ସଭ୍ୟ ସମାଜରେ ଅସଭ୍ୟ ଆଚରଣ ! ଶାଶୁ ମା’ଙ୍କୁ ଘୋସାରି ଘୋସାରି ମାଡ଼ ମାରିଲା ବୋହୂ

58

କନକ ବ୍ୟୁରୋ : ଶାଶୁ ଘରେ ଝିଅର ମର୍ଯ୍ୟାଦା ପାଇବା ପାଇଁ ଆଶା ରଖୁଥିବା ବୋହୂମାନେ ଏବଂ ବୋହୂଙ୍କୁ ଝିଅ ଭଳି ରଖିବାର ପ୍ରତିଶ୍ରୁତି ଦେଉଥିବା ଶାଶୁଘର ଲୋକଙ୍କ ପାଇଁ ବରଗଡ଼ରୁ ଆସିଛି ଏକ ବଡ ବାର୍ତ୍ତା । ବରଗଡ଼ ଜିଲ୍ଲା ଗାଏସିଲଟ୍ ଗାଁରୁ ଏଭଳି ଏକ ଚିତ୍ର ଆସିଛି ଯାହା ଆମ ସଭ୍ୟ ସମାଜକୁ ପୁରା ଦୋହଲାଇ ଦେବ । ନିଜ ଶାଶୁ ମା’ଙ୍କୁ ଘୋସାରି ଘୋସାରି ମାଡ଼ ମାରୁଛି ବୋହୂ । କୌଣସି ଘରୋଇ କଳିକୁ କେନ୍ଦ୍ରକରି ଗାଁ ଦାଣ୍ଡରେ ଟାଣି ଟାଣି ମାରିବା ସହ ଘରୁ ବାହାର କରିଦେବାର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି ।

ଛାଡି ଦେବା ପାଇଁ ଯେତେ ଚିତ୍କାର କଲେ ବି ନିର୍ଦ୍ଦୟୀ ବୋହୂ କାନରେ ପଡୁନି ଶାଶୁର ବେଦନା । ହାତକୁ ଟାଣି ଟାଣି ନେଲା ବେଳେ ଶାଶୁ ଛାଟିପିଟି ହୋଇ ବୋହୂ କବଳରୁ ଛାଡ ପାଇବା ପାଇଁ ଉଦ୍ୟମ କରିଥିଲେ, ହେଲେ ହାତ ଛାଡ଼ି ଗୋଡକୁ ପଶୁ ଭଳି ଘୋଷାରି ଘୋଷାରି ଟାଣି ନେଉଛି ବୋହୁ । ଯେଉଁ ବୋହୂକୁ ବୃଦ୍ଧକାଳରେ ତୋରାଣି ଟିକିଏ ଦେବ ବୋଲି ଆଣିଥିଲେ ମହିଳା, ସେହି ବୃଦ୍ଧକାଳରେ ସହିବାକୁ ପଡୁଛି ନର୍କ ଯନ୍ତ୍ରଣା । ସୋସିଆଲ ମିଡ଼ିଆରେ ବରଗଡ଼ ଜିଲ୍ଲାର ଉକ୍ତ ଭିଡ଼ିଓ ଏବେ ଘୁରି ବୁଲୁଛି । ଆଉ ସବୁଠାରୁ ବଡ କଥା ହେଲା ଏହି ଅମାନୁଷିକ ଦୃଶ୍ୟ ଆଖି ସାମ୍ନାରେ ଘଟୁଥିଲେ ବି ସମସ୍ତେ ଦେଖଣାହାରୀ ପାଲଟିଛନ୍ତି ସିନା, କେହି ମୁହଁ ଖୋଲି ନାହାଁନ୍ତି । କାରଣ ଯାହା ବି ହୋଇଥାଉ, ଜଣେ ବୃଦ୍ଧ ମହିଳାଙ୍କୁ ଆଖି ସାମ୍ନାରେ ନିର୍ଯାତନା ଦିଆଯାଉଛି ହେଲେ କେହି ପାଟି ଫିଟାଉ ନାହାଁନ୍ତି ।