ଉପରାଷ୍ଟ୍ରପତି ପଦ ପାଇଁ କାହିଁକି ଭେଙ୍କେୟା ନାଇଡୁଙ୍କୁ ବାଛିଲା ବିଜେପି ! ଜାଣନ୍ତୁ ଏହା ପଛର କିଛି କାରଣ

36

ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିି ବିଜେପିର ଫାୟାର୍ ଫାଇଟର୍ ନେତା ଭେଙ୍କେୟା ନାଇଡୁ । ଗତକାଲି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଭେଙ୍କେୟାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ତେବେ ଭେଙ୍କେୟା ନାଇଡୁଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ସବୁଥର ଭଳି ଏଥର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ଏବଂ ଶାହା ।

କାହିଁକି ଉପରାଷ୍ଟ୍ରପତି ପଦ ପାଇଁ ଭେଙ୍କେୟାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲେ ମୋଦି । କେଉଁ କାରଣ ପାଇଁ ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରସନ୍ଦ ବନିଗଲେ । ଏବେ ଜାଣନ୍ତୁ ଏହାର ୫ଟି ପ୍ରମୁଖ କାରଣ ।

ନଜର ପକାନ୍ତୁ ମୋଦି ଏବଂ ଶାହାଙ୍କ ପସନ୍ଦ ପଛର କିଛି କାରଣ ଉପରେ :

ଦକ୍ଷିଣ ଭାରତୀୟ : ଭେଙ୍କେୟାଙ୍କୁ ପ୍ରାର୍ଥୀ କରି ଦକ୍ଷିଣ କାର୍ଡ ଖେଳିିଛି ବିଜେପି । ଉତ୍ତର ଭାରତରୁ ଜଣକୁ ରାଷ୍ଟ୍ରପତି କରାଯାଇଥିବା ବେଳେ ଦକ୍ଷିଣରୁ ଜଣକୁ ଉପରାଷ୍ଟ୍ରପତି କରାଯାଇଛି । ଏହାଦ୍ୱାରା ଦକ୍ଷିଣରେ ଜନାଧାର ବଢାଇବା ଲକ୍ଷ୍ୟରେ ରହିଛି ବିଜେପି ।

ରାଜ୍ୟସଭାର ଲମ୍ବା ଅନୁଭବ : ଭେଙ୍କେୟା ୪ ଥର ରାଜ୍ୟସଭା ସାଂସଦ ହୋଇ ସାରିଛନ୍ତି । ସେ କର୍ଣ୍ଣାଟକରୁ ୩ ଥରକୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ବର୍ତ୍ତମାନ ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଅଛନ୍ତି । ତେଣୁ ଉପର ସଦନରେ ଲମ୍ବା ଅନୁଭବୀ ହେଉଛନ୍ତି ଭେଙ୍କେୟା । ୧୯୯୮ରେ ଭେଙ୍କେୟା ପ୍ରଥମ ଥର ପାଇଁ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ୨୦୦୪ ଏବଂ ତୃତୀୟ ଥର ୨୦୧୦ରେ ରାଜ୍ୟସଭା ସଦନ ପହଂଚିଥିଲେ ଭେଙ୍କେୟା । ଏହା ପରେ ଚତୁର୍ଥ ଥର ୨୦୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଭେଙ୍କେୟା ନାଇଡୁ । ସେ ଅନେକ ସଂସଦୀୟ କମିଟିର ସଦସ୍ୟ ଏବଂ ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ତେଣୁ ଭେଙ୍କେୟାଙ୍କ ଏହି ଲମ୍ବା ଅଭିଜ୍ଞତା ତାଙ୍କ ଉପରାଷ୍ଟ୍ରପତି ପଥକୁ ସହଜ କରିବାରେ ସାହାଯ୍ୟ କରିବ ।

ସାଧାରଣ ବ୍ୟକ୍ତିତ୍ୱ ଭେଙ୍କେୟା : ଆନ୍ଧ୍ରପ୍ରଦେଶ ନେଲ୍ଲୋର ଜିଲ୍ଲାର ଏକ କୃଷକ ପରିବାରରୁ ଆସିଛନ୍ତି ଭେଙ୍କେୟା ନାଇଡୁ । ଭେଙ୍କେୟା ୧୯୭୫ରୁ ୧୯୭୭ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ ବି ଯାଇଛନ୍ତି । ଏହା ସହ ୧୯୭୭ରୁ ୧୯୮୦ ଯାଏଁ ଅନ୍ଧପ୍ରଦେଶ ଜନତା ପାର୍ଟିର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ୧୯୭୮ରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜେପିର ଏହି ବରିଷ୍ଠ ନେତା । ୧୯୮୦ ରୁ ୧୯୮୫ ମଧ୍ୟରେ ସେ ବିଧାନସଭାରେ ବିଜେପି ବିଧାୟକ ଦଳର ନେତା ଥିଲେ । ୧୯୮୮ ରୁ ୧୯୯୩ ମଧ୍ୟରେ ବିଜେପି ଆନ୍ଧ୍ରପଦେଶ ୟୁନିଟର ରାଜାଧ୍ୟକ୍ଷ ମଧ୍ୟ ଥିଲେ । ୧୯୯୩ ରୁ ୨୦୦୦ ଯାଏଁ ବିଜେପିର ରାଷ୍ଟୀୟ ମହାସଚିବ ରହିଥିଲେ । ଏହା ପରେ ଜୁଲାଇ ୨୦୦୨ରେ ତାଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବନାଗଲା ।

ବରିଷ୍ଠତା ଏବଂ ଅଭିଜ୍ଞତା : ମୋଦି ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଭେଙ୍କେୟା ନାଇଡୁ । କ୍ୟାବିନେଟରେ ନମ୍ବର ୫ ରେ ଅଛନ୍ତି ବିଜେପିର ଏହି ବରିଷ୍ଠ ନେତା । ତାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହ ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଛନ୍ତି । ଅଟଳ ବିହାରୀଙ୍କ ସରକାର ସମୟରେ ସେପ୍ଟେମ୍ବର ୨୦୦୦ରୁ ଜୁନ୍ ୨୦୦୨ ଯାଏଁ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ । ମୋଦି ସରକାର ସମୟରେ ୨୬ ମେ ୨୦୧୪ରେ ପୁଣି ଥରେ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଦାୟିତ୍ୱ ଦିଆଗଲା । ଏହା ସହ ତାଙ୍କ ଅଭିଜ୍ଞତାକୁ ଦେଖି ସହରୀ ବିକାଶ ମନ୍ତ୍ରୀଙ୍କ ଦାୟିତ୍ୱ ଦିଆଯାଇଥିଲା ।

ରାଜ୍ୟସଭାରେ ପାର୍ଟିକୁ ଫାଇଦା : ରାଜ୍ୟସଭାରେ ପାର୍ଟି ପାଇଁ ଲାଭ ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ । ଜଣେ ନମ୍ର ଏବଂ ବୁଦ୍ଧିମାନ୍ ନେତାର ଭାବରେ ନାଇଡୁଙ୍କ ଛବି ରହିଛି । ଜଣେ ଫାୟାର୍ ଫାଇଟର୍ ନେତା ହେଉଛନ୍ତି ଭେଙ୍କେୟା ନାଇଡୁ ।