ବ୍ଲକ ସ୍ତରରେ ପିସି କାରବାର ! ଟେଲିଫୋନ୍ ନମ୍ବର ଜାରି ପରେ ୪ ଦିନରେ ଆସିଛି ୩ ଶହ ଅଭିଯୋଗ

51

କନକ ବ୍ୟୁରୋ : ପିସି ନେଇ ଭିଜିଲାନ୍ସ ବିଭାଗ ୭ଟି ଟେଲିଫୋନ୍ ନମ୍ବର ଜାରି କରିବା ପରେ ୪ ଦିନରେ ଆସିଛି ୩୦୦ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ ବୈଠକ ପରେ ଏହା ସ୍ପଷ୍ଟ ହୋଇଛି । ଭିଜିଲାନ୍ସ ଡିଜି ଆର.ପି ଶର୍ମା କହିଛନ୍ତି, ୨୦ ତାରିଖରେ ରାଜ୍ୟରେ ୬ଟି ଡିଭିଜନରେ ୭ଟି ହେଲ୍ପଲାଇନ୍ ନମ୍ବର ଜାରି କରିଥିଲା ଭିଜିଲାନ୍ସ । ଏହା ପରେ ୩୦୦ ଅଭିଯୋଗ ଆସିଛି । ଏହାର ଅର୍ଥ ହେଉଛି ଦୁର୍ନୀତି ହଟାଇବା କ୍ଷେତ୍ରରେ ଲୋକେ ସହଯୋଗ କରୁଛନ୍ତି । ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ଦୁର୍ନୀତି ବିରୋଧରେ ଲୋକଙ୍କୁ ସଚେତନ କରାଯାଉଛି ।

ଭିଜିଲାନ୍ସ ୬ଟି ଡିଭିଜନ୍ ପାଇଁ ଜାରି କରିଥିବା ଟେଲିଫୋନ୍ ନମ୍ବର ଗୁଡିକ ହେଲା-
କଟକ- ୨୩୦୫୯୮୮/ ୨୩୦୫୬୮୨
ଭୁବନେଶ୍ୱର- ୨୩୯୭୭୪୮
ବ୍ରହ୍ମପୁର- ୨୨୮୨୩୦୦
ସମ୍ବଲପୁର- ୨୪୧୨୧୧୫
ବାଲେଶ୍ୱର- ୨୫୫୦୦୫
କୋରାପୁଟ- ୨୩୩୩୩୦

ଗୃହ ନିର୍ମାଣରେ ଲାଂଚ ସଂପର୍କରେ ଯେକେହି ବ୍ୟକ୍ତି ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନମ୍ବରଗୁଡ଼ିକୁ ଫୋନ୍ କରିପାରିବେ । ଅନ୍ୟପଟରେ ଭିଜିଲାନ୍ସ ବା ଅନ୍ୟ କାହାଠାରୁ ଏ ନେଇ ସହାୟତା ନପାଇଲେ ଅଭିଯୋଗକାରୀମାନେ ଟଙ୍କାରେ ଦସ୍ତଖତ କରି ଲାଂଚ କାରବାରକୁ ଧରନ୍ତୁ ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ।

ଏହା ପୂର୍ବରୁ ଗ୍ରାମାଂଚଳରେ ପିସି କାରବାର ରୋକିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ । କିଛି ଦୁର୍ନୀତିଖୋର ଅମଲା ଓ ନେତାଙ୍କ ଯୋଗୁଁ ସରକାରଙ୍କ ଛବି ଖରାପ ହେଉଛି ବୋଲି ସେ ଜିଲ୍ଲାପାଳମାନଙ୍କୁ ଲେଖିଥିଲେ । ବ୍ଲକ ଓ ପଂଚାୟତ ସ୍ତରରେ କିଭଳି ଖୋଲାଖୋଲି ପିସି କାରବାର ଚାଲିଛି ସେନେଇ କନକ ନ୍ୟୁଜ୍ କାମ୍ପେନ୍ କରିବା ସହ ସାରା ରାଜ୍ୟର ବିଭିନ୍ନ ଅଂଚଳରୁ ଖବର ପ୍ରସାରଣ କରିଥିଲା ।

ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ପିସି କାରବାର ରୋକିବା ପାଇଁ ଦରକାର ପଡ଼ିଲେ, ଟଙ୍କାରେ ଦସ୍ତଖତ କରି ଧରନ୍ତୁ ବୋଲି ଆହ୍ୱାନ ଦେବା କେତେ ଦୂର ଠିକ୍ ସେ ନେଇ ପ୍ରଶ୍ନ ଉଠିଛି । ଟଙ୍କାକୁ ସବୁବେଳେ ସଫା ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ସର୍ବସାଧାରଣଙ୍କୁ ସଚେତନ କରୁଛି । ଏଭଳି ସ୍ଥିତିରେ ମନ୍ତ୍ରୀଙ୍କ ବିବୃତିର କି ପ୍ରଭାବ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ ।