କନକ ବ୍ୟୁରୋ : ବେଦାନ୍ତ ଗ୍ରୁପର ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ପଦରୁ ବିଜୟ ପଟ୍ଟନାୟକଙ୍କ ଇସ୍ତଫା । ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି, ବେଦାନ୍ତ ଗ୍ରୁପ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ଦେଖାଇଲା ନାହିଁ । ରାଜ୍ୟ ସରକାର ସମସ୍ତ ସହଯୋଗ କରିବା ସତ୍ୱେ ବିଶ୍ୱବିଦ୍ୟାଳୟ ନିର୍ମାଣରେ ଅଗ୍ରଗତି ହେଲା ନାହିଁ । ତେଣୁ ସେଠାରେ ରହିବା ବଦଳରେ ଇସ୍ତଫା ଦେବାକୁ ବାଧ୍ୟ ହେଲି । ଫଳରେ ଓଡିଶାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସନ୍ଦେହ ବଢିବାରେ ଲାଗିଛି ।୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ପଟ୍ଟନାୟକ ସିଭିଲ ସର୍ଭିସରୁ କ୍ୟାରିୟର ଆରମ୍ଭ କରିଥିଲେ । ମୁଖ୍ୟ ଶାସନ ସଚିବ ହେବା ପୂର୍ବରୁ ସେ ମ୍ରୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଅବସର ପରେ ସେ ଓଡିଶା ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଓ ପରେ ଓଏଚଆରସିର ସଦସ୍ୟ ଥିଲେ । ଆଉ ଏହାପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ତେବେ ଗତ ଜୁନ ମାସରେ ଆସିଥିବା ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରକାଶିତ ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶକୁ ପ୍ରକଳ୍ପ ନେଲେ ରାଜ୍ୟ ସରକାର ଜମି ଯୋଗାଇବାରେ ସହଯୋଗ କରିବେ ବୋଲି ଚନ୍ଦ୍ରବାବୁ ନାଇଡୁ ସରକାର କହିଥିଲେ । ଏପରିକି ସେହି ସମୟରେ ଉଭୟ ପକ୍ଷ ମଧ୍ୟରେ ଚିଠି ଦିଆନିଆ ମଧ୍ୟ ସରିଥିଲା । ସେତେବେଳେ ବିଜୟ ପଟ୍ଟନାୟକ କହିଥିଲେ, ଗତ ଜାନୁୟାରୀରେର ଚନ୍ଦ୍ରବାବୁ ନାଇଡୁ ବେଦାନ୍ତ ଗ୍ରୁପ ମୁଖ୍ୟ ଅନୀଲ ଅଗ୍ରୱାଲଙ୍କ ସହ କଥା ହୋଇଥିଲେ । ଯେହେତୁ ଓଡିଶାରେ ପ୍ରକଳ୍ପ କାମ ଆଗେଇ ପାରୁନି, ତେଣୁ ଆନ୍ଧ୍ର ଜମି ଦେବାକୁ ଆଗଭର ହେଉଥିବା ସେ ପ୍ରକାଶ କରିଥିଲେ । ହେଲେ ଏବେ ନିଜେ ବିଜୟ ପଟ୍ଟନାୟକ କଂପାନୀର କାମରେ ଖୁସି ନହୋଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ପୁରା ଦମରେ ଲାଗିଥିଲେ । ପୁରୀରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନବୀନ୍ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଆରମ୍ଭ ହୋଇଥିଲା । ଏନେଇ ଜଗନ୍ନାଥଙ୍କ ୧୫ଶହ ଏକର ଅମୃତ ମଣୋହୀ ଜମି ବେଦାନ୍ତକୁ ଯୋଗାଇଦେବାକୁ ସରକାର ନିଷ୍ପତି ନେଇଥିଲେ । ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଉପେକ୍ଷା କରି ବେଆଇନ୍ ଜମି ଅଧିଗ୍ରହଣ କରିବା ଅଭିଯୋଗ ହେଲା ।

ଏପରିକି୨୦୦୯ରେ ସ୍ୱତନ୍ତ୍ର ଆଇନ୍ ବି କଲେ ରାଜ୍ୟ ସରକାର । ଏହି ଆଇନ୍ ବିଧାନସଭାରେ ସବୁଠାରୁ ଐତିହାସିକ ଘଟଣା ଥିଲା । କାରଣ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ବିଧାନସଭା ଅଧିବେଶନକୁ ଗୋଟିଏ ଦିନ ବଢାଇ ବିଳମ୍ବିତ ରାତି ପର୍ୟ୍ୟନ୍ତ ଗୃହ କାର୍ୟ୍ୟ ଚାଲିଥିଲା । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିଲ୍ ଗୃହୀତ ହେବା ଏବଂ ତା’ ପୂର୍ବରୁ ଏହି ସଂସ୍ଥାର ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଫାଉଣ୍ଡେସନ୍ କୁ ୬ ହଜାର ଏକର ବହୁମୂଲ୍ୟ ଜମି ଦେବା ଲାଗି ରାଜ୍ୟ ସରକାରଙ୍କର ବ୍ୟାକୁଳ ଓ ଚଞ୍ଚଳ ପଦକ୍ଷେପ, କେବଳ ଓଡିଶାରେ ନୁହେଁ ବରଂ ସମଗ୍ର ଏକ ବିବାଦୀୟ ବିଷୟ ପାଲଟିଗଲା ।

ଇତିହାସ ଆଇନାରେ ବେଦାନ୍ତ :
ପ୍ରାୟ ୧୫ହଜାର କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରିବାକୁ ଯୋଜନା କରିଥିଲା ଅନୀଲ୍ ଅଗ୍ରୱାଲ୍ ଫାଉଣ୍ଡେସନ୍ । ତେଣୁ ପୁରୀ ସମୁଦ୍ରକୂଳରେ ୮୦୦୦ ଏକର ଜମି ନେଇ ବିଶ୍ୱବିଦ୍ୟାଳୟ କରିବାକୁ ୨୦୦୬ ଜୁଲାଇ ୧୯ରେ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା । ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତାର ନୂଆନଈ ଓ ବାଲିଘାଇ ମଧ୍ୟରେ ଚିହ୍ନଟ ହେଲା ୮୦୦୦ ଏକର ଜମି । ଏଥିରୁ ୬୫୦୦ ଏକର ସ୍ଥାନୀୟ ଗ୍ରାମବାସୀଙ୍କ ହୋଇଥିବାବେଳେ ୧୫୦୦ ଏକର ଶ୍ରୀଜଗନ୍ନାଥଙ୍କ ଜମି ଥିଲା ।

ହେଲେ ଏହି ଜମି ଅଧିଗ୍ରହଣ ବିରୋଧରେ ତେଜିଥିଲା ଆନ୍ଦୋଳନ । ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଏତେ ଜମିର ଆବଶ୍ୟକତା ନେଇ ଉଠିଥିଲା ପ୍ରଶ୍ନ । କାରଣ ଯେଉଁ ବିଶ୍ୱବିଦ୍ୟାଳୟର ନାମଗନ୍ଧ ସୁଦ୍ଧା ନାହିଁ , ସେହି ବିଶ୍ୱ ବିଦ୍ୟାଳୟ ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିବା ଏବଂ ତାଙ୍କୁ ଜଗନ୍ନାଥଙ୍କ ‘ଅମୃତ ମଣୋହି’ ଜମି ସମେତ ୬ହଜାର ଏକର ଜମି ଦେବା ରାଜ୍ୟବାସୀଙ୍କ ପାଇଁ ଥିଲା ଏକପ୍ରକାର ବିଶ୍ୱାସ ଘାତକତା ଥିବା ନେଇ ବିରୋଧୀ ଅଭିଯୋଗ କଲେ । ତେଣୁ ବେଦାନ୍ତ ବିରୋଧରେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ଯାହାର ନେତୃତ୍ୱ ନେଇଥିଲେ ବେଣୁଧର ପ୍ରଧାନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଏବଂ ପ୍ରିୟଦର୍ଶନ ପଟ୍ଟନାୟକ । ଆନ୍ଦୋଳନ ଏତେ ତୀବ୍ର ହୋଇଥିଲା ଯେ ବେଦାନ୍ତ ଏବଂ ସରକାରଙ୍କ ସମସ୍ତ କଳ କୌଶଳ ଫେଲ୍ ମାରିଥିଲା ।

ବେଦାନ୍ତ ବିରୋଧରେ ମାମଲା ଯାଇଥିଲା କୋର୍ଟକୁ । ୨୦୧୦ରେ ହାଇକୋର୍ଟରେ ହୋଇଥିବା ଦୁଇଟି ଜନସ୍ୱାର୍ଥ ମାମଲା ସହ ୭ଟି ବ୍ୟକ୍ତିଗତ ରିଟ୍ ପିଟିସନର ନିଷ୍ପତି ଆସିଥିଲା । ଯେଉଁଥିରେ ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇଲେ ହାଇକୋର୍ଟ । ଏହି ରାୟ ବିରୋଧରେ ରାଜ୍ୟ ସରକାର ଏବଂ ଅନୀଲ୍ ଫାଉଣ୍ଡେସନ୍ ତରଫରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସୁପ୍ରିମକୋର୍ଟ ୨୦୧୧ରେ ଜମି ଅଧିଗ୍ରହଣ ଉପରେ ସ୍ଥିତାବସ୍ଥା ଜାରି କରିଥିଲେ । ସେହିପରି ଫାଉଣ୍ଡେସନ୍ ପକ୍ଷରୁ ଅଧିକୃତ ଜମିରେ ପାଚେରୀ ନିର୍ମାଣ ପାଇଁ ହୋଇଥିବା ଆବେଦନକୁ ଗତ ଏପ୍ରିଲ୍ ମାସରେ ଖାରଜ କରିଦେଇଥିଲେ । ତେବେ ଏ ସଂକ୍ରାନ୍ତରେ ମୁଳ ପିଟିସନର ଶୁଣାଣି ଜାରି ରହିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ଯାହାର ଶୁଣାଣି ଏଯାବତ୍ ଚାଲିଛି ।

ପୂର୍ବରୁ ବେଦାନ୍ତକୁ ବିରୋଧ କରାଯାଇଥିଲା :

ପ୍ରଧାନ ତଥା ପ୍ରଥମ କାରଣ : ଜମିର ପରିମାଣ ଏବଂ ପୁରୀ କୋଣାର୍କ ଅଂଚଳରେ ଜମିର ଆଗ୍ରହ । ଆଗକୁ ଆଗକୁ ଜମି ଅତ୍ୟନ୍ତ ମୂଲ୍ୟବାନ୍ ହେବ । ଏପରି ସ୍ଥଳେ ବେଦାନ୍ତ ୬୦୦୦ ଏକର ଜମି ମାଗିବା ଯଥେଷ୍ଟ ବେଶୀ । ହାଭାର୍ଡ, ଅକ୍ସଫୋର୍ଡଠାରୁ ଆରମ୍ଭ କରି କୌଣସି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ପାଇଁ ଦୁଇ ହଜାର ଏକରରୁ ଅଧିକ ଜମି ଆବଶ୍ୟକ ପଡ଼ିନଥିବା ସ୍ଥଳେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ପୁରୀ ଜିଲ୍ଲାର ସୁନାଖଣି ଓ ଭାତହାଣ୍ଡି ଭାବରେ ପରିଚିତ ୬ ହଜାର ଏକର ଜମି ବେଦାନ୍ତକୁ ଯୋଗାଇ ଦିଆଯିବାର ଆବଶ୍ୟକତା ବା ଯଥାର୍ଥତା କଣ ? ତେଣୁ ବେଦାନ୍ତ ପାଇଁ ୬୦୦୦ ଏକର ଜମି ଦରକାର ଅର୍ଥ ଓଡିଶା ଜମିକୁ ବର୍ତ୍ତମାନ ଶସ୍ତାରେ ହାତେଇ ଭବିଷ୍ୟତ ପାଇଁ କବଜାରେ ରଖିବା । କିଛି ଏଭଳି ମତକୁ ନେଇ ଆରମ୍ଭ ହୋଇଥିଲା ବିରୋଧ ଆଉ ତେଜିଥିଲା ଆନ୍ଦୋଳନ ।

ଦ୍ୱିତୀୟ କାରଣ : ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଅଂଚଳରେ ଅଛି ଅନେକ ଉଚ୍ଚମାନର ଖଣିଜ ସମ୍ପଦ ।

ତୃତୀୟ କାରଣ : ଏହି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅନୀଲ୍ ଅଗ୍ରୱାଲ ଶିକ୍ଷାର ବିକାଶ ଲାଗି କେବେ ହେଲେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଏପରିକି ଉଚ୍ଚମାନର ଶିକ୍ଷାଦାନ ଲାଗି ଗୋଟିଏ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିନାହାଁନ୍ତି । ସେ ପ୍ରତିଷ୍ଠା କରୁଥିବା ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରୀୟ କରିପାରିବ କି ? ଏହା ମଧ୍ୟ ପାଲଟିଥିଲା ବିରୋଧ କରିବାର ପ୍ରମୁଖ ପ୍ରସଙ୍ଗ ।

ଚତୁର୍ଥ କାରଣ : ଓଡିଆ ମାଟିରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ବାହାର ରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କଲେ ଓଡିଶାବାସୀ ଓ ରାଜ୍ୟ ସରକାର କିଭଳି ଉପକୃତ ହେବେ ? ତେଣୁ ଏଭଳି ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦ୍ଵାରା ଯଦି ରାଜ୍ୟ ବା ରାଜ୍ୟବାସୀଙ୍କର କିଛି ଲାଭ ନହୁଏ ତେବେ ଏହି ବିଶ୍ୱବିଦ୍ୟାଳୟ ପାଇଁ ୬ ହଜାର ଏକର ପରିମିତ ଜମି ଦେଇ ରାଜ୍ୟ, ଦେଶ ତଥା ଆମର ଧର୍ମ ଓ ସଂସ୍କୃତି ପ୍ରତି ବିପଦକୁ ନିମନ୍ତ୍ରଣ କରିବା କେତେ ଦୂର ଯଥାର୍ଥ ।