ପଲଟିଗଲା ବିଜେଡି ! ଉପରାଷ୍ଟ୍ରପତି ନିର୍ବାଚନରେ ୟୁପିଏର ଗୋପାଳକୃଷ୍ଣଙ୍କୁ ସମର୍ଥନ ଘୋଷଣା କଲେ ନବୀନ

18

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିବା ବିଜେଡି, ୟୁପିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛି । ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବିରୋଧୀ ମେଂଟର ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଜଣାଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ନବୀନଙ୍କ ଏହି ନିଷ୍ପତ୍ତି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କୁହାଯାଉଛି ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଓ ଉପରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ରାଜନୈତିକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ନବୀନ ।

ରାଷ୍ଟ୍ରପତି ନିର୍ବାଚନ ଲାଗି ୟୁପିଏ ତାର ପ୍ରାର୍ଥୀ ଘୋଷଣା କରିବାର ବହୁପୂର୍ବରୁ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଘୋଷଣା କରିଥିଲେ ନବୀନ ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ନବୀନ ପୁଣି ଏନଡିଏର ପ୍ରାର୍ଥୀଙ୍କୁ ସମର୍ଥନ କରିପାରନ୍ତି କିମ୍ବା ୨୦୧୨ ପରି ଭୋଟଦାନରୁ ବିରତ ରହିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ଘୋଷଣା କଲେ ନବୀନ । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦମାନେ ଭୋଟ ଦେଉଥିବାରୁ ଏନଡିଏ ପ୍ରାର୍ଥୀଙ୍କ ବିଜୟ ପ୍ରାୟତଃ ନିଶ୍ଚିତ ।

କିନ୍ତୁ ରାଜନୀତିର ପଶାପାଲିରେ ନବୀନଙ୍କ ଏହି ଗୋଟି ଚାଳନା, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏକ ବାର୍ତ୍ତା ବୋଲି କୁହାଯାଉଛି । ସବୁଠାରୁ ବଡକଥା ହେଉଛି ରାଷ୍ଟ୍ରପତି ନିର୍ବାଚନ ସମୟରେ ଗୋଟିଏ ଆଭିମୁଖ୍ୟ ରଖିଥିବା ବିଜେଡି, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାହିଁକି ବଦଳାଇଲା ରଣନୀତି । ୧- ପୁଣି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜେପି ଆଡକୁ ଢଳୁଥିବା ନେଇ ବାର୍ତ୍ତା ଯାଇଥାନ୍ତା କି? ୨- ସିବିଆଇ ଭୟରେ ବିଜେପିକୁ ସମର୍ଥନ କରୁଛନ୍ତି ବୋଲି ବାର୍ତ୍ତା ଯିବ କି? ୩- ରାଜନୈତିକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି କି ନବୀନ? ୪- ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେଇ ସମର୍ଥନ ଘୋଷଣା କରିଛନ୍ତି କି?

ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହୁଥିବା ନବୀନଙ୍କ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସମ ମିତ୍ରତା ଫର୍ମୁଲା କଂଗ୍ରେସ କ୍ୟାମ୍ପକୁ ଚକିତ କରିଦେଇଛି । ସେପଟେ ବିଜେପି କ୍ୟାମ୍ପରେ ବି ଅସନ୍ତୋଷ । ପ୍ରାର୍ଥୀଙ୍କୁ ଦେଖି ସମର୍ଥନ ଜଣାଉଥିବା ନବୀନଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ବିଜେଡି ସିବିଆଇ ଭୟରେ ବିଜେପି ଆଡକୁ ଢଳୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ଠିକ ନୁହେଁ ବୋଲି ଦର୍ଶାଇବାକୁ ଚାହିଁଛନ୍ତି ନବୀନ । ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରି ସେ ଏକପ୍ରକାର କହିବାକୁ ଚାହିଁଛନ୍ତି ଯେ, ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିରେ ବିଜେଡି ଭୟଭୀତ ନୁହେଁ ।