ଚିରନିଦ୍ରାରେ ବର୍ଷିୟାନ କଣ୍ଠଶିଳ୍ପୀ ଚିତ୍ତ ଜେନା । ସ୍ୱର ଯାଦୁଗରଙ୍କୁ ଝୁରୁଛି ସାରା ଓଡିଶା 

183

କନକ ବ୍ୟୁରୋ : ଚିର ନିଦ୍ରାରେ ଚିତ ଜେନା । ବିଦାୟ ନେଲେ ଓଡିଆ ସଙ୍ଗୀତ ଜଗତର ସୁନାମଧନ୍ୟ ଗାୟକ ଚିତ ଜେନା  । କଟକର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଚିତ୍ତ ଜେନା ଓ ତାଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି  ।

ଆଉ ଶୁଭିବନି ତାଙ୍କ ଗଳାର ଯାଦୁଗରୀ  । ଆଉ ସେ କହିବେନି ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର । ଶୁଭିବନି ବି ରୂପ ହୋଇଥିବ ଲାବଣ୍ୟବତୀ, ଗୁଣରେ ଲାଜୁକୀ ମଉନାବତୀ  । କାରଣ ସିନେ ଗାୟନକୁ ନୂଆ ଦିଗ ଦେଇଥିବା ମହାନ ଗାୟକ ଚିତ୍ତ ଜେନା ଆଉ ଆମ ଗହଣରେ ନାହାନ୍ତି  । ଆଉ ତାଙ୍କ ପରଲୋକରେ ଏକପ୍ରକାର ନୀରବି ଯାଇଛି ଓଡ଼ିଆ ସିନେ ଜଗତ । ସୋମବାର ରାତିରେ କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୭୬ ବର୍ଷ ବୟସରେ ଚିତ ଜେନାଙ୍କର ଦେହାନ୍ତ ହୋଇଛି  ।

ଲୋକପ୍ରିୟ ଗାୟକ ଚିତ୍ତ ଜେନାଙ୍କ ବିଷୟରେ କିଛି :

– ସତୁରି, ଅଶୀ ଦଶକର ଲୋକପ୍ରିୟ ଗାୟକ ଚିତ୍ତ ଜେନା  ।

– ୧୯୪୧ ମସିହାରେ ଚିତ୍ତ ଜେନା ଜନ୍ମଗ୍ରହଣ କରିଥିଲେ  ।

– ୧୯୭୪ ମସିହା ଫିଲ୍ମ ‘ମନ ଆକାଶ’ ଜରିଆରେ ଓଲିଉଡକୁ ପ୍ରବେଶ  ।

– ଚିତ୍ତ ଜେନାଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ..

ରୂପ ହୋଇଥିବ ଲାବଣ୍ୟବତୀ, ପରବତ କୁଂଚି କୁଂଚିକା, ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର, କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର  ।

ବିଦାୟ ନେଇଛନ୍ତି ଓଡ଼ିଆ ସିନେ ଜଗତର ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ଚିତ ଜେନା  । ତେବେ ସେ ଆମ ଗହଣରେ ନଥାଇ ବି ଥିବେ ତାଙ୍କ ଶହ ଶହ ଗୀତ ଜରିଆରେ .. ତାଙ୍କ ସୁମଧୁର ଗାୟକିରେ  । ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ କିନ୍ତୁ କଳାକାର ତ ଚିରକାଳ ଜୀବନମୃତ୍ୟୁର ଚକ୍ରର ବହୁ ଉଦ୍ଧ୍ୱର୍ରେ  ।