୪ ବିଜେଡି ବିଧାୟକଙ୍କ ଲାଂଚ ମାଗିବା ଘଟଣାର ତଦନ୍ତ କରିବ ଭିଜିଲାନ୍ସ : ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ

34

କନକ ବ୍ୟୁରୋ : କନକ ନ୍ୟୁଜରେ ପ୍ରସାରିତ ଅପରେସନ୍ ବ୍ଲାକସ୍ପଟରେ ୪ ଜଣ ବିଧାୟକ ଲାଂଚ ମାଗିବା ଘଟଣାରେ ଭିଜିଲାନ୍ସ ତଦନ୍ତ ହେବ। ଟଙ୍କା ମୁଲଚାଲର ଦୃଶ୍ୟ କଏଦ୍ ହେବା ପରେ ସାରା ରାଜ୍ୟରେ ଏ ନେଇ ପ୍ରତିକ୍ରିୟା ଦେଖାଦେଇଥିଲା। ଏହାପରେ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କେଉଁ ପରିସ୍ଥିତିରେ ଓ କାହିଁକି ଲାଂଚ ମଗାଯାଇଥିଲା ସେ ନେଇ ତଦନ୍ତ କରିବ ଭିଜିଲାନ୍ସ।

କନକ ନ୍ୟୁଜରେ ଏହି ଭିଡିଓ ପ୍ରସାରିତ ହୋଇଥିଲା। ଯେଉଁଥିରେ ୪ ଜଣ ବିଧାୟକ ଟଙ୍କା ମାଗୁଥିବାର ଦୃଶ୍ୟ ରେକର୍ଡ ହୋଇଥିଲା। ତୃତୀୟ ପକ୍ଷର ଏହି ଭିଡିଓକୁ ପ୍ରସାରଣ କରିଥିଲା କନକ ନ୍ୟୁଜ । ଏହି ଭିଡିଓରେ କିଛି ବ୍ୟକ୍ତି ଶିଳ୍ପପତି ସାଜି ସ୍ଥାନୀୟ ବିଧାୟକଙ୍କ ସହ ତାଙ୍କ ଅଂଚଳରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏନ୍ଓସି ରେ ସହାୟତା କରିବାକୁ ଅନୁରୋଧ କରିଥିଲେ । ଆଉ ଏହି ସହାୟତା ପାଇଁ ଟଙ୍କାର ମୁଲଚାଲ୍ ହୋଇଥିଲା। ହିନ୍ଦୋଳ ବିଧାୟିକା ସୀମାରାଣି ନାୟକ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଂଜିଆ ବିଧାୟକ ବିଜୟ ନାୟକ, ଓ ଭବାନୀପାଟଣା ବିଧାୟକ ଅନାମ ନାୟକ ଏଥିରେ ଧରାପଡିଛନ୍ତି। ସବୁଠାରୁ ବଡ କଥା ହେଉଛି ଟଙ୍କା ମୁଲଚାଲ କରୁଥିବା ନେଇ ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି।

ସେପଟେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେପି କହିଛି ଅଭିଯୁକ୍ତ ବିଧାୟକଙ୍କୁ କ୍ଲିନଚିଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କଂଗ୍ରେସ କହିଛି ନିଜେ ତଦନ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ। ସେପଟେ ବିରୋଧୀଙ୍କ ମତ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି ଦଳକୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରୁଛନ୍ତି ବିରୋଧୀ।