ଗୁଜରାଟ ଉପକୂଳକୁ ପୁଣି ଫେରୁଛି ସାମୁଦ୍ରିକ ବାତ୍ୟା ବାୟୁ : ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସୌରାଷ୍ଟ୍ରରେ ମାଡ଼ ହେବା ସମ୍ଭାବନା

157

କନକ ବ୍ୟୁରୋ : ଫେରୁଛି ବାୟୁ । ଗୁଜରାଟ ଉପକୂଳକୁ ପୁଣି ଫେରୁଛି ସାମୁଦ୍ରିକ ବାତ୍ୟା ବାୟୁ । ଗତ ଗୁରୁବାର ଏହା ଗୁଜରାଟ ଉପକୂଳରେ ମାଡ଼ ହେବାର ଆଶଙ୍କା ଥିବାବେଳେ ବୁଧବାର ରାତିରେ ଏହାର ଗତିପଥ ବଦଳି ଯାଇଥିଲା । ଗିର୍, ସୋମନାଥ, ଦିୟୁ, ଜୁନାଗଡ଼ ଏବଂ ପୋରବନ୍ଦର ପାଖ ଦେଇ ତାହା ସମୁଦ୍ର ମଧ୍ୟରେ ହିଁ ଆଗକୁ ଚାଲିଯାଇଥିଲା। ହେଲେ ପୁଣି ଥରେ ବାୟୁ ଫେରୁଛି । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବାୟୁ’ ପୂର୍ବଭଳି ଶକ୍ତିଶାଳୀ ନାହିଁ ଓ ଉପକୂଳରେ ଏହାର ପ୍ରଭାବରେ କେବଳ ଝଡ଼ବର୍ଷା ହେବ । ସାମୁଦ୍ରିକ ବାତ୍ୟାର ତୀବ୍ରତା କମିଯିବାର ସମ୍ଭାବନା ଥିବାରୁ ଏହା ସାମୁଦ୍ରିକ ବତାସ କିଂବା ଲଘୁଚାପ ଭାବେ ଉପକୂଳକୁ ଆସି ପାରେ ।

ସାମୁଦ୍ରିକ ବାତ୍ୟାର ସମ୍ଭାବ୍ୟ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ଗୁଜରାଟ ସରକାରଙ୍କୁ ସତର୍କ ସୂଚନା ଦିଆଯାଇଛି। ସେପଟେ ଏପରି ସୂଚନା ପରେ ବାତ୍ୟା ମୁକାବିଲା ପାଇଁ ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛି କଚ୍ଛ ପ୍ରଶାସନ । ସମୁଦ୍ର ଉପକୂଳରେ ହାଇଆଲର୍ଟ ଜାରି ସହିତ ଉପକୂଳକୁ ଲୋକଙ୍କୁ ନଯିବାକୁ କୁହାଯାଇଛି । ତଳିଆ ଅଂଚଳରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛି ଗୁଜରାଟ ପ୍ରଶାସନ । ଗୁଜରାଟର ମୁଖ୍ୟ ଶାସନ ସଚିବ କହିଛନ୍ତି ପରିସ୍ଥିତି ଉପରେ ସରକାରୀ କର୍ତ୍ତୃପକ୍ଷମାନେ ଦୃଷ୍ଟି ରଖିଛନ୍ତି । କ୍ଷୟକ୍ଷତି ଆଶଙ୍କା ଥିବା ଅଂଚଳରେ ଏନଡିଆରଏଫ୍ ସମ୍ପୃକ୍ତ ଅଞ୍ଚଳରେ ରହିବେ ।