ରେଳବାଇରେ ଲାଗୁହେବ ନୂଆ ନିୟମ । ଏଣିକି ୬୩ ଟ୍ରେନରେ ଲାଗିବ ନାପକିନ ଭେଣ୍ଡିଂ ଜୋନ

26

କନକ ବ୍ୟୁରୋ : ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସରେ ଅଟୋମେଟିକ୍ ସାନିଟାରି ନାପକିନ ଭେଣ୍ଡିଂ ମେସିନ୍ ଲାଗିବା ପରେ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାତ୍ରୀଙ୍କ ବହୁଳ ବ୍ୟବହାର, ଉପଯୋଗିତା ଓ ଦାବିକୁ ଆଖି ଆଗରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆସୁଥିବା ପ୍ରମୁଖ ଟ୍ରେନଗୁଡିକରେ ଭେଣ୍ଡିଂ ମେସିନ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି। ପୂବର୍ତଟ ରେଳପଥର ୬୩ଟି ଟ୍ରେନରେ ୯୦ଟି ରେକରେ ଏହି ଭେଣ୍ଡିଂ ମେସିନ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଟ୍ରେନ ଗୁଡ଼ିକ ମଧ୍ୟରୁ ପୁରୀରୁ ଛାଡ଼ୁଥିବା ୨୬ଟି ଟ୍ରେନ୍, ଭୁବନେଶ୍ବରରୁ ଛାଡ଼ୁଥିବା ୨୧, ବିଶାଖାପାଟଣାରୁ ଛାଡ଼ୁଥିବା ୧୨ ଓ ସମ୍ବଲପୁରରୁ ଛାଡ଼ୁଥିବା ୫ଟି ଟ୍ରେନରେ ଏହି ସୁବିଧା ଯୋଗାଇ ଦିଆଯିବ।

 

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନର ସଭାନେତ୍ରୀ ମଧୁଲୀକା ସିଂହଙ୍କ ନେତୃତ୍ବରେ ପୂର୍ବତଟ ରେଳପଥ ଜୋନ୍ ପରିସୀମା ମାଧ୍ୟରେ ଥିବା ୨୫ଟି ଗୁରୁତ୍ବପୂର୍ଣ୍ଣ ଟ୍ରେନରେ ୨୫ଟି ରେକରେ ଏହି ସେବା ଯୋଗାଇବାକୁ ସ୍ଥିର ହୋଇଛି। ଏହାପୂର୍ବରୁ ମହିଳା ସଙ୍ଗଠନ ପକ୍ଷରୁ ବଡ଼ ଷ୍ଟେସନ୍ ଓ ହୀରାଖଣ୍ଡ ଏକ୍ସପ୍ରେସରେ ନାପକିନ ଭେଣ୍ଡିଂ ମେସିନ୍ ଲଗାଯାଇଥିଲା। ଏହାର ବହୁଳ ବ୍ୟବାହାର ହେବା ସହ ଯାତ୍ରୀମାନେ ପ୍ରଶଂସା କରିଥିଲେ। ଶ୍ରୀମତୀ ସିଂହଙ୍କ କହିବାନୁଯାୟୀ ଏହି ସେବା ଦ୍ବାରା ମହିଳା ଯାତ୍ରୀଙ୍କ ସଦିଚ୍ଛା ମିଳିପାରିବ। ‘ସ୍ବଚ୍ଛ ଭାରତ-ସ୍ବଚ୍ଛ ରେଳ’ ପାଇଁ ଏକ ଭଲ ପଦେକ୍ଷପ। ଟ୍ରେନରେ ଅଟୋମେଟିକ୍ ନାପ୍କିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ କରିବା କ୍ଷେତ୍ରରେ ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳପଥରେ ସର୍ବପ୍ରଥମ। ପୂର୍ବତଟ ରେଳପଥର ପ୍ରମୁଖ ଷ୍ଟେସନଗୁଡ଼ିକରେ ଏହି ମେସିନ୍ ଲାଗିସାରିଲାଣି।

 

ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ବର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସରେ ଏହି ମେସିନ୍ ସ୍ଥାପନା କରାଯାଇଛି। ଏଥିସହ ପୁରୀ-ନୂଆଦିଲ୍ଲୀ ପୁରୁେଷାତ୍ତମ ଏକ୍ସେପ୍ରସ୍, ପୁରୀ-ଆନନ୍ଦବିହାର ନୀଳାଞ୍ଚଳ ଏକ୍ସପ୍ରେସ୍, ପୁରୀ-ଆନନ୍ଦବିହାର ନନ୍ଦନକାନନ ଏକ୍ସପ୍ରେସ୍, ଭୁବନେଶ୍ବର-ନୂଆଦିଲ୍ଲୀ ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍, ଭୁବନେଶ୍ବର-ଏଲିଟିଟି ଦ୍ବି-ସାପ୍ତାହିକ ଏକ୍ସପ୍ରେସ୍, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଭାୟା ଟାଟା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଭାୟା ଆଗ୍ରା, ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ସିଟି, ବିଶାଖାପାଟଣା-ନିଜାମୁଦ୍ଧିନ ସ୍ବର୍ଣ୍ଣ ଜୟନ୍ତୀ ଏକ୍ସପ୍ରେସ୍, ବିଶାଖାପାଟଣା-ନିଜାମୁଦ୍ଧିନ ସମତା ଏକ୍ସପ୍ରେସ୍ ଭାୟା ରାୟଗଡ଼ା, ଟିଟିଲାଗଡ଼ ଓ ବିଶାଖାପାଟଣା-ନୂଆଦିଲ୍ଲୀ ଏପି ଏକ୍ସପ୍ରେସ୍ ପରି ଟ୍ରେନରେ ୨୫ଟି ରେକରେ ନାପକିନ ଭେଣ୍ଡିଂ ମେସିନ୍ ଖୁବଶୀଘ୍ର ସ୍ଥାପନ ହେବ। ଏହି ସାନିଟାରି ନାପକିନ ମୂଲ୍ୟ ପ୍ରତ୍ୟେକ ଖଣ୍ଡ ପିଛା ୫ ଟଙ୍କା ଲେଖାଏଁ ରଖାଯାଇଛି। ଭେଣ୍ଡିଂ ମେସିନରେ ୫ ଟଙ୍କାର ଏକ କଏନ୍ ପକାଇଲେ ନାପକିନ ବାହାରିବ। ଗୋଟିଏ ମେସିନରେ ୭୫ ଖଣ୍ଡ ନାପକିନ ରହିପାରିବ।