କନକ ବ୍ୟୁରୋ: ଦେଶରେ ଗତ ଜୁଲାଇରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) କାର୍ଯ୍ୟକାରୀ ହେଉଛି । ଏଥିରେ ୪ଟି ସ୍ଲାବ୍ ରହିଛି । ସେଗୁଡ଼ିକ ହେଲା ୫, ୧୨, ୧୮ ଏବଂ ୨୮ ପ୍ରତିଶତ । ଏଥିସହିତ ସୁନା ଉପରେ ଜିଏସଟି ହାର ୩ ପ୍ରତିଶତ ରହିଥିବାବେଳେ କେତେକ ଅତ୍ୟାବଶ୍ୟକ ସାମଗ୍ରୀକୁ ଜିଏସଟି ପରିସରରୁ ବାଦ୍ ଦିଆଯାଇଛି । ଏତଦବ୍ୟତୀତ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଉପରେ ସେସ୍ ବା ଉପକର ଆଦାୟ କରାଯାଉଛି । ଜିଏସଟିର ଏତେଗୁଡ଼ିଏ ସ୍ଲାବ୍ ରହିଥିବାରୁ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଏହି ସମାଲୋଚନା ପରେ ନିକଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସଟି ସ୍ଲାବକୁ କମାଇବା ସୁଯୋଗ ରହିଛି ବୋଲି ସଙ୍କେତ ମଧ୍ୟ ଦେଇଛନ୍ତି ।

ଜିଏସଟି ଲାଗୁ ହେବା ପୂର୍ବରୁ ସରକାରଙ୍କୁ ମିଳୁଥିବା ଟିକସ ରାଶି ଯଦି ଜିଏସଟିରେ ମିଳେ ତାହେଲେ ସ୍ଲାବ୍ କମାଇବା ସୁଯୋଗ ରହିଥିବା ସେ କହିଛନ୍ତି । ଜେଟଲିଙ୍କ ଏହି ଆଭାସ ପରେ ଜିଏସଟି ସ୍ଲାବକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି । ତେବେ ଜିଏସଟି ହାରରେ ପରିବର୍ତ୍ତନ କରିଲେ ସରକାର ତଳସ୍ତରରେ ଏବେ ରହିଥିବା ୫ ପ୍ରତିଶତ ଜିଏସଟି ହାରକୁ ୪ ପ୍ରତିଶତକୁ କମାଇପାରନ୍ତି । ସେହିଭଳି ମଧ୍ୟମ ସ୍ତରରେ ରହିଥିବା ୧୨ ଏବଂ ୧୮ ପ୍ରତିଶତ ଜିଏସଟି ହାରକୁ ମିଶାଇ ୧୬ ପ୍ରତିଶତର ଏକ ଜିଏସଟି ହାର ଧାର୍ଯ୍ୟ କରିପାରନ୍ତି ।

କିଛି ବର୍ଷ ପୂର୍ବେ ଏକ ବିଶେଷଜ୍ଞ କମିଟି ମଧ୍ୟ ୧୬ ପ୍ରତିଶତ ଜିଏସଟି ହାର ନେଇ ମତ ଦେଇଥିଲା । ଏତଦବ୍ୟତୀତ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମଧ୍ୟମାନ ଟିକସ ହାର ୧୬.୩୩ ପ୍ରତିଶତ ରହିବା ନେଇ ଉଲ୍ଲେଖ ରହିଛି । ତେଣୁ ସରକାର ମଧ୍ୟମ ଧରଣର ଜିଏସଟି ହାରକୁ ୧୬ ପ୍ରତିଶତରେ ରଖିବା ସମ୍ଭାବନା ରହିଛି । ସେହିଭଳି ପ୍ରତକ୍ଷ୍ୟ ଟିକସ କ୍ଷେତ୍ରରେ ସର୍ବୋଚ୍ଚ ଟିକସ ହାରକୁ ୨୫ ପ୍ରତିଶତକୁ କମାଇବାର ଯୋଜନା ରଖାଯାଇଥିବାରୁ ଜିଏସଟିରେ ମଧ୍ୟ ସର୍ବୋଚ୍ଚ ଟିକସ ହାର ୨୮ ପ୍ରତିଶତରୁ ୨୪ ପ୍ରତିଶତକୁ ଖସାଇବା ଯୁକ୍ତିଯୁକ୍ତ ମନେହୁଏ । ତେଣୁ ଆଗାମୀ ଦିନରେ ଯଦି ସରକାର ଏବଂ ଜିଏସଟି ପରିଷଦ ଜିଏସଟି ହାରରେ କୌଣସି ପରିବର୍ତ୍ତନ ଆଣନ୍ତି ତାହେଲେ ଏହାକୁ ୪ ପ୍ରତିଶତ, ୧୬ ପ୍ରତିଶତ ଏବଂ ୨୪ ପ୍ରତିଶତ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।