ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ଚର୍ଚ୍ଚା ! ଗଣିତ ଠାରୁ ୩୧ଟି ଅଧିକ ଭୋଟ୍ ପାଇଲେ ଭେଙ୍କେୟା ନାଇଡୁ

32

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ୍ ଭୋଟିଂ ଆଶଙ୍କା । ଆଶଙ୍କାର କାରଣ ହେଉଛି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମିଳିଥିଲା ୫୨୨ ଜଣ ସଂସଦଙ୍କ ସମର୍ଥନ । କୋବିନ୍ଦଙ୍କୁ ସମର୍ଥନ ଦେଇଥିଲେ ବିଜେଡି ଓ ଜେଡିୟୁ । ହେଲେ ଏହି ଦୁଇ ଆଂଚଳିକ ଦଳ ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲେ । ଏହା ସତ୍ୱେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କେୟା  ନାଇଡୁଙ୍କୁ ମିଳିଛି ୫୧୬ ସାଂସଦଙ୍କ ସମର୍ଥନ । ହିସାବ ଅନୁସାରେ ବିଜେଡି ଓ ଜେଡିୟୁଙ୍କୁ ବାଦ ଦେଲେ ଭେଙ୍କେୟାଙ୍କୁ ୪୮୫ ସାଂସଦଙ୍କ ସମର୍ଥନ ମିଳିବା କଥା । ତେଣୁ ୩୧ ଜଣ କ୍ରସ୍ ଭୋଟିଂ କରିଥିବା ଆଶଙ୍କା କରାଯାଉଛି ।

ସେପଟେ କିଛି କଂଗ୍ରେସ ସାଂସଦ କ୍ରସ୍ ଭୋଟିଂ କରିଥିବା ଆଶଙ୍କା ମଧ୍ୟ ରହିଛି । ହାଇକମାଣ୍ଡଙ୍କ ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇନାହାନ୍ତି ତ କଂଗ୍ରେସ ସାଂସଦ । ଏପରି ସଂଦେହକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏବେ ବଡ଼ ପ୍ରଶ୍ନ ହେଉଛି କିଏ କରିଛି କ୍ରସ୍ ଭୋଟିଂ? ବିଜେଡି ସାଂସଦ କ୍ରସ୍ ଭୋଟିଂ କରିଛନ୍ତି କି? ଯେହେତୁ ଏହି ନିର୍ବାଚନ ସିକ୍ରେଟ୍ ବାଲଟ ଜରିଆରେ ହୋଇଥାଏ । କିଏ କାହାକୁ ଭୋଟ ଦେଇଛି ଜାଣିବା ମୁସ୍କିଲ । ତେବେ ଦଳ ମଧ୍ୟରେ ଏ ନେଇ ଖୋଳତାଡ ଆରମ୍ଭ ହେଉଥିବା ସୂଚନା ମିଳିଛି ।

ଅନ୍ୟପଟେ ବିଜୟୀ ହେବା ପରେ ଭେଙ୍କେୟା ନାଇଡୁଙ୍କ ବାସଭବନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଭେଙ୍କୟା ନାଇଡୁଙ୍କୁ ଉତରିୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ନାଇଡୁ ବିଜୟୀ ହେବା ପରେ ପ୍ରତିକ୍ରିୟା ରଖି ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜାଣନ୍ତୁ ଭେଙ୍କେୟା ନାଇଡୁଙ୍କ ବିଷୟରେ : 

୬୮ ବର୍ଷୀୟ ଭେଙ୍କେୟା ନାଇଡୁ ଜୁଲାଇ ୧, ୧୯୪୯ରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ଅର୍ଥାତ୍ ୧୯୬୩ରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ୍) ସହ ଯୋଡି ହୋଇଥିଲେ ଭେଙ୍କେୟା । କବାଡି ଖେଳ ପ୍ରତି ଥିବା ଆଗ୍ରହ କାରଣରୁ ଏଭଳି ନିଷ୍ପତ୍ତି ସେ ନେଇଥିଲା । ଆଉ ସମୟ ବଦଳିବା ସହ ତାଙ୍କର ରାଜନୀତି ପ୍ରତି ଆଗ୍ରହ ମଧ୍ୟ ବଢିବାକୁ ଲାଗିଥିଲା ।

୧୯୬୭ରେ ଅଟଳ ବିହାରୀ ବାଜପେୟୀଙ୍କ ସହ ଭେଙ୍କେୟାଙ୍କ ପ୍ରଥମ ଥର ସାକ୍ଷାତ୍ ହୋଇଥିଲା । ବାଜପେୟୀ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ କାର୍ଯ୍ୟକ୍ରମରେ ଉଦବୋଧନର ଦାୟିତ୍ୱ ଭେଙ୍କେୟାଙ୍କୁ ଦିଆଯାଇଥିଲା । ଯୁବାବସ୍ଥାରେ ଭେଙ୍କେୟା ଜୟପ୍ରକାଶଙ୍କ ଆନ୍ଦୋଳନ ସଂସ୍ପର୍ଶରେ ଆସିଥିଲେ ଏବଂ ଏହା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ ।

ଦଳର ମହାସଚିବ ଭାବେ କାର୍ଯ୍ୟ ତୁଲାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଙ୍କେୟାଙ୍କ ପ୍ରଥମ ସାକ୍ଷାତ୍ ହୋଇଥିଲା । ସେତେବେଳେ ମୋଦି ମଧ୍ୟ ମହାସଚିବ ଦାୟିତ୍ୱ ତୁଲାଉଥିଲେ । ମୋଦି ଗୁଜୁରାଟରେ ରହିଥିବାବେଳେ ଭେଙ୍କେୟା ଥିଲେ କେନ୍ଦ୍ରରେ । ବାଜପେୟୀ , ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ଭେଙ୍କେୟା, ନିଜକୁ ଆଡଭାନୀଙ୍କର ଶିଷ୍ୟ ଭାବେ ମାନିନେଇଥିଲେ ।

ଆନ୍ଧ୍ରପ୍ରେଦେଶର ନେଲ୍ଲୋର ଜିଲ୍ଲାରେ ଜନ୍ମିତ ଭେଙ୍କେୟା ନାଇଡୁ, ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ତାଙ୍କ ପ୍ରବେଶ ଜାତୀୟ ରାଜନୀତିରେ ହୁଏ । ଯାହା ସଂପର୍କରେ ଖୋଦ୍ ଭେଙ୍କେୟା ନାଇଡୁ ସ୍ୱୀକାର କରି କହିଛନ୍ତି କି, ଆଡଭାନୀଙ୍କ ଅଧ୍ୟକ୍ଷତା ସମୟରେ ତାଙ୍କୁ ମହାସଚିବ ପଦର ଦାୟିତ୍ୱ ମିଳିଥିଲା ଆଉ ସଂଗଠନ ତିଆରି କରିବାର କଳା ସେ ଆଡଭାନୀଙ୍କଠାରୁ ହିଁ ଶିଖିଛନ୍ତି ।

ଦଳ ଓ ସରକାରର ମହତ୍ୱପୂର୍ଣ୍ଣ ପଦରେ ଥିଲେ ଭେଙ୍କେୟା : 
ଭେଙ୍କେୟା ନାଇଡୁ ୧୯୭୮ରେ ୨୯ ବର୍ଷ ବୟସରେ ପ୍ରଥମ ଥର ପାଇଁ ଉଦୟଗିରିରୁ ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି । ଭେଙ୍କେୟା ନାଇଡୁ ଆନ୍ଧ୍ରପ୍ରଦେଶ ଭାଜପାର ଅଧ୍ୟକ୍ଷ ମଧ୍ୟ ହୁଅନ୍ତି । ସେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗ୍ରାମୀଣ ବିକାଶ ମନ୍ତ୍ରୀର ଦାୟିତ୍ୱଭାର ସମ୍ଭାଳି ଥିଲେ ।

ଖାଲି ସେତିକି ନୁହେଁ ଭେଙ୍କେୟାଙ୍କୁ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ମଧ୍ୟ ଚୟନ କରାଯାଇଥିଲା । କିନ୍ତୁ ସାଧାରଣ ନିର୍ବାଚନରେ ହାରିବା ପରେ ନାଇଡୁ ଇସ୍ତଫା ଦେଇଥିଲେ । ମୋଦି ସରକାରରେ ଭେଙ୍କେୟା ନାଇଡୁ ଗ୍ରାମୀଣ ବିକାଶ, ସୂଚନା ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ।

ଭେଙ୍କେୟାଙ୍କ ରାଜନୈତିକ ଯାତ୍ରା : 

• ୨୯ ବର୍ଷ ବୟସରେ ୧୯୭୮ରେ ପ୍ରଥମ ଥର ପାଇଁ ବିଧାୟକ ରୂପେ ନିର୍ବାଚିତ ହୁଅନ୍ତି

• ୧୯୮୮ ରୁ ୧୯୯୩ ମଧ୍ୟରେ ଆନ୍ଧ୍ରପ୍ରଦେଶ ଭାଜପାର ଅଧ୍ୟକ୍ଷ ରହିଥିଲେ

• ୧୯୯୩ ରୁ ୨୦୦୦ ପର୍ଯ୍ୟନ୍ତ ଭାଜପାର ରାଷ୍ଟ୍ରୀୟ ମହାସଚିବ ଭାର ସମ୍ଭାଳନ୍ତି

• ୧୯୯୬-୨୦୦୦ ପର୍ଯ୍ୟନ୍ତ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ହୋଇଥିଲେ

• ୧୯୯୯ରେ ବାଜପେୟୀ ସରକାରରେ ଗ୍ରାମୀଣ ବିକାଶ ମନ୍ତ୍ରୀ ହୁଅନ୍ତି

• ୨୦୦୨ରେ ପ୍ରଥମ ଥର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନିତ ହୁଅନ୍ତି

• ୨୦୦୪ରେ ପୁଣି ଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନ୍ନିତ ହୁଅନ୍ତି, କିନ୍ତୁ ସେହି ବର୍ଷ ବିଜେପି ନିର୍ବାଚନରେ ହାରିବା ପରେ ଇସ୍ତଫା ଦିଅନ୍ତି

• ୨୦୧୪, ମେ ମାସରୁ ମୋଦି ସରକାରରେ ଗ୍ରାମୀଣ ବିକାଶ, ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ହୁଅନ୍ତି

ନଜର ପକାନ୍ତୁ ମୋଦି ଏବଂ ଶାହା କାହିଁକି ବାଛିଲେ ଭେଙ୍କେୟା ନାଇଡୁଙ୍କୁ :

• ଦକ୍ଷିଣ ଭାରତୀୟ : ଭେଙ୍କେୟାଙ୍କୁ ପ୍ରାର୍ଥୀ କରି ଦକ୍ଷିଣ କାର୍ଡ ଖେଳିଛି ବିଜେପି । ଉତ୍ତର ଭାରତରୁ ଜଣକୁ ରାଷ୍ଟ୍ରପତି କରାଯାଇଥିବା ବେଳେ ଦକ୍ଷିଣରୁ ଜଣକୁ ଉପରାଷ୍ଟ୍ରପତି କରାଯାଇଛି । ଏହାଦ୍ୱାରା ଦକ୍ଷିଣରେ ଜନାଧାର ବଢାଇବା ଲକ୍ଷ୍ୟରେ ରହିଛି ବିଜେପି ।

• ରାଜ୍ୟସଭାର ଲମ୍ବା ଅନୁଭବ : ଭେଙ୍କେୟା ୪ ଥର ରାଜ୍ୟସଭା ସାଂସଦ ହୋଇ ସାରିଛନ୍ତି । ସେ କର୍ଣ୍ଣାଟକରୁ ୩ ଥରକୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ଥରଟିଏ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଉପର ସଦନରେ ଲମ୍ବା ଅନୁଭବୀ ହେଉଛନ୍ତି ଭେଙ୍କେୟା । ୧୯୯୮ରେ ଭେଙ୍କେୟା ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ୨୦୦୪ ଏବଂ ତୃତୀୟ ଥର ୨୦୧୦ରେ ରାଜ୍ୟସଭା ସଦନ ପହଂଚିଥିଲେ ଭେଙ୍କେୟା । ଏହା ପରେ ଚତୁର୍ଥ ଥର ୨୦୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଭେଙ୍କେୟା ନାଇଡୁ । ତେଣୁ ଭେଙ୍କେୟାଙ୍କ ଏହି ଲମ୍ବା ଅଭିଜ୍ଞତା ତାଙ୍କୁ ଉପରାଷ୍ଟ୍ରପତି ପଦରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

 ସାଧାରଣ ବ୍ୟକ୍ତିତ୍ୱ ଭେଙ୍କେୟା : ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାର ଏକ କୃଷକ ପରିବାରରୁ ଆସିଛନ୍ତି ଭେଙ୍କେୟା ନାଇଡୁ । ଭେଙ୍କେୟା ୧୯୭୫ରୁ ୧୯୭୭ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ ବି ଯାଇଛନ୍ତି । ତାଙ୍କ ସାଧାରଣ ବ୍ୟକ୍ତିତ୍ୱ ଓ ସବୁଦଳ ପାଖରେ ତାଙ୍କର ଗ୍ରହଣୀୟତା ଆଗାମୀ ଦିନରେ ସଦନ ଚଲାଇବାରେ ବିଜେପି ପାଇଁ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟସଭାରେ ପାର୍ଟି ପାଇଁ ଲାଭ ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ । ଜଣେ ନମ୍ର ଏବଂ ବୁଦ୍ଧିମାନ୍ ନେତାର ଭାବରେ ନାଇଡୁଙ୍କ ଛବି ରହିଛି । ଜଣେ ଫାୟାର୍ ଫାଇଟର୍ ନେତା ହେଉଛନ୍ତି ଭେଙ୍କେୟା ନାଇଡୁ ।

ଯେବେ ଲୋକସଭାରେ ଗୀତ ଗାଇଥିଲେ ଭେଙ୍କେୟା
ଭେଙ୍କେୟାଙ୍କ ରାଜନୈତିକ ଜୀବନ ବାବଦରେ ତ ଜାଣିଲେ, ଏବେ ସଂସଦରେ ତାଙ୍କର କିଛି ଅଭୁଲା ସ୍ମୃତି ଉପରେ ନଜର ପକାନ୍ତୁ । ବିଜେପିକୁ ବଡ ବଡ ବିପତ୍ତି ତଥା ବିରୋଧୀଙ୍କ ଆକ୍ରମଣରୁ ବଂଚାଇ ରଖିବା ପାଇଁ ସର୍ବଦା ରକ୍ଷା କବଚ ଭଳି ଠିଆ ହୋଇଥିବା ଏହି ୬୮ ବର୍ଷୀୟ ନେତାଙ୍କୁ ଥରେ ଲୋକସଭାରେ ‘ଗୀତ ଗାଇ’ ବିରୋଧୀଙ୍କୁ ଶାନ୍ତ କରିବାକୁ ପଡିଥିଲା ।

ମାମଲାଟି ଥିଲା କିଛି ଏଭଳି
• କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ, ଲୋକସଭାରେ କୌଣସି ଏକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଥାଏ । ଯେଉଁଥିରେ ବିରୋଧୀମାନେ ଲଗାତର ଭାବେ ହଟ୍ଟଗୋଳ କରି ଗୃହକୁ ଚଳାଇ ଦେଉନଥିଲେ । ଏଥିରେ ଭେଙ୍କେୟା ନାଇଡୁ ଉତକ୍ଷିପ୍ତ ହୋଇ ପଡିଥିଲେ । ସେ ନିଜ ସିଟରୁ ହଠାତ୍ ଠିଆ ହୋଇ ପଡିଥିଲେ ଏବଂ ବିରୋଧୀ ନେତା ମଲ୍ଲିକାର୍ଜୁନ ଖାଡଗେଙ୍କୁ କରିଥିଲେ ଟାର୍ଗେଟ । ନାଇଡୁ କହିଥିଲେ, ‘ଆପଣଙ୍କ ସଂଖ୍ୟା କେତେ ରହିଛି ଯେ ଯେଉଁଥି ପାଇଁ ଆପଣ କେବଳ ଆପଣଙ୍କର କଥା କହିବାକୁ ଚାହୁଁଛନ୍ତି , ବୋଧହୁଏ ଆପଣମାନେ ପିଲାଦିନର ଏକ ଘଟଣାରୁ କିଛି ଶିଖି ପାରିନାହାଁନ୍ତି । ଆମେ ଗ୍ରାମାଫୋନରେ ଶୁଣୁଥିଲୁ, ଯେତେବେଳେ ତାର ପିନ୍ ଅଟକି ଯାଏ ତେବେ ତାହା କିଛି ଏଭଳି ଶୁଭିଥାଏ ଚନ୍ଦାମାମା . . .ଚନ୍ଦାମାମା . . , ଆପଣମାନେ ଠିକ୍ ସେହିପରି ହିଁ ଗୋଟିଏ କଥାରେ ଅଟକି ଯାଇଛନ୍ତି ଏବଂ ଗ୍ରାମାଫୋନ୍ ଭଳି ‘ଚନ୍ଦାମାମା’ କରୁଛନ୍ତି’ । ଆଉ ନାଇଡୁଙ୍କ ଏତିକି କଥାରେ ସଂପୂର୍ଣ୍ଣ ଗୃହରେ ହସ ଖେଳିଯାଇଥିଲା ଏବଂ କିଛି କ୍ଷଣ ପାଇଁ ଗୃହ ଶାନ୍ତ ପଡିଯାଇଥିଲା । ଯାହାଦ୍ୱାରା ଗୃହକାର୍ଯ୍ୟ ସୁରୁଖୁରରେ ଚାଲିଥିଲା ।