ବରିଷ୍ଠ ଆଇଏଏସ ବିନୋଦ କୁମାରଙ୍କ ଘରେ ଭିଜିଲାନ୍ସ ଚଢାଉ : ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା, ଗତକାଲି ଓଆରଏଚଡିସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

35

କନକ ବ୍ୟୁରୋ : ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଓଆରଏଚଡିସି ଦୁର୍ନୀତି ମାମଲାରେ ଗତକାଲି ବିନୋଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ କୋର୍ଟ । ତେବେ ଶୁଣାଣୀ ବେଳେ ଉପସ୍ଥିତ ନଥିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ କୋର୍ଟ । ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ସଂଧ୍ୟାବେଳେ ବିନୋଦ କୁମାର ବାସଭବନରେ ରେଡ୍ କରିଛି ଭିଜିଲାନ୍ସ । ତେବେ ବିନୋଦ କୁମାର ଘରେ ନଥିବାରୁ ଫେରି ଆସିଛି ଭିଜିଲାନ୍ସ ଟିମ୍ ।

ବହୁ ଚର୍ଚ୍ଚିତ ଓଆରଏଚଡିସି ଅର୍ଥାତ୍ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍ ଡେଭେଲୋପମେଂଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ ପରେ ବରିଷ୍ଠ ଆଇଏଏସ ଅଫିସର ବିନୋଦ କୁମାରଙ୍କ ନାଁରେ ଜାରି ହୋଇଛି ନନ୍ ବେଲେବୁଲ୍ ୱାରେଂଟ । ଗତକାଲି ଶୁଣାଣୀ ବେଳେ ଉପସ୍ଥିତ ନଥିଲେ ବିନୋଦ କୁମାର । ତାଙ୍କୁ ତୁରନ୍ତ ଗିରଫ କରିବାକୁ କମିସନରେଟ୍ ପୋଲିସ ଓ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୧୯୯୯ ମହାବାତ୍ୟା ପରେ ଓଡ଼ିଶାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ । ଏହି ଯୋଜନାରେ ନୋଡାଲ ଏଜେନ୍ସୀ ଭାବେ କାମ କରୁଥିଲା ହୁଡ଼କୋ । ହୁଡ଼କୋ ସହ ରାଜିନାମା କରିଥିଲା ଓଆରଏଚଡିସି  । ତେବେ ଏହି ନିର୍ମାଣ କାର୍ଯ୍ୟରେ ହୋଇଥିଲା ବ୍ୟାପକ ହେରଫେର ।

ରାଜିନାମାର ସର୍ତ୍ତ ଖିଲାଫ କରି ଗ୍ରାମ୍ୟ ବିକାଶ ମଂଚ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା । ବାଲିପାଟଣା ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଏହି ଅନୁଷ୍ଠାନ ୨୧ ଲକ୍ଷ ଟଙ୍କା ଋଣ ନେଇଥିଲା । ହେଲେ ନା ତିଆରି କରିଥିଲା ଆଶ୍ରୟସ୍ଥଳୀ ନା ଶୁଝିଥିଲା ଟଙ୍କା । ଏହି ଟଙ୍କାର ସୁଧ ବଢ଼ି ଏବେ ପହଁଚିଛି ୫୫ ଲକ୍ଷ ଟଙ୍କାରେ । ୨୦୦୭ରେ ଏ ନେଇ ମାମଲା ରୁଜୁ କରି ୬ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ । ୨୦୧୧ରେ ଓଆରଏଚଡିସିର ତତ୍କାଳୀନ ଏମଡି ବିନୋଦ କୁମାରକୁ ଗିରଫ କରିଥିଲା ଭିଜିଲାନ୍ସ । ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ମଧ୍ୟ ନିଲମ୍ବନ କରିଥିଲେ ରାଜ୍ୟ ସରକାର । ମାମଲା ବିଚାର କରି ବିନୋଦ କୁମାରଙ୍କ ସମେତ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭିଜିଲାନ୍ସ କୋର୍ଟ ।