ପିସି ପାଇଁ ଫୋନ୍ ଲାଇନ୍ ! ରାଜ୍ୟରେ ୬ଟି ଡିଭିଜନରେ ହେଲ୍ପଲାଇନ୍ ନମ୍ବର ଜାରି କଲା ଭିଜିଲାନ୍ସ

69

କନକ ବ୍ୟୁରୋ : ବ୍ଲକରେ ବିଶେଷକରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପିସି ବା ପର୍ସେଂଟ୍ କାରବାର ନେଇ ରାଜ୍ୟବ୍ୟାପୀ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାର ସମସ୍ତ ୬ଟି ଡିଭିଜନରେ ଜାରି କରିଛି ସ୍ୱତନ୍ତ୍ର ଟେଲିଫୋନ୍ ନମ୍ବର । ଗତ ମାସକ ମଧ୍ୟରେ ଭିଜିଲାନ୍ସ ଏ ନେଇ ୩୭ ମାମଲା ରୁଜୁ କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଛି । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଡା. ଆର.ପି.ଶର୍ମା ।

ଭିଜିଲାନ୍ସ ୬ଟି ଡିଭିଜନ୍ ପାଇଁ ଜାରି କରିଥିବା ଟେଲିଫୋନ୍ ନମ୍ବର ଗୁଡିକ ହେଲା-
କଟକ- ୨୩୦୫୯୮୮/ ୨୩୦୫୬୮୨
ଭୁବନେଶ୍ୱର- ୨୩୯୭୭୪୮
ବ୍ରହ୍ମପୁର- ୨୨୮୨୩୦୦
ସମ୍ବଲପୁର- ୨୪୧୨୧୧୫
ବାଲେଶ୍ୱର- ୨୫୫୦୦୫
କୋରାପୁଟ- ୨୩୩୩୩୦

ଗୃହ ନିର୍ମାଣରେ ଲାଂଚ ସଂପର୍କରେ ଯେକେହି ବ୍ୟକ୍ତି ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନମ୍ବରଗୁଡ଼ିକୁ ଫୋନ୍ କରିପାରିବେ । ଅନ୍ୟପଟରେ ଭିଜିଲାନ୍ସ ବା ଅନ୍ୟ କାହାଠାରୁ ଏ ନେଇ ସହାୟତା ନପାଇଲେ ଅଭିଯୋଗକାରୀମାନେ ଟଙ୍କାରେ ଦସ୍ତଖତ କରି ଲାଂଚ କାରବାରକୁ ଧରନ୍ତୁ ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ।

ଏହା ପୂର୍ବରୁ ଗ୍ରାମାଂଚଳରେ ପିସି କାରବାର ରୋକିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ । କିଛି ଦୁର୍ନୀତିଖୋର ଅମଲା ଓ ନେତାଙ୍କ ଯୋଗୁଁ ସରକାରଙ୍କ ଛବି ଖରାପ ହେଉଛି ବୋଲି ସେ ଜିଲ୍ଲାପାଳମାନଙ୍କୁ ଲେଖିଥିଲେ । ବ୍ଲକ ଓ ପଂଚାୟତ ସ୍ତରରେ କିଭଳି ଖୋଲାଖୋଲି ପିସି କାରବାର ଚାଲିଛି ସେନେଇ କନକ ନ୍ୟୁଜ୍ କାମ୍ପେନ୍ କରିବା ସହ ସାରା ରାଜ୍ୟର ବିଭିନ୍ନ ଅଂଚଳରୁ ଖବର ପ୍ରସାରଣ କରିଥିଲା ।

ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ପିସି କାରବାର ରୋକିବା ପାଇଁ ଦରକାର ପଡ଼ିଲେ, ଟଙ୍କାରେ ଦସ୍ତଖତ କରି ଧରନ୍ତୁ ବୋଲି ଆହ୍ୱାନ ଦେବା କେତେ ଦୂର ଠିକ୍ ସେ ନେଇ ପ୍ରଶ୍ନ ଉଠିଛି । ଟଙ୍କାକୁ ସବୁବେଳେ ସଫା ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍ ସର୍ବସାଧାରଣଙ୍କୁ ସଚେତନ କରୁଛି । ଏଭଳି ସ୍ଥିତିରେ ମନ୍ତ୍ରୀଙ୍କ ବିବୃତିର କି ପ୍ରଭାବ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ ।