‘ସୁନ୍ଦରୀ’ ଭିଡ଼ିଓ ହେଲା ଜାରି : ଏନକ୍ଲୋଜର ଭିତରେ ଘୂରି ବୁଲୁଛି ବାଘୁଣୀ ସୁନ୍ଦରୀ

ବାଘୁଣୀ ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ ।

127

କନକ ବ୍ୟୁରୋ : ବାଘୁଣୀ ‘ସୁନ୍ଦରୀ’ ଅସୁସ୍ଥତାକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଆଜି ପୁଣି ମୁହଁ ଖୋଲିଛି ବନ ବିଭାଗ । କେବଳ ପାଟିରେ କହି ନାହିଁ, ବରଂ ଏନକ୍ଲୋଜରରେ ସୁନ୍ଦରୀ ଘୂରି ବୁଲୁଥିବାର ଭିଜୁଆଲ୍ ଜାରି କରି ଗଣମାଧ୍ୟମକୁ ଏହାର ପ୍ରମାଣ ଦେଇଛି। ଏ ବାବଦରେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ ଆଜି ସ୍ପଷ୍ଟ କରିଛନ୍ତି, ବାଘୁଣୀ ପୂରା ସୁସ୍ଥ ଅଛି। କିଛି ଗଣମାଧ୍ୟମରେ ସୁନ୍ଦରୀ ଅସୁସ୍ଥ ବୋଲି ଖବର ପ୍ରକାଶ କରିଛନ୍ତି। ଯାହା ପୂରା ବିଭ୍ରାନ୍ତିକର।

ଏନଟିସିଏ କର୍ତୃପକ୍ଷ ଦୁଇ ଦିନ କାଳ ବାଘୁଣୀର ଚାଲିଚଳନକୁ ଅନୁଧ୍ୟାନ କରି ଫେରିଛନ୍ତି। ଆଜି ନିଜେ ଯାଇ ଏନକ୍ଲୋଜରରେ ସୁନ୍ଦରୀକୁ ଦେଖି ଆସିଛନ୍ତି ବୋଲି ଡ. ପଣ୍ଡା କହିଛନ୍ତି। ବାଘୁଣୀ ସ୍ୱାଭାବିକ ବିଚରଣ କରୁଛି। ଶିକାର କରୁଛି ଓ ଦୌଡ଼ୁଛି। ତେଣୁ ସୁନ୍ଦରୀ ଅସୁସ୍ଥତା ବୋଲି ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ବିଭ୍ରାନ୍ତି ନକରିବାକୁ ଡ. ପଣ୍ଡା ଅନୁରୋଧ କରିଛନ୍ତି। ସେହିପରି ସୁନ୍ଦରୀ ସାତକୋଶିଆରୁ ସ୍ଥାନାନ୍ତର ପାଇଁ ଏଯାବତ୍ କୌଣସି ପ୍ରସ୍ତାବ ନାହିଁ। କେନ୍ଦ୍ର ସରକାର, ଏନଟିସିଏ, ଓଡ଼ିଶା ସରକାର ବାଘୁଣୀ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଡ. ପଣ୍ଡା କହିଛନ୍ତି।