ଡାଲି ପିତା ଟମାଟୋ ଖଟା : ଆକାଶଛୁଆଁ ପନିପରିବା ଦର

4

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମହଙ୍ଗା ମାଡ । ଆକାଶଛୁଆଁ ପନିପରିବା ଦର । ସେଂଚୁରୀ ମାରିଲାଣି ଟମାଟୋ । ୨ ସପ୍ତାହରେ ଦୁଇ ଗୁଣା ହେଲାଣି । ଖାଲି ଟମାଟୋ କାହିଁକି ସବୁ ପରିବାର ଦର ୪୦ ଉପରେ । ପନିପରିବା ସାଙ୍ଗକୁ ଗ୍ରାହକଙ୍କ ପକେଟ୍ ଉପରେ ବୋଝ ଲଦିଛି ଡାଲି ଦର । ବଜାରରେ ଡାଲି ଦର ଡବଲ ସେଂଚୁରୀ ମାରିବାକୁ ବସିଲାଣି ।

ଜଳୁଛି ମାର୍କେଟ । ହୁ ହୁ ହୋଇ ବଢିଚାଲିଛି ଦର । ଖାଉଟିଙ୍କର ବିଗିଡିଗଲାଣି ମାସିକିଆ ବଜେଟ । ହାଟ କରିବାକୁ ଡର ଲାଗୁଛି । ରେଟ ପଚାରୁ ପଚାରୁ ହାଲୁକ ଶୁଖିଯାଉଛି । ଗତ ୧୫ ଦିନ ଭିତରେ ବଜାର ଦର ବଢିଗଲାଣି । ଖାସକରି ଆଳୁ, ଟମାଟ ଆଉ ଡାଲି ଚିନ୍ତାରେ ପକାଇଛି । ବିଲାତି ବାଇଗଣର ନାଲିଆଖି ଲୋକଙ୍କୁ ଡରାଇବା ଆରମ୍ଭ କଲାଣି । ସପ୍ତାହେ ଭିତରେ ଦର ଦୁଇଗୁଣା ।ନଜର ପକାନ୍ତୁ ଟମାଟର ବଜାର ଦର କେଉଁଠି କିଭଳି ରହିଛି । ଦୁଇ ସପ୍ତାହ ମଧ୍ୟରେ ଭୁବନେଶ୍ୱର ଓ ବାଲେଶ୍ୱରରେ ଦର ଦୁଇଗୁଣାରୁ ଅଧିକ ହୋଇଥିବା ବେଳେ ଜୟପୁରରେ ହୋଇଛି ପାଖାପାଖି ତିନିଗୁଣା । ହେଲେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ତିନିଗୁଣା ବଢିଛି ଟମାଟୋର ରେଟ ।
ଟମାଟୋ ଦର —

ସ୍ଥାନ         ଥିଲା (ଟଙ୍କାରେ)   ହେଲା (ଟଙ୍କାରେ)
ଭୁବନେଶ୍ୱର        ୩୦            ୬୦
କଟକ             ୭୦            ୮୦
ବାଲେଶ୍ୱର         ୪୦             ୮୦
ବ୍ରହ୍ମପୁର           ୩୦             ୯୦
ସମ୍ବଲପୁର         ୪୦             ୬୦
ଜୟପୁର          ୨୦             ୬୦
ସେହିଭଳି ୨ ଟଙ୍କାରୁ ୧୦ ଟଙ୍କା ଯାଏଁ ବଢିଛି କିଲୋ ପିଛା ଆଳୁଦର । କେତେବେଳେ ରାଜ୍ୟ ସରକାର ଅଧିକ ଅମଳର କଥା କହୁଛନ୍ତି ତ ପୁଣି କେତେବେଳେ ଶୀତଳ ଭଣ୍ଡାର ଅଭାବରୁ ଅଭାବୀ ବିକ୍ରି ଭଳି ଘଟଣା ସାମ୍ନାକୁ ଆସୁଛି । ଆଉ ସମସ୍ୟା ସହ ତାଳ ଦେଇ ମଧ୍ୟ ବଢିଚାଲିଛି ଆଳୁ ଦର । ନଜର ପକାନ୍ତୁ କିଭଳି ଆଳୁଦର ଖାଉଟିଙ୍କୁ ଡରାଇବା ଆରମ୍ଭ କଲାଣି । ଯଦିଓ ଟମାଟ ଭଳି ଦର ଦୁଇଗୁଣା କିମ୍ବା ତିନିଗୁଣା ବଢିନାହିଁ ତଥାପି ୨ ରୁ ତିନିଟଙ୍କାର ଏହି ଫରକ ଲୋକଙ୍କୁ ଚିନ୍ତାରେ ପକାଇଲାଣି । ଖାସକରି ମଧ୍ୟବିତ ଓ ଗରୀବ ଶ୍ରେଣୀର ଲୋକଙ୍କ ବଜେଟ ବିଗିଡି ଗଲାଣି ।

ଆଳୁ ଦର —
ସ୍ଥାନ        ଥିଲା (ଟଙ୍କାରେ)  ହେଲା (ଟଙ୍କାରେ)
ଭୁବନେଶ୍ୱର        ୧୮             ୨୦
କଟକ            ୨୦              ୩୫
ବାଲେଶ୍ୱର         ୧୬              ୧୭
ବ୍ରହ୍ମପୁର           ୧୮              ୨୦
ସମ୍ବଲପୁର         ୧୯              ୨୨
ଜୟପୁର           ୧୭              ୨୦

ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଛି ଡାଲି ଦର । ପ୍ରତିଦିନ ଭାତ ସହ ଆବଶ୍ୟକ ପଡୁଥିବା ଡାଲି ବି ହୁ ହୁ ହୋଇ ବଢିବାରେ ଲାଗିଛି । ହୋଲସେଲ ଦର ଆଉ ଖୁଚୁରା ଦର ଭିତରେ ଢେର ଫରକ । ଖାଉଟି ପଚାରିଲେ ମିଳୁନି ସନ୍ତୋଷଜନକ ଉତର । ଜାତୀୟ ସ୍ତର ତୁଳନାରେ ରାଜ୍ୟ ସ୍ତରରେ ମୁଦ୍ରାସ୍ଫୀତି ଅଧିକ ରହିଛି । ତାଲିକାର ତୃତୀୟ ସ୍ଥାନରେ ରହିଛି ଓଡିଶା । ଯେଉଁଥିରେ ଡାଲି ଆଉ ପରିବା ତାଳ ଦେଇ ବଢିବାରେ ଲାଗିଛି । ଯାହା ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Comments are closed.