ସଜ ଫସଲ ଶସ୍ତା ବଜାର ! ହିନସ୍ତା ହେବାରୁ ହଙ୍ଗାମା କଲେ ବଲାଙ୍ଗିର ଚାଷୀ

24

କନକ ବ୍ୟୁରୋ : ଟଙ୍କାଏରେ ଟମାଟୋ, ଦୁଇ-ତିନି ଟଙ୍କାରେ କୋବି । ମାସ ମାସ ଧରି ଖର୍ଚ୍ଚାନ୍ତ ହୋଇ ପରିଶ୍ରମ କରିବା ପରେ ଚାଷୀଙ୍କୁ ମିଳୁଛି ଏଭଳି ଦର । ଆଉ ଏଥିରେ ଅତିଷ୍ଠ ହୋଇ ବିଦ୍ରୋହ କରିଛନ୍ତି ବଲାଙ୍ଗିରର ଚାଷୀ । ରାସ୍ତାରେ ଫୋପାଡି ଦେଇଛନ୍ତି କୋବି, ବାଇଗଣ ଓ ଟମାଟୋ । ବଲାଙ୍ଗିର ବ୍ୟବସାୟୀ ସଂଘ ଓ ସ୍ଥାନୀୟ ଚାଷୀଙ୍କ ଭିତରେ ବିବାଦକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବଜାର ଦରଠାରୁ ଢେର କମ ମୂଲ୍ୟ ମିଳୁଥିବାରୁ ଫେରାଇ ନେବା ପରିବର୍ତେ, ଫୋପାଡି ଦେବାକୁ ଉଚିତ ମନେ କରିଛନ୍ତି ଚାଷୀ ।

ଚନ୍ଦନଭାଟି, କୁଜମେଲ, କ’ ଗାଁ ଆଦି ଆଖପାଖ ଅଂଚଳର ଚାଷୀ ପ୍ରତିଦିନ ବଲାଙ୍ଗିର ନିତିଦିିନିଆ ହାଟ ବ୍ୟବସାୟୀ ସଂଘକୁ ପରିବା ବିକ୍ରି କରିଥାନ୍ତି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ- ବଜାରରୁ ଆପଣ ଗୋଟା ୨୦ ଟଙ୍କାରେ କିଣୁଥିବା କୋବି ପିଛା ଚାଷୀଙ୍କୁ ୩ରୁ ୫ ଟଙ୍କା ଦେଉଛନ୍ତି ବ୍ୟବସାୟୀ । ସେହିପରି କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ବାଇଗଣ ୫ରୁ ୭ ଟଙ୍କା ଓ ୧୦ ଟଙ୍କା ବଜାର ଦର ଥିବା ଟମାଟୋ କିଲୋପିଛା ଚାଷୀଙ୍କୁ ମିଳୁଛି ୨ରୁ ୩ଟଙ୍କା । ଏହାକୁ ବିରୋଧ କରି ନିଜେ ପରିବା ବିକ୍ରି କରିବାକୁ ଆସିଥିଲେ ଚାଷୀ । ହେଲେ ବ୍ୟବସାୟୀ ସଂଘର ଆକ୍ରୋଶର ଶିକାର ହୋଇଛନ୍ତି ।

ଶସ୍ତାରେ ପରିବା ଦେବାକୁ ଅମଙ୍ଗ ହେବାରୁ ଚାଷୀଙ୍କୁ ରାସ୍ତାରେ ଅଟକାଇ ଦିଆଗଲା । ଉଦ୍ଦେଶ୍ୟମୂଳକ ଭାବେ ବଲାଙ୍ଗିର ନିତିନିଦିଆ ହଟକୁ ବନ୍ଦ କରିଦିଆଗଲା । ତଥାପି ଚାଷୀ ଆସି ସହରର ବିଭିନ୍ନ ଛକ ବଜାରରେ ବସି ପରିବା ବିକ୍ରି କରିବାରୁ ଧମକ ଚମକ ଦିଆଗଲା । ଏନେଇ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ସାଙ୍ଗରେ ଆଣିଥିବା ପରିବାକୁ ଫୋପାଡି ଦେଇ ଯିବାକୁ ବାଧ୍ୟ ହେଲେ ଚାଷୀ । ଏହି ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଜିଲ୍ଲାପାଳ ଓ ଏସପି ଏକ ବୈଠକ କରି ବ୍ୟବସାୟୀ ସଂଘକୁ ତାଗିଦ କରିଛନ୍ତି ।