ତିରୁପତିଙ୍କ ଦରବାରରେ ଭେଙ୍କେୟା ନାଇଡୁ ! ସପରିବାର ସହ ଭଗବାନଙ୍କୁ କଲେ ଦର୍ଶନ

26

କନକ ବ୍ୟୁରୋ: ତିରୁପତିଙ୍କ ଦରବାରରେ ନିର୍ବାଚିତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଉପରାଷ୍ଟ୍ରପତି ନିର୍ବାଚିତ ହେବାର ଦିନକ ପରେ ସପରିବାର ସହ ଯାଇ ଭଗବାନ ତିରୁପତିଙ୍କ ଦର୍ଶନ କରିଛନ୍ତି ଭେଙ୍କେୟା । ଠାକୁର ଦର୍ଶନ କରିବା ସହ ମନ୍ଦିର ବୁଲି ଦେଖିଛନ୍ତି ଭେଙ୍କେୟା ନାଇଡୁ ।

ସୂଚନା ମୁତାବକ, ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ୬୮ ବର୍ଷୀୟ ଭେଙ୍କେୟା ନାଇଡ଼ୁ । କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ଭେଙ୍କେୟା ୨୭୨ ଭୋଟରେ ପରାଜିତ କରିଥିଲେ । ଭେଙ୍କେୟାଙ୍କୁ ମୋଟ ୫୧୬ ଭୋଟ୍ ମିଳିଥିବା ବେଳେ ଗୋପାଳକୃଷ୍ଣଙ୍କୁ ମିଳିଥିଲା ୨୪୪ଟି ଭୋଟ୍ ।

ଶନିବାର ସଂସଦ ଭବନରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ୯୮.୨୧ ପ୍ରତିଶତ ମତଦାନ ହୋଇଥିଲା । ୭୮୫ ସଦସ୍ୟଙ୍କ ମଧ୍ୟରୁ ୭୭୧ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ତ୍ରିମଣ୍ଡଳ ସଦସ୍ୟଗଣ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଆସନ୍ତା ୧୧ ତାରିଖରେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଭେଙ୍କେୟା ନାଇଡୁ ।