ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଭେଙ୍କେୟା ନାଇଡ଼ୁ ! ଭାବୁକ ହୋଇ କହିଲେ, ଦଳ ମୋତେ ମା’ ପରି ସମ୍ଭାଳିଛି

27

ଉପରାଷ୍ଟ୍ରପତି ପଦ ପାଇଁ ଏନଡ଼ିଏ ପ୍ରାର୍ଥୀ ଭେଙ୍କେୟା ନାଇଡ଼ୁ ନାମାଙ୍କନ ପତ୍ର ଦାଖଲ କରିିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ସୁଷମା ସ୍ୱରାଜ, ଅରୁଣ ଜେଟଲୀଙ୍କ ସମେତ ଏନଡ଼ିଏର ଅନେକ ଅଂଶୀଦାର ଦଳର ନେତା ସାମିଲ ହୋଇଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ଭେଙ୍କେୟା ନାଇଡ଼ୁ ଭାବୁକ ହୋଇଯାଇଥିଲେ ।

ଭେଙ୍କେୟା ନାଇଡ଼ୁ ଏହା ପରେ ମିଡ଼ିଆ ସହ ନିଜ ମନର କଥା ବାଂଟିଥିଲେ । ଭେଙ୍କେୟା କହିଛନ୍ତି, ମୁଁ ବର୍ଷକର ହୋଇଥିଲି ଯେତେବେଳେ ମୋ ମା’ଙ୍କ ଦେହାନ୍ତ ହୋଇଯାଇଥିଲା । ଯୁବାବସ୍ଥାରେ ଦଳରେ ସାମିଲ ହେଲି । ସେବେଠାରୁ ଦଳ ମୋତେ ମା’ ପରି ସମ୍ଭାଳିଛି । ଏହାସହ ନାଇଡ଼ୁ କହିଛନ୍ତି ଉପରାଷ୍ଟ୍ରପତି ପଦର ଦାୟିତ୍ୱ ମିଳିବା ମୋ ପାଇଁ ଗର୍ବର ବିଷୟ ।

ନାମାଙ୍କନ ଦାଖଲ କରିବା ପରେ ଭେଙ୍କେୟା ନାଇଡ଼ୁ କହିଛନ୍ତି, ମୋତେ ଦଳରେ ଅନେକ ପଦରେ କାମ କରିବା ପାଇଁ ସୁଯୋଗ ମିଳିଛି । କିନ୍ତୁ ଉପରାଷ୍ଟ୍ରପତି ପଦର ଦାୟିତ୍ୱ ଭିନ୍ନ ପ୍ରକାରର । ନାଇଡ଼ୁ କହିଛନ୍ତି ମୁଁ ଆଶା କରୁଛି ଏହି ପଦର ଗରିମା ବଜାୟ ରଖିପାରିବି । ମୋତେ ଏହି ଦାୟିତ୍ୱ ପାଇଁ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହଙ୍କ ସମେତ ଏନଡ଼ିଏର ସମସ୍ତ ଦଳକୁ ଧନ୍ୟବାଦ ଜଣାଉଛି ।

ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନରେ ଭେଙ୍କେୟା ନାମାଙ୍କନ ଦାଖଲ କରିଥିଲେ । ସୋମବାର ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ଼ ବୈଠକରେ ଭେଙ୍କେୟା ନାଇଡ଼ୁଙ୍କ ନାମ ଉପରେ ମୋହର ଲାଗିଥିଲା । ଭେଙ୍କେୟା ନାଇଡ଼ୁଙ୍କ ମୁକାବିଲା ହେବ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କ ସହ । ଆଜି ମଧ୍ୟ ଗୋପାଳ ଗାନ୍ଧୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଦୁଇଟି ସେଟରେ ଭରିଲେ ନାମାଙ୍କନ ପତ୍ର

ଭେଙ୍କେୟା ନାଇଡ଼ୁଙ୍କ ତରଫରୁ ଦୁଇଟି ସେଟରେ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ପ୍ରଥମ ସେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବକ ଓ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅନୁମୋଦକ ଥିବାବେଳେ ଦ୍ୱିତୀୟ ସେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରସ୍ତାବକ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅନୁମୋଦକ ଭାବେ ରହିଛନ୍ତି ।

ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

ବିଧି ମୁତାବକ, ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରୁଥିବା ବ୍ୟକ୍ତି କୈାଣସଦି ପଦପଦବୀରେ ରହିପାରିବେନି । ସେଦୃଷ୍ଟିରୁ ଆଜି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ନିକଟରେ ଥିବା ସହରାଂଚଳ ବିକାଶ ମନ୍ତ୍ରଣାଳୟ ନରେନ୍ଦ୍ର ସିଂ ତୋମାରଙ୍କୁ ଦିଆଯାଇଥିବା ବେଳେ ସ୍ମୃତି ଇରାନୀଙ୍କ ନିକଟକୁ ଯାଇଛି ସୁଚନା ଓ ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ।

ପ୍ରଧାନମନ୍ତ୍ରୀ ମୋଦି କହିଲେ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ

ବିଜେପି ଅଧ୍ୟକ୍ଷ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି କହିଥିିଲେ ସଂସଦୀୟ ବୋର୍ଡ଼ ସବୁ ସଦସ୍ୟ ଓ ସହଯୋଗୀ ଦଳ ସହ ଆଲୋଚନା କରିବା ପରେ ଭେଙ୍କେୟା ନାଇଡ଼ୁଙ୍କୁ ଉପରାଷ୍ଟ୍ରପତି ପଦର ଆଶାୟୀ ପ୍ରାର୍ଥୀ କରିବା ପାଇଁ ନିର୍ଣ୍ଣୟ ନେଇଥିଲା । ପ୍ରଧାନମନ୍ତ୍ରୀ ମୋଦିି ଟ୍ୱିଟ୍ କରି ନାଇଡ଼ୁଙ୍କୁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଅଭିହିତ କରିଥିଲେ ।

ଭେଙ୍କେୟା ନାଇଡ଼ୁଙ୍କ ଠାରୁ ଅଧିକ ଯୋଗ୍ୟ ଆଉ କେହି ନାହାନ୍ତି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି, ଉପରାଷ୍ଟ୍ରପତି ପଦ ପ୍ରାର୍ଥୀ ପାଇଁ ଭେଙ୍କେୟାଙ୍କ ଠାରୁ ଅଧିକ ଯୋଗ୍ୟ ଆଉ କେହି ହୋଇପାରିବେ ନାହିଁ । ଗୃହମନ୍ତ୍ରୀ ରାଜନାଥ ସିଂ ଅଭନିନ୍ଦନ ଜଣାଇ କହିଛନ୍ତି ଭେଙ୍କେୟା କେବଳ ଜଣେ ରାଜନେତା ନୁହନ୍ତି ସେ ଜଣେ ସାମାଜିକ କର୍ମକର୍ତ୍ତା ମଧ୍ୟ । ରାଜସ୍ଥାନରୁ ବିଜେପି ସାଂସଦ ମାନେ ଭେଙ୍କେୟା ନାଇଡ଼ୁଙ୍କୁ ଭେଟି ଉପରାଷ୍ଟ୍ରପତି ପଦର ପ୍ରାର୍ଥିୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।