ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଭୋଟିଂ : ପ୍ରଧାନମନ୍ତ୍ରୀଙ୍କ ସମେତ ସାଂସଦଙ୍କ ମତଦାନ

30

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ଚାଲିଛି ମତଦାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦାନ କରିଛନ୍ତି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ । ନିର୍ବାଚନ ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଓ ବିରୋଧୀ ଦଳ ତରଫରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ । ଏନଡିଏ ନିଜ ପ୍ରାର୍ଥୀଙ୍କ ବିଜୟକୁ ନେଇ ନିଶ୍ଚିତ ରହିଛି ।

ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନକୁ ବିଚାର ଧାରାର ଲଢେଇ ଭାବେ ଗ୍ରହଣ କରିଛନ୍ତି ବିରୋଧୀ । ନିର୍ବାଚନ ବିଜୟ ପାଇଁ ୩୯୩ ଭୋଟର ଆବଶ୍ୟକ ଥିବା ବେଳେ ଭେଙ୍କେୟାଙ୍କୁ ୪୦୬ ସାଂସଦଙ୍କ ସମର୍ଥନ ମିଳିଛି । ତେଣୁ ଭେଙ୍କେୟା ଜିତିବା ନିଶ୍ଚିତ ବୋଲି ଧରାଯାଉଛି । ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ ।

ସେପଟେ ଆଜି ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ବି ପାର୍ଲାମେଂଟ ଆସିଥିଲେ । ୟୁପିଏ ସମୟରେ ତେନ୍ଦୁଲରକର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ସେ ଗୃହକୁ ନ ଆସିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି ।

ସେପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟଦେବାକୁ ଅଭିନେତ୍ରୀ ରେଖା ବି ଆସିଥିଲେ । ପାର୍ଲାମେଂଟରେ ତାଙ୍କୁ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ଭେଟିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ବାର୍ତାଳାପ ବି ହୋଇଥିଲା ।