ସାଲିଆ ସାହିରେ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନ : କଦଳୀପତ୍ରରେ ଖାଇଲେ, ବସ୍ତି ଲୋକଙ୍କ ସହ ମିଶିଲେ

26

କନକ ବ୍ୟୁରୋ : କଦଳୀ ପତ୍ରରେ ଭଳିକି ଭଳି ଓଡିଆ ଖାଦ୍ୟ । ତା ସାଙ୍ଗକୁ ସୁସ୍ୱାଦୁ ଦକ୍ଷିଣ ଭାରତୀୟ ଆଇଟମ୍ । ଚକୁଳି, ଖେଚୁଡି, ଘାଂଟ ତରକାରୀ, କଲରା ଭଜା, ଭାତ, ରୁଟି ଆଉ ସାମ୍ବର । ସ୍ମାର୍ଟ ସିଟିର ସାଲିଆ ସାହି ବସ୍ତିରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ପରଷାଯାଇଥିଲା ଏସବୁ ବ୍ୟଞ୍ଜନ । ଆଉ ତାକୁ ମନଭରି ଖାଇଥିଲେ କେନ୍ଦ୍ରମନ୍ତ୍ରୀ । ବିଜେପିର ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ବସ୍ତିର ଏହି ଗରିବ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ ।

ସାଲିଆ ସାହିର ଗରିବ ଝୁପୁଡି ଘରେ ପାଦ ପଡିଥିଲା ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କର । ଏଥିପାଇଁ ବେଶ୍ ଉତ୍ସାହିତ ଥିଲେ ପୁରା ବେହେରା ପରିବାର । ମନ୍ତ୍ରୀଙ୍କ ବସିବା, ଖାଇବା ପିଇବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ହାତ ପାଆନ୍ତାରେ ବଡ଼ ବଡ଼ ନେତାଙ୍କୁ ପାଇଥିଲେ ସତ ହେଲେ ଯେମିତି ଅତିଥି ସତ୍କାରରେ କୌଣସି ଅବହେଳା ନ ହୁଏ ସେଥିପାଇଁ ଚିନ୍ତିତ ଥିଲେ ।

ଗଲାବେଳେ ବସ୍ତିବାସିନ୍ଦାଙ୍କୁ କେନ୍ଦ୍ରମନ୍ତ୍ରୀ ଦେଇଥିଲେ ପ୍ରତିଶ୍ରୁତି । କହିଥିଲେ, ୪ ବର୍ଷରେ ବଦଳିବ ସାଲିଆସାହିର ଚିତ୍ର । ରାଜ୍ୟ ସରକାର ପ୍ରସ୍ତାବ ଦେଲେ ସାହିରେ ଝୁପୁଡି ବଦଳରେ ଠିଆ ହେବ କୋଠାଘର । ଶେଷରେ କେନ୍ଦ୍ରର ବିଭିନ୍ନ ଯୋଜନା ବିଷୟରେ କହିବାକୁ ଭୁଲିନଥିଲେ କେନ୍ଦ୍ରମନ୍ତ୍ରୀ ।