କେମିତି ହୋଇଥାଏ ଭାରତର ଉପରାଷ୍ଟ୍ରପତିଙ୍କ ନିର୍ବାଚନ ! ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା

136

ବର୍ତ୍ତମାନର ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେଉଛି । ତେଣୁ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି । ଅଗଷ୍ଟ ୫ ତାରିଖରେ ଉଭୟ ଭୋଟ୍ ଏବଂ ଫଳାଫଳ ଆସିବ । ହେଲେ ଏଯାଏଁ ଏନଡିଏ ଏବଂ ବିରୋଧୀ ଦଳ କେହି ବି ଉପରାଷ୍ଟ୍ରପତି ପଦ ପାଇଁ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ତେବେ ଭାରତରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ କିପରି ହୁଏ ଜାଣିବା ପୂର୍ବରୁ ପ୍ରଥମେ ନଜର ପକାନ୍ତୁ କଣ ଥାଏ ଉପରାଷ୍ଟ୍ରପତିଙ୍କ ଦାୟିତ୍ୱ ।

ଉପରାଷ୍ଟ୍ରପତିଙ୍କ ଦାୟିତ୍ୱ : 

• ଉପରାଷ୍ଟ୍ରପତି ରାଜ୍ୟସଭାର ସଭାପତି ମଧ୍ୟ ହୋଇଥାନ୍ତି । ସମ୍ବିଧାନରେ ଉପରାଷ୍ଟ୍ରପତିଙ୍କୁ ମୁଖ୍ୟ ଦାୟିତ୍ୱ ଦିଆଯାଇଥାଏ ।

• ଯଦି କୌଣସି କାରଣରୁ ରାଷ୍ଟ୍ରପତିଙ୍କ ପଦ ଖାଲି ହୋଇଯାଏ ତେବେ ତାଙ୍କ ଦାୟିତ୍ୱ ଉପରାଷ୍ଟ୍ରପତିଙ୍କୁ ଗ୍ରହଣ କରିବାକୁ ପଡିଥାଏ । କାରଣ ରାଷ୍ଟ୍ରପ୍ରମୁଖଙ୍କ ପଦ ଖାଲି ରଖାଯାଇନଥାଏ ।

• ପଦକ୍ରମ ଅନୁସାରେ ଉପରାଷ୍ଟ୍ରପତିଙ୍କ ପଦ ରାଷ୍ଟ୍ରପତିଙ୍କଠାରୁ ତଳେ ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ଥାଏ । ତେଣୁ ଉପରାଷ୍ଟ୍ରପତି ବିଦେଶ ଗସ୍ତରେ ମଧ୍ୟ ଯାଇଥାନ୍ତି ଯାହା ଫଳରେ ଅନ୍ୟ ଦେଶ ମାନଙ୍କ ମଧ୍ୟରେ କୁଟନୈତିକ ସଂପର୍କ ସୁଦୃଢ ହୋଇପାରିବ ।

କେମିତି ହୋଇଥାଏ ନିର୍ବାଚନ :

• ଉପରାଷ୍ଟ୍ରପତି ନିର୍ବାଚନ ପରୋକ୍ଷଭାବେ ହୋଇଥାଏ । ଏହାର ନିର୍ବାଚନ ମଣ୍ଡଳୀରେ ଉଭୟ ରାଜ୍ୟସଭା ଏବଂ ଲୋକସଭାର ସାଂସଦ ସାମିଲ୍ ହୋଇଥାନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବଛା ହୋଇଥିବା ସାଂସଦଙ୍କ ସହ ବିଧାୟକ ବି ମତଦାନ କରିଥାନ୍ତି । କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଏବଂ ରାଜ୍ୟସଭାର ସାସଂଦ ମାନେ ହିଁ ଭୋଟ୍ ଦେଇପାରିବେ ।

• ତେବେ ଖାସ୍ କଥା ହେଉଛି ଉଭୟ ଗୃହ ପାଇଁ ମନୋନିତ ସାଂସଦ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇପାରିବେନି କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିପାରିବେ । ସେହି ଅନୁଯାୟୀ ଦେଖିବାକୁ ଗଲେ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଗୃହର ୭୯୦ ନିର୍ବାଚକ ଭାଗ ନେବେ ।
ରାଜ୍ୟସଭା :
ବଛା ଯାଇଥିବା ସଦସ୍ୟ : ୨୩୩, ମନୋନିତ ସଦସ୍ୟ : ୧୨
ଲୋକସଭା :
ବଛା ଯାଇଥିବା ସଦସ୍ୟ : ୫୪୩, ମନୋନିତ ସଦସ୍ୟ : ୨

• ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବାର ୬୦ ଦିନ ମଧ୍ୟରେ ନିର୍ବାଚନ କରିବା ଜରୁରୀ । ସେଥିପାଇଁ ନିର୍ବାଚନ ଆୟୋଗ ଏକ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଥାନ୍ତି ଯିଏ ମୁଖ୍ୟତଃ ଯେ କୌଣସି ଗୋଟିଏ ଗୃହର ସେକ୍ରେଟାରୀ ଜେନେରାଲ୍ ହୋଇଥାନ୍ତି ।

• ଏହି ନିର୍ବାଚନ ଅଧିକାରୀ ନିର୍ବାଚନକୁ ନେଇ ଏକ ପବ୍ଲିକ୍ ନୋଟ୍ ଜାରି କରିଥାନ୍ତି ଏବଂ ପ୍ରାର୍ଥୀଙ୍କଠାରୁ ନାମାଙ୍କନ ପତ୍ର ମଗାଇଥାନ୍ତି । ତେବେ ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ହେଲେ ପ୍ରାର୍ଥୀଙ୍କ ପାଖରେ ୨୦ ପ୍ରସ୍ତାବକ ଏବଂ ଅତିକମରେ ୨୦ ଅନ୍ୟ ଅନୁମୋଦକ ରହିବା ଦରକାର ।

• ଉଭୟ ପ୍ରସ୍ତାବକ ଏବଂ ଅନୁମୋଦକ ରାଜ୍ୟସଭା ଏବଂ ଲୋକସଭାର ସଦସ୍ୟ ହିଁ ହୋଇଥିବା ଆବଶ୍ୟକ । ଏହା ସହ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ୧୫ହଜାର ଟଙ୍କା ଜମା କରିବାକୁ ପଡିଥାଏ । ଏହା ବାଦ୍ ନିର୍ବାଚନ ଅଧିକାରୀ ନାମାଙ୍କନ ପତ୍ରର ଯାଂଚ୍ କରିବା ସହ ଯୋଗ୍ୟ ପ୍ରାର୍ଥୀଙ୍କ ନାଁ ବାଲାଟରେ ସାମିଲ୍ କରିଥାନ୍ତି ।

ଉପରାଷ୍ଟ୍ରପତିଙ୍କ ଯୋଗ୍ୟତା :

• ସର୍ବପ୍ରଥମେ ଉପରାଷ୍ଟ୍ରପତି ପଦ ପାଇଁ ଲଢୁଥିବା ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ।

• ବୟସ ୩୫ବର୍ଷରୁ କମ୍ ହୋଇ ନଥିବ ଏବଂ ପ୍ରାର୍ଥୀ ରାଜ୍ୟସଭା ପାଇଁ ନିର୍ବାଚିତ ହେବାପାଇଁ ସମସ୍ତ ଯୋଗ୍ୟତା ପୁରା କରୁଥିବା ଜରୁରୀ ।

• କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି କରୁଥିଲେ ପାର୍ଥୀ ଉପରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ନୁହଁନ୍ତି ।

• ସେହିପରି ସଂସଦର କୌଣସି ସଦସ୍ୟ କିମ୍ବା ରାଜ୍ୟ ବିଧାନମଣ୍ଡଳର କୌଣସି ସଦସ୍ୟ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହୁଅନ୍ତି ତେବେ ସେ ପୁରୁଣା ପଦ ଖାଲି କରିବା ଆବଶ୍ୟକ ।

ନିର୍ବାଚନର ପ୍ରକ୍ରିୟା :
ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଇଲେକ୍ସନ୍ ଅନୁପାତିକ ପ୍ରତିନିଧି ପଦ୍ଧତି ଦ୍ୱାରା କରାଯାଇଥାଏ । ଏଥିରେ ଭୋଟିଂ ଖାସ୍ ତରିକାରେ ହୋଇଥାଏ ଯାହାକୁ ସିଙ୍ଗଲ୍ ଟ୍ରାନ୍ସଫରେବଲ୍ ଭୋଟ୍ ସିଷ୍ଟମ୍ କୁହାଯାଏ । ଏଥିରେ ମତଦାତା ଭୋଟ୍ ତ ଗୋଟିଏ ହିଁ ଦେଇଥାନ୍ତି କିନ୍ତୁ ନିଜ ପସନ୍ଦ ଆଧାରରେ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଇଥାନ୍ତି । ଅର୍ଥାତ୍ ମତଦାତା ଯାହାକୁ ନିଜର ପ୍ରଥମ ପସନ୍ଦ ଭାବନ୍ତି ସେହି ପ୍ରାର୍ଥୀଙ୍କ ପାଖରେ ୧ ଲେଖୁଥିବା ବେଳେ ଦ୍ୱିତୀୟ ପସନ୍ଦ ପାଖରେ ୨ ଲେଖିଥାନ୍ତି  ।

କେମିତି ହୋଇଥାଏ ଗଣତି :

• ସବୁଠାରୁ ପ୍ରଥମେ ଦେଖାଯାଇଥାଏ ସମସ୍ତ ପ୍ରାର୍ଥୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ କେତେ ଭୋଟ୍ ମିଳିଛି । ପରେ ସମସ୍ତଙ୍କୁ ମିଳିଥିବା ପ୍ରଥମ ପ୍ରାଥମିକତା ଥିବା ଭୋଟକୁ ଏକାଠି କରାଯାଇଥାଏ । ପୁରା ସଂଖ୍ୟାକୁ ୨ଦ୍ୱାରା ଭାଗ କରାଯାଇ ଭାଗଫଳରେ ୧ ଯୋଡି ଦିଆଯାଏ । ଏବେ ଯେଉଁ ସଂଖ୍ୟା ମିଳେ ତାକୁ ସେହି କୋଟା ଧରାଯାଏ ଯାହା କୌଣସି ପ୍ରାର୍ଥୀଙ୍କୁ ଗଣତିରେ ରହିବା ପାଇଁ ଜରୁରୀ ।

• ଯଦି ପ୍ରଥମ ଗଣତିରେ ହିଁ କୌଣସି ପ୍ରାର୍ଥୀ ବିଜୟୀ ପାଇଁ ଜରୁରୀ କୋଟା ପାଖାପାଖି କିମ୍ବା ତାଠାରୁ ଅଧିକ ଭୋଟ୍ ହାସିଲ୍ କରିନିଏ ତେବେ ତାଙ୍କୁ ବିଜୟୀ ବୋଲି ଘୋଷଣା କରିଦିଆଯାଏ । ଯଦି ଏପରି ନହୁଏ ତେବେ ପ୍ରକ୍ରିୟାକୁ ଆଗକୁ ନିଆଯାଏ । ତେବେ ଯିଏ ସବୁଠାରୁ କମ୍ ଭୋଟ୍ ପାଇଥାଏ ତାଙ୍କୁ ନିର୍ବାଚନରୁ ବାହାର କରିଦିଆଯାଏ ।

• ଏହା ପରେ ଦେଖାଯାଏ ଯେ ଦ୍ୱିତୀୟ ପ୍ରାଥମିକତା କାହାକୁ ଦିଆଯାଇଛି । ତାପରେ ଦ୍ୱିତୀୟ ପ୍ରାଥମିକତା ଥିବା ଏହି ଭୋଟ୍ ଅନ୍ୟ ପ୍ରାର୍ଥୀଙ୍କ ଖାତାକୁ ଟ୍ରାନ୍ସଫର୍ କରିଦିଆଯାଏ । ତେବେ ଭୋଟ୍ ମିଶିବା ପରେ ଯଦି ପ୍ରାର୍ଥୀଙ୍କ ଭୋଟ୍ କୋଟା ବାଲା ସଂଖ୍ୟାର ପାଖାପାଖି କିମ୍ବା ତଠାରୁ ଅଧିକ ହୁଏ ତେବେ ଉକ୍ତ ପ୍ରାର୍ଥୀ ବିଜୟୀ ହୋଇଥାଏ ।

• ଯଦି ଦ୍ୱିତୀୟ ରାଉଣ୍ଡ ସୁଦ୍ଧା କୌଣସି ପ୍ରାର୍ଥୀ ବିଜୟୀ ନହୁଅନ୍ତି ତେବେ ଏହି ପ୍ରକ୍ରିୟା ଜାରି ରହେ । ଆଉ ସବୁଠାରୁ କମ୍ ଭୋଟ୍ ପାଇଥିବା ପ୍ରାର୍ଥୀଙ୍କୁ ନିର୍ବାଚନରୁ ବାହାର କରିଦିଆଯାଏ । ତେବେ ଏହି ପ୍ରକ୍ରିୟା ଜାରି ରହିଥାଏ ଆଉ ସବୁଠାରୁ କମ୍ ଭୋଟ୍ ପାଉଥିବା ପ୍ରାର୍ଥୀଙ୍କୁ ସେ ପର୍ଯ୍ୟନ୍ତ ବାହାର କରାଯାଏ ଯେପର୍ଯ୍ୟନ୍ତ କୌଣସି ଜଣେ ପ୍ରାର୍ଥୀଙ୍କୁ ମିଳୁଥିବା ଭୋଟର ସଂଖ୍ୟା କୋଟା ସଂଖ୍ୟା ସହ ସମାନ ନହୋଇଥାଏ ।

• ନିର୍ବାଚନ ସରିବା ପରେ ଭୋଟ୍ ଗଣତି ଆରମ୍ଭ ହୋଇଥାଏ ଏବଂ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିଥାଏ । ଏହାପରେ ରେଜଲ୍ଟକୁ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କ ବିଧି ଏବଂ ନ୍ୟାୟ ମନ୍ତ୍ରାଳୟ ନିକଟକୁ ପଠାଯାଏ । ଏହା ପରେ କେନ୍ଦ୍ର ସରକାର ନିଜ ଆଧିକାରିକ ଗ୍ୟାଜେଟ ଜରିଆରେ ନିର୍ବାଚିତ ହୋଇଥିବା ବ୍ୟକ୍ତିଙ୍କ ନାଁ ପ୍ରକାଶ କରିଥାନ୍ତି ।

• ପଦ ଗ୍ରହଣ କରିବା ପୂର୍ବରୁ ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତିଙ୍କ ସାମ୍ନାରେ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତିଙ୍କ ସାମ୍ନାରେ ଶପଥ ନେବାକୁ ପଡେ । ଯଦି ଉପରାଷ୍ଟ୍ରପତି ଇସ୍ତଫା ଦେବାକୁ ଚାହାଁନ୍ତିି ତେବେ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାକୁ ପଡେ । ଆଉ ରାଷ୍ଟ୍ରପତି ସ୍ୱୀକାର କରିବା ପରେ ହିଁ ଏହା ଫଳପ୍ରଦ ହୋଇଥାଏ ।