ଅସରାଏ ବର୍ଷାରେ ବଦଳିଗଲା ସ୍ମାର୍ଟସିଟିର ରୂପ ! ଉବୁଟୁବୁ ହେଲା ଭୁବନେଶ୍ୱର, ଇସ୍କନ ମନ୍ଦିର ଆଗରେ ଭାସିଲା ଗାଡି ।

256

କନକ ବ୍ୟୁରୋ : ସ୍ମାର୍ଟସିଟିରେ ଅଭାବନୀୟ ସ୍ଥିତି । ଅସରାଏ ବର୍ଷାରେ ପୁଣି ଉବୁଟୁବୁ ହେଲା ରାଜଧାନୀ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା ସ୍ଥିତି । ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ରାସ୍ତାରେ ଲହଡି ଭାଂଗିଛି ଆଂଟୁଏ ପାଣି । ରାଜପଥ ମଝିରେ ଅଟକି ଯାଇଛି ଯାନ ବାହାନ । ଇସ୍କନ ମନ୍ଦିର ନିକଟରେ ପାଣି ଜମି ରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଥିବା ଜଣାପଡିଛି । ଆଜି ସଂଧ୍ୟାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ବର୍ଷା । ପୁରା ରାଜଧାନୀ ବର୍ଷାରେ ଭିଜିଛି । ଲଘୁଚାପ ପ୍ରଭାବରେ ଆଗକୁ ଆହୁରି ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । କିଛି ଦିନ ଧରି ଗରମରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କ ପାଇଁ ବର୍ଷା ନୂଆ ଆଶା ସିନା ଆଣିଦେଇଛି କିନ୍ତୁ ଚିନ୍ତା ମଧ୍ୟ ବଢିଯାଇଛି ।

ସାଧରଣତଃ ନଦୀକୂଳିଆ ଅଞ୍ଚଳରେ ବର୍ଷା ଦିନରେ କିମ୍ବା ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ଉପୁଜିଥାଏ । କିନ୍ତୁ ଘଣ୍ଟାଏ ବର୍ଷାରେ ସ୍ଥିତି ଏମିତି ଉପୁଜିବ ଯେ ସହରରେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ଦୁଇ ଚକିଆ ଯାନ ଭାସିବା ଦୃଶ୍ୟ ହୁଏତ ଆପଣକୁ କମ୍ ଦେଖିବାକୁ ମିଳିଥିବ । ତାହା ପୁଣି ରାଜ୍ୟର ରାଜଧାନୀ ସ୍ମାର୍ଟ ସିଟିରେ । ହେଲେ ଏମିତି କିଛି ବନ୍ୟା ପରିସ୍ଥିତି ଉପୁଜିଛି ରାଜଧାନୀ ଭୁବନେଶ୍ୱରରେ । ଘଣ୍ଟାଏ ବର୍ଷାରେ ରାଜଧାନୀର ପ୍ରମୂଖ ଜନ ଗହଳି ପୂର୍ଣ୍ଣ ଅଞ୍ଚଳ ବନ୍ୟାଞ୍ଚଳ ପରି ପାଲଟିଛି ।

ଘଣ୍ଟାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ହୋଇଗଲା ବନ୍ୟା । ଦେଶର ପ୍ରଥମ ସ୍ମାର୍ଟ ସିଟିଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଭାସିଲା କାର, ବାଇକ, ଅଟୋ ଓ ସାଇକେଲ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଇସ୍କନ ମନ୍ଦିର ସାମ୍ନାରେ ଅସରାଏ ବର୍ଷାରେ ରାସ୍ତାରେ ଯାନ ବାହାନ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଏମସି ତରଫରୁ ରାଜଧାନୀର ପ୍ରମୂଖ ଅଞ୍ଚଳରେ ବର୍ଷା ପାଣି ନିଷ୍କାସନ ପାଇଁ ଅନେକ ସମୟରେ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ବର୍ଷା ଦିନରେ ସମସ୍ତ ଜଳ ନିଷ୍କାସନ ପଥ ଅବରୋଧ ହୋଇ ପଡୁଛି ।