କଂସେଇ ସାଜିଲେ କ୍ୟାନସର୍ ଡାକ୍ତର! ବଡ କମ୍ପାନୀର କମିଶନ୍ ଖାଇ ରୋଗୀଙ୍କ ସର୍ବସ୍ୱ ଲୁଟିଲେ

26

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଡାକ୍ତର ସୁରେନ୍ଦ୍ରନାଥ ସେନାପତି । କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରେ ରେଡିଏସନ ଅଙ୍କୋଲୋଜି ବିଭାଗ ମୁଖ୍ୟ । ତାଙ୍କ ପତ୍ନୀ ଡାକ୍ତର ଦୀପ୍ତିରାଣୀ ସାମନ୍ତ । ସେ ମଧ୍ୟ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରେ ମେଡିକାଲ ଅଙ୍କୋଲୋଜି ବିଭାଗ ପ୍ରଫେସର । ଏହି ଡାକ୍ତର ଦମ୍ପତିଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ବିଭାଗ । ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଦାମି ମେଡିସିନ ରେକମେଣ୍ଡ କରି ଗରିବ କ୍ୟାନସର ରୋଗୀଙ୍କୁ ଲୁଟୁଥିବା ନେଇ ଏମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅନୈତିକ ଉପାୟରେ କୋଟିକୋଟି ଟଙ୍କା ଉପାର୍ଜନ କରିଥିବାରୁ ଶେଷରେ ଏମାନଙ୍କୁ ଗିରଫ କରିନେଇଛି ଭିଜିଲାନ୍ସ ।

ଅଭିଯୋଗ

କିଛି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଔଷଧ କିଣିବା ଲାଗି ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନକୁ ବିଭ୍ରାନ୍ତିକର ସୁପାରିଶ କରି ଅନୈତିକ ଫାଇଦା ଉଠାଇଛନ୍ତି ଡାକ୍ତର ସୁରେନ୍ଦ୍ରନାଥ ସେନାପତି । ବଜାରରେ ନାମି ବ୍ରାଣ୍ଡର କ୍ୟାନସର ଔଷଧ ମିଳୁଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ନିମ୍ନମାନର ଔଷଧ କିଣିବା ଲାଗି ଗରିବ ରୋଗୀଙ୍କୁ ସୁପାରିଶ କରୁଥିଲେ ଡକ୍ତର ଦୀପ୍ତିରାଣୀ ସାମନ୍ତ । ଏହା ବାବଦରେ ସେହି ଔଷଧ କମ୍ପାନିଠାରୁ ପ୍ରଚୁର କମିଶନ ପାଉଥିଲେ ।

ଏନେଇ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିବା ପରେ ଅଗଷ୍ଟ ୯ ତାରିଖରେ ଡାକ୍ତର ଦମ୍ପତିଙ୍କ କଟକ ମଙ୍ଗଳାବାଗସ୍ଥିତ ମାଜେଷ୍ଟିକ ଟାୱାର ୩୦୧ ନମ୍ବର ଫ୍ଲାଟରେ ଚଢାଉ କରିଥିଲା ଭିଜିଲାନ୍ସ । ଏଥିସହ ଜେଏସବିଏଲ କେମିକାଲ୍ସ ଆଣ୍ଡ ଫାର୍ମାସିଉଟିକାଲ୍ସ, ନଳିନୀ ଏଂଟରପ୍ରାଇଜେସ, ନଳିନୀ ମେଡିକାଲ ଷ୍ଟୋର ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ନିର୍ଦେଶକଙ୍କ ଘରେ ଚଢାଉ କରିଥିଲା।

ଭିଜିଲାନ୍ସ ଚଢାଉବେଳେ ଡାକ୍ତର ଦମ୍ପତିଙ୍କ ଘରୁ ୧୪ ଲକ୍ଷ ଟଙ୍କା ନଗଦ କ୍ୟାସ, ୩୪ ଲକ୍ଷ ୫୧ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ, ୨୩ ଲକ୍ଷ ୫୯ ହଜାର ଟଙ୍କାର ଇନସୁରାନ୍ସ ପଲିସି ସହ ୪୩ ଲକ୍ଷ ୮୫ ହଜାର ଟଙ୍କାର ସୁନା ଓ ହୀରା ଗହଣା ଜବତ ହୋଇଥିଲା। ପ୍ରାୟ ସାଢେ ୩ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସଂପତି ଠାବ କରିଥିଲା ତଦନ୍ତକାରୀ ସଂସ୍ଥା।