଛି ଭିଜିଲାନ୍ସ । ତେବେ ପଢନ୍ତୁ ପତି ସାଜ୍ଞାଧାରୀ ବାବୁ କେମିତି ବନିଲେ କୋଟିପତି । କଳା ଟଙ୍କାର ଠିକଣା କିଛି ବି ହୋଇପାରେ । କାନ୍ଥ, ଗଦି, ସୋଫା, ଏମିତି କି କୂଅ ଭିତରେ ବି ଲୁଚା ଯାଇପାରେ ବେଆଇନ୍ ସଂପତି । ଫିଲ୍ମର ଏହି ଚିତ୍ର ହୁଏତ କାଳ୍ପନିକ ହୋଇପାରେ । କିନ୍ତୁ ବ୍ରହ୍ମପୁରରୁ ଜବତ ହୋଇଥିବା ଟଙ୍କାର ପାହାଡ, କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଜଣେ ସରକାରୀ ଅଧିକାରୀଙ୍କ ଘରେ ଠୁଳ ଥିବା ବେଆଇନ ସଂପତିର ପ୍ରମାଣ । ଠିକ୍ ଫିଲ୍ମ ଷ୍ଟାଇଲରେ ଲୁଗା ସଫା ୱାସିଂ ମେସିନରେ ଲୁଚା ଯାଇଥିଲା ଟଙ୍କା । କେବଳ ୫ଶହ ଏବଂ ୨ହଜାର ଟଙ୍କା ନୋଟ୍ । ହେଲେ ଭିଜିଲାନ୍ସ ଅଧିକାରୀଙ୍କ ଆଖିରୁ ବର୍ତି ପାରିନି, ବେଆଇନ ସଂପତିର ଠିକଣା ।

ଦୁଇବର୍ଷର ଚାକିରିରେ କୋଟିପତି । ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ । ରାଜପ୍ରସାଦ ଭଳି ଠିଆ ହୋଇଛି ତିନି ମହଲା କୋଠା ଏବଂ ସୌଖିନ୍ ଜୀବନଯାପନ ପାଇଁ ସଜା ହୋଇଛି ଆକର୍ଷଣୀୟ ଇଂଟେରିୟର ।  ଏହା କୌଣସି ଶିଳ୍ପପତି କିମ୍ବା ରାଜା ମହାରାଜଙ୍କ ବାସଭବନ ନୁହେଁ, ବରଂ ଗୁଣୁପୁରରେ କାର୍ଯ୍ୟ କରୁଥିବା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତିଙ୍କ ବାସଭବନ । ଯାହାଙ୍କ ଘରେ ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭିଲିଲାନ୍ସ ରେଡ୍ କରିଥିଲା । ଆଉ ନଗଦ ୩୦ ଲକ୍ଷ ଟଙ୍କା ଜବତ କରିଛି । ହେଲେ ଏହି ସଂପତି ତାଲିକା ଖୁବ୍ ଲମ୍ବା । ଆଉ ଯେତେବେଳେ ମୁନିଗୁଡ଼ା କ୍ୱାର୍ଟରରେ ରେଡ୍ ଚାଲିଥିଲା, ଭିଜିଲାନ୍ସ ଜାଲରୁ ହୁଏତ ନିଜର କଳା କାରନାମାର ପ୍ରମାଣ ଲୁଚାଇବା ପାଇଁ ୨ଲକ୍ଷ ୩୦ ହଜାର ଟଙ୍କା ଝରକା ଦେଇ ବାହାରକୁ ଫିଙ୍ଗି ଦେଇଥିଲେ । ଯାହାକୁ ଭିଜିଲାନ୍ସ ଅଧିକାରୀ ଗୋଟାଇ ଆଣି ଜବତ କରିଛି ।

ପତିରୁ ଯନ୍ତ୍ରୀ ବନିଲେ କୋଟିପତି । ଲୁଚାଇଲେ ବି ଲୁଚିଲାନି କଳା କାରନାମା । ଗଗନ ବିହାରୀ ପତିଙ୍କ ବ୍ରହ୍ମପୁର ବାସଭବନ ସମେତ ପୈତୃକ ଘର, ଶ୍ୱଶୁର ଘର, ଗୁଣୁପୁର କାର୍ଯ୍ୟାଳୟ, ମୁନିଗୁଡ଼ା କ୍ୱାର୍ଟର ଆଦି ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ । ବଡ କଥା ହେଉଛି ପୂର୍ବରୁ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ଗଗନ ବିହାରୀ ପତି ୨୦୧୬ ମସିହାରେ ସ୍ଥାୟୀ ନିଯୁକ୍ତି ପାଇଥିଲେ । ଆଉ ମାତ୍ର ଦୁଇ ବର୍ଷରେ ପତି ବାବୁ କେବଳ ପତି ହୋଇ ରହି ନାହାଁନ୍ତି ବରଂ ପାଲଟି ଯାଇଛନ୍ତି କୋଟିପତି । ଗଗନଙ୍କ ସଂପତିର ତାଲିକା ଖୁବ୍ ଲମ୍ବା । ଘରେ ରହିଛି ଗୋଟିଏ ଆଇ-ଟ୍ୱେଂଟି କାର, ୨ଟି ବାଇକ୍, ସୁନା ଅଳଙ୍କାର, ବ୍ରହ୍ମପୁର ସହରରେ ୭ରୁ ୮ ଲକ୍ଷ ଟଙ୍କାର ୪ଟି ପ୍ଲଟ୍ ଏବଂ ଖୋଲା ହୋଇନଥିବା ବାପାଙ୍କ ଲକର । ଦୁଇ ବର୍ଷର ସ୍ଥାୟୀ ଚାକିରିରେ ବାବୁ ଜଣକ ଏତେ ରୋଜଗାର କରିଛନ୍ତି ଯେ, ୪ ପୀଢ଼ି ବସିକି ଖାଇଲେ ବି ସାରିପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।