ସରକାରୀ ବାବୁଙ୍କ ସୁନା କୁଲା ! ଭିଜିଲାନ୍ସ ଜାଲରେ ସୋରର ଯୋଗାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ

138

କନକ ବ୍ୟୁରୋ : ସୋରରେ ସରକାରୀ ବାବୁଙ୍କ ସୁନା କୁଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଭିଜିଲାନ୍ସ ଚଢାଉବେଳେ ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀଙ୍କ ଘରୁ ଜବତ ହୋଇଛି ସାଧାରଣ କୁଲା ଆକାରର ସୁନା କୁଲା । ଏଥିସହ କୋଟିଏରୁ ଅଧିକ ସୁନା ଗହଣା ଓ ନଗଦ ଟଙ୍କା ଏବଂ ବ୍ୟାଙ୍କ ଜମାକୁ ଜବତ କରିଛି ଭିଜିଲାନ୍ସ ବିଭାଗ । ୪ଟି ଜାଗାରେ ଟଢାଉ ପରେ ବାବୁଙ୍କ ଆୟର ଉତ୍ସ୍ୱ ଖୋଜୁଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ।

ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଉପ ନିର୍ଦ୍ଦେଶକ ଥିବା ଏହି ଅଧିକାରୀ ଜଣକ ହେଉଛନ୍ତି ନରେନ୍ଦ୍ର କୁମାର ରାଉତ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ନରେନ୍ଦ୍ର ରାଉତଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ସୋର ଉଚ୍ଛରେଶ୍ୱର ଛକ ଆଇସ ଫ୍ୟାକ୍ଟ୍ରି ନିକଟରେ ଥିବା ତାଙ୍କ ବାସଭବନ ସମେତ ଖତ୍ପା ସାହିରେ ଥିବା ଶ୍ୱଶୂର ଘର, ଜଗନ୍ନାଥପୁର ପୈତୃକ ଘର ଓ ତାଙ୍କ ଭାଇଙ୍କ ବାସଭବନ ସହ ଭୁବନେଶ୍ୱରରେ ଥିବା ଏକ ଫ୍ଲାଟରେ ମଧ୍ୟ ଏକକାଳୀନ ଚଢାଉ ହୋଇଛି ।

ଜବତ ସଂପତିର ମୂଲ୍ୟ ପ୍ରାଥମିକ ଭାବେ କୋଟିଏରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଜବତ ଟଙ୍କା ଭିତରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବି ଅଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ସରକାରୀ ବାବୁଙ୍କ ସୁନା କୁଲାକୁ ନେଇ ।