ପରପାରିରେ ଓଲିଉଡର ‘ବାପା’ ! ବିଶିଷ୍ଟ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ, ଚଳଚିତ୍ର ଜଗତରେ ଶୋକର ଛାୟା ।

53

କନକ ବ୍ୟୁରୋ : ଓଲିଉଡରେ ବାପା ଚରିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ହାଇଦ୍ରାବାଦରେ ତାଙ୍କ ଦେହାନ୍ତ ହୋଇଛି । ଦୀର୍ଘ ୪ ମାସ ହେଲା ସେ ଅସୁସ୍ଥ ଥିଲେ । ୨ ଥର ହୃଦଘାତର ଶିକାର ହୋଇଥିବା ଦେବୁ ବୋଷଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଆଜି ତାଙ୍କ ମୃତ୍ୟୁ ହୋଇଛି । ଦେବୁ ଦାଙ୍କ ଦେହାନ୍ତରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।

ଦେବୁ ବୋଷ, ସେଥିଲେ ଓଲିଉଡର ବାପା । ଚରିତ୍ର ଭୂମିକାର ଅନନ୍ୟ ପ୍ରତିଭା । ପରଦାରେ ତାଙ୍କର ଦରଦି ଡାଏଲଗ୍ କନ୍ଦାଉଥିଲା ଦର୍ଶକଙ୍କୁ । ଆଖିରୁ ଲୁହ ଝରିଆସୁଥିଲା । ଗମ୍ଭୀର ସ୍ୱରରେ କୋହଭରା କଥା, ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଉଥିଲା । ଓଡିଆ ଘରର ଚାଲି ଚଳଣି, ସଂସ୍କୃତି ଓ ସମ୍ପର୍କର ପରିଭାଷାକୁ ପରଦାରେ ସୁନ୍ଦର ଭାବେ ଦେଖାଇବାରେ ତାଙ୍କ ସମକକ୍ଷ କେହି ନଥିଲେ । ସେଥିଲେ ଓଡିଆ ସିନେମାର ସବୁଠାରୁ ସଫଳ ଚରିତ୍ର ଅଭିନେତା ।

ଓଲିଉଡ୍ ଇଣ୍ଡଷ୍ଟ୍ରୀ ଓ ସିନେପ୍ରେମୀଙ୍କ ପାଇଁ ସେ ଥିଲେ ଦେବୁ ଦା । ସୁନା ଚଢେଇ, ପୁଅ ମୋର କଳା ଠାକୁର, ସମୟ ଖେଳୁଛି ଚକା ଭଉଁରୀ, କି ହେବ ଶୁଆ ପୋଶିଲେ, ଫୁଲ ଚନ୍ଦନ ଭଳି ୧୩୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରହିଛି ଦେବୁ ବୋଷଙ୍କ ଜୀବନ୍ତ ଅଭିନୟ । କେବଳ ସିନେମା ନୁହେଁ ଏକାଧିକ ଧାରାବାହିକ, ଭଜନ ଏବଂ ଆଲବମରେ ଦେବୁ ବୋଷଙ୍କ ଅଭିନୟ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛିି ।

ଦୋବୁ ବୋଷ, ନାୟକ ହୋଇ ନାହାଁନ୍ତି, ହେଲେ ନାୟକ ଭଳି ଲୋକପ୍ରିୟତା ହାସଲ୍ କରିଛନ୍ତି । ଅନେକ ଦିନ ହେଲା ଭୁବନେଶ୍ୱର ଛାଡି ହାଇଦ୍ରାବାଦରେ ପରିବାର ସହ ରହୁଥିଲେ ଦେବୁ ବୋଷ । ତେଣୁ ସେଠାରେ ହିଁ ଶେଷ ଦର୍ଶନ ସହ ତାଙ୍କ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି । ଦେବୁ ବୋଷଙ୍କ ପରଲୋକରେ ଝୁରି ହେଉଛି ଓଲିଉଡ୍, ଝୁରି ହେଉଛନ୍ତି ଓଡିଶା ବାସୀ ।