ରାଜନୀତିରେ ରେଭେନ୍ସା ! ରାଜନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ କୁଳପତିଙ୍କ ଇସ୍ତଫା

44

କନକ ବ୍ୟୁରୋ : ଐତିହାସିକ ବିଶ୍ୱବିଦ୍ୟାଳୟ ରେଭେନ୍ସା ପାଲଟିଛି ରାଜନୈତିକ ଖେଳପଡିଆ । କ୍ୟାମ୍ପସରେ ଅବାଧ ହସ୍ତକ୍ଷେପ କରୁଛନ୍ତି ରାଜନେତା । ମନମାନି କରୁଛନ୍ତି । ଆଉ ତାଙ୍କରି ଇସାରାରେ ଚାଲୁଛି କ୍ୟାମ୍ପସ । ଏହେଉଛି ରେଭେନ୍ସା କୁଳପତିଙ୍କ ଇସ୍ତଫା ପଛର କାରଣ । କୁହାଯାଉଛି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳରେ ବଳି ପଡିଛନ୍ତି କୁଳପତି । ଆଉ ଇସ୍ତଫା ପଛରେ ରହିଛି ନେତାଙ୍କ ହସ୍ତକ୍ଷେପ । ତେବେ ଇସ୍ତଫା ଗ୍ରହଣ କରି ନାହାଁନ୍ତି ରାଜ୍ୟପାଳ ।

ଗତ ୨୨ ତାରିଖରେ କ୍ୟାମ୍ପସରେ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ । ଉଭୟ ଗୋଷ୍ଠି ଥାନାରେ ଏତଲା ଦେବା ସହ କୁଳପତିଙ୍କ ପାଖରେ ଫେରାଦ ବି ହୋଇଥିଲେ । ପରେ ଶୃଙ୍ଖଳା କମିଟି ୬ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ତେବେ ଏହା ବିରୋଧରେ ଭିସିଙ୍କୁ ଘେରିଥିଲେ ବିପକ୍ଷ ଗୋଷ୍ଠି । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥିତ ଛାତ୍ର ଗୋଷ୍ଠୀ ବୋଲି ଧମକ ବି ଦେଇଥିଲେ । ଏହାପରେ ଇସ୍ତଫା ଦେଇଛନ୍ତି କୁଳପତି ।

ସେପଟେ କୁଳପତିଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତି ବି ସରଗରମ ହୋଇଉଠିଛି । ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି. ବିଜେଡି ଆଡକୁ ଅଙ୍ଗୁଳି ନିର୍ଦେଶ କରିଛି । ଇସାରା କରିଛି ବିଜେଡି ନେତାଙ୍କ ପାଇଁ ଏଭଳି ଘଟଣା ଘଟିଛି । ସେପଟେ ମୁହଁ ଖୋଲିଛନ୍ତି ରେଭେନ୍ସା ରାଜନୀତିରେ ସଂପୃକ୍ତ ହୋଇଆସୁଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ।

୧୮୬୮ ମସିହାରେ ସ୍ଥାପିତ ରେଭେନ୍ସା କଲେଜ୍ ଦେଢ ଶହ ବର୍ଷ ଧରି ଓଡିଶାର ଶିକ୍ଷା ଓ ସାମାଜିକ ବ୍ୟବସ୍ଥାକୁ ସମୃଦ୍ଧ କରିଆସୁଛି । କିନ୍ତୁ ଆଜି ଏଭଳି ପରିସ୍ଥିତି ହୋଇଛି ଯେ, ଜଣେ କୁଳପତିଙ୍କୁ ରାଜନେତାଙ୍କ ପାଇଁ ଇସ୍ତାଫା ଦେବାକୁ ପଡିଛି ।