ଶପଥ ନେବେ ଭେଙ୍କେୟା ନାଇଡୁ ! ଦେଶର ପରବର୍ତ୍ତି ଉପରାଷ୍ଟ୍ରପତି ଭାବେ ନେବେ ଦାୟିତ୍ୱ

25

କନକ ବ୍ୟୁରୋ: ଦେଶର ନବନିର୍ବାଚିତ ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଭେଙ୍କେୟା ନାଇଡୁ । ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶପଥ ନେବେ ଭେଙ୍କେୟା ଶପଥଗ୍ରହଣ ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ପରେ ଦୀନ ଦୟାଲ ମାର୍ଗରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଶପଥଗ୍ରହଣ ପରେ ସଂସଦ ଭବନ ଯିବେ ନାଇଡୁ ।

ସୂଚନା ମୁତାବକ, ଦେଶର ପରବର୍ତ୍ତି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ୬୮ ବର୍ଷୀୟ ଭେଙ୍କେୟା ନାଇଡ଼ୁ । କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ଭେଙ୍କେୟା ୨୭୨ ଭୋଟରେ ପରାଜିତ କରିଥିଲେ । ଭେଙ୍କେୟାଙ୍କୁ ମୋଟ ୫୧୬ ଭୋଟ୍ ମିଳିଥିବା ବେଳେ ଗୋପାଳକୃଷ୍ଣଙ୍କୁ ମିଳିଥିଲା ୨୪୪ଟି ଭୋଟ୍ ।

ନିକଟରେ ସଂସଦ ଭବନରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ୍ ୯୮.୨୧ ପ୍ରତିଶତ ମତଦାନ ହୋଇଥିଲା । ୭୮୫ ସଦସ୍ୟଙ୍କ ମଧ୍ୟରୁ ୭୭୧ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ତ୍ରିମଣ୍ଡଳ ସଦସ୍ୟଗଣ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଆଜି ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଭେଙ୍କେୟା ନାଇଡୁ ।