ପରପାରିରେ ପାର୍ବତୀ ! ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ ଆଉ ନାହାନ୍ତି

152

କନକ ବ୍ୟୁରୋ: ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ ଆଉ ନାହାନ୍ତି । ଗତକାଲି ରାତି ସାଢେ ୧୨ଟାରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ରହୁଥିବା ପାର୍ବତୀ ଘୋଷ ଗତରାତିରେ ହଠାତ୍ ଅସୁସ୍ଥ ହୋଇପଡିବାରୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲକୁ ପହଂଚିବା ପୂର୍ବରୁ ତାଙ୍କର ପରଲୋକ ହୋଇସାରିଥିଲା । ଏହି ଦାରୁଣ ଦୁଃସମ୍ବାଦ ମିଳିବା ପରେ ତାଙ୍କ ଭାଇ ତଥା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ୱରୁପ ନାୟକ ଓ ବହୁ ସିନେ ବ୍ୟକ୍ତିତ୍ୱ ଡାକ୍ତରଖାନାରେ ପହଂଚିଥିଲେ । ଶ୍ରୀମତିଙ୍କ ପୁଅ ଝିଅ ଆମେରିକାରେ ରହୁଥିବାରୁ, ସେମାନେ ଆସିଲେ ଅନ୍ତିମ ସଂସ୍କାର ସଂପନ୍ନ ହେବ, ତେଣୁ ତାଙ୍କ ମରଶରୀରକୁ ଶବାଗାରରେ ରଖାଯାଇଛି । ପାର୍ବତୀ ଘୋଷଙ୍କ ବିୟୋଗରେ ବହୁ ସିନେ ବ୍ୟକ୍ତିତ୍ୱ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଉଲ୍ଲେଖଥାଉ କି, କଟକ ମାନସିଂହପାଟଣା ଅଞ୍ଚଳରେ ୧୯୩୩ ମାର୍ଚ୍ଚ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିବା ପାର୍ବତୀଙ୍କର ପିଲାଦିନର ନାମ ଥିଲା ଚପଳା ନାୟକ । ୧୯୫୦ ମସିହାରେ ପାର୍ବତୀ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ରାଜ୍ୟରେ ବେଶ୍ ସୁପରିଚିତ ହୋଇଥିଲେ । ଏହାପରେ ଆମରି ଗାଁ ଝିଅ, ଭାଇ ଭାଇ, ମା, ଲକ୍ଷ୍ମୀ, କା, ସ୍ତ୍ରୀ, ସଂସାର ଇତ୍ୟାଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁ ପାରିଥିଲେ । ଏହି ସମୟରେ ସେ ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା, ନିର୍ଦେଶକ, ପ୍ରଯୋଜକ ଗୌରପ୍ରସାଦ ଘୋଷଙ୍କୁ ବିବାହ କରିଥିଲେ । ତାଙ୍କ ନାମ ପାର୍ବତୀ ଘୋଷ ହୋଇଥିଲା । ଗୌର-ପାର୍ବତୀଙ୍କ ଯୋଡ଼ି ଓଡ଼ିଆ ସିନେଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା ।

ଲକ୍ଷ୍ମୀ, କା ଏବଂ ସ୍ତ୍ରୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୮୬ ମସିହାରେ ଫକୀରମୋହନଙ୍କ ଉପନ୍ୟାସ ଛମାଣ ଆଠଗୁଣ୍ଠ ଉପରେ ସିନେମା ନିର୍ମାଣ କରି ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ପାର୍ବତୀ । ତାଙ୍କୁ ଜୟଦେବ ପୁରସ୍କାର, ଫିଟ୍ ଫାଟ ବାଇସ୍କୋପ୍ ପୁରସ୍କାର ସମେତ ବହୁ ସମ୍ମାନ ମିଳିଥିଲା । ପାର୍ବତୀ ଘୋଷଙ୍କ ବିୟୋଗରେ ଓଡ଼ିଆ ସିନେଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ବହୁ ବିଶିଷ୍ଟ କଳାକାର ଓ ସିନେବ୍ୟକ୍ତିତ୍ୱ କହିଛନ୍ତି । ତାଙ୍କ ଭାଇ ସ୍ୱରୂପ ନାୟକ ଓ ପ୍ରଯୋଜକ ବାପୁ ଲେଙ୍କାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।