ଆଜି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି । ବଲାଙ୍ଗୀର ଜିଲ୍ଲାର ୨ଟି କାର୍ଯ୍ୟକ୍ରମରେ ଯୋଗଦେବେ ଭେଙ୍କିୟା ନାଇଡୁ । ବଟଲିଂ ପ୍ଲାଣ୍ଟର କରିବେ ଲୋକାର୍ପଣ

350

କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ବଲାଙ୍ଗିର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି । ବଲାଙ୍ଗିର ଉପକଣ୍ଠ ବରକାନୀରେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ପଶ୍ଚିମ ଓଡିଶାରେ ବଢୁଥିବା ଏଲପିଜି ଚାହିଦାକୁ ନଜରରେ ରଖି ବରକାନୀରେ ଏଲପିଜି ବଟଲିଂ ପ୍ଲାଣ୍ଟ ୧୪ଟି ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିବ । ୨୦୧୮ ମସିହାରେ ୧୦୩ କୋଟିର ବଜେଟରେ ଏହି ପ୍ଲାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା । ପ୍ରକଳ୍ପର ଅବଧି ୨୪ ମାସ ଥିଲେ ମଧ୍ୟ ଏହାକୁ ୧୯ ମାସ ମଧ୍ୟରେ ଶେଷ କରାଯାଇଛି ।

ତେବେ ଉପରାଷ୍ଟ୍ରପତି ସକାଳ ୯ଟା ୧୫ରେ ବଲାଙ୍ଗିର ହେଲିପ୍ୟାଡରେ ପହଞ୍ଚିବେ ଆଉ ସେଠାରୁ ସଡକ ପଥରେ ଯାଇ ୯ଟା ୩୦ରେ ପ୍ଲାଣ୍ଟରେ ପହଞ୍ଚିବେ । ଆଉ ସେଠାରୁ ୧୦ଟା ୧୫ରେ ବାହାରି ପଶ୍ଚିମ ଓଡିଶାର ସର୍ବ ପୁରାତନ କଲେଜ ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବଲୀ ଉଦଘାଟନୀ ସମାରୋହରେ ଯୋଗଦେବେ । ରାଜେନ୍ଦ୍ର କଲେଜକୁ ୭୫ ବର୍ଷ ପୂରଣ ହେବା ଅବସରରେ ଏହି ଉତ୍ସବର ଆୟୋଜନ ହେଉଛି । ଏଥିପାଇଁ ବଲାଙ୍ଗୀର ଗାନ୍ଧି ଷ୍ଟାଡିୟମ ଏବଂ ବରକାନୀ ଉଭୟ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ତ୍ରିସ୍ତରୀୟ ସୁରକ୍ଷାରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।