ତୈଳ ଦର ଉପରେ ଭାଟ୍ କମ୍ କରିବେ ନାହିଁ ଯୋଗୀ ସରକାର ! ଜାଣନ୍ତୁ କ’ଣ ରହିଛି କାରଣ

40

କନକ ବ୍ୟୁରୋ : ଗତକାଲି ଗୁଜରାଟରେ ତୈଳ ଦର ଉପରେ ଭାଟ୍ କମାଇଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ସମୟରେ ସବୁ ରାଜ୍ୟରେ ସରକାର ଏନେଇ ବିଚାର ବିମର୍ଷ କରୁଛନ୍ତି । କିନ୍ତୁ ଏପରିସ୍ଥଳେ ଉତ୍ତରପ୍ରଦେଶରେ ତୈଳ ଦର ଉପରେ ଭାଟ୍ କମିବାର ବିଲକୁଲ ଆଶା ଦେଖାଯାଉନାହିଁ । କିଛି ଦିନ ପୂର୍ବରୁ ରାଜ୍ୟରେ କୃଷୠଣ ଛାଡ଼ କରିଥିଲେ ଯୋଗୀ ସରକାର । କୃଷିଋଣ ଛାଡ଼ କରବା ପରେ ପୁଣି ଆଉ ଏକ ବୋଝ ମୁଣ୍ଡେଇବା ଅବସ୍ଥାରେ ନାହାନ୍ତି ସରକାର । ଅନ୍ୟ ରାଜ୍ୟରେ ଭାଟ୍ ମୂଲ୍ୟ ହ୍ରାସ ହୋଇ ପେଟ୍ରୋଲ ଓ ଡିଜେଲ ଦାମରେ କମିବା ସତ୍ୱେ ଉତ୍ତରପ୍ରଦେଶରେ ଭାଟ୍ କମିବାର କୌଣସି ଆଶା ଦେଖାଯାଉ ନାହିଁ ।

ରାଜ୍ୟର ବାଣିଜ୍ୟ କର ବିଭାଗକୁ ଭାଟ୍ ହଟାଇବା ପାଇଁ ଏବେ ପର୍ଯ୍ୟନ୍ତ ଯୋଗୀ ସରକାରଙ୍କ ତରଫରୁ କୌଣସି ପ୍ରସ୍ତାବ ମିଳିନାହିଁ । ଯୋଗୀ ସରକାର କିଛି ଦିନ ପୂର୍ବରୂ ରାଜ୍ୟରେ କୃଷି ଋଣଛାଡ଼ କରିଥିଲେ । ଯେଉଁଥିରେ ପ୍ରଥମରୁ ହିଁ ସରାକରଙ୍କ ଉପରେ ୩୬ ହଜାର କୋଟିର ଅତିରିକ୍ତ ବୋଝ ବଢ଼ିଯାଇଛି । ଏପରିସ୍ଥଳେ ରାଜ୍ୟର ବାଣିଜ୍ୟ କର ବିଭାଗ ଯାହାର ସବୁଠାରୁ ବଡ଼ ଆୟ ପେଟ୍ରାଲ ଓ ଡିଜେଲର ଭାଟରୁ ହିଁ ଆସୁଛି, ଏବେ ସେ ଭାଟ କମେଇବା ସପକ୍ଷରେ ନାହାନ୍ତି ।

ପାଟଣା, ଭୋପାଳ, ଡେରାଡ଼ୁନ୍ ପରି ଅନେକ ସହର ତୁଳନାରେ ଉତ୍ତରପ୍ରଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମ ଅଛି । ଅନେକ ରାଜ୍ୟରେ ପେଟ୍ରୋଲ ପ୍ରତି ଲିଟର ୪ ଟଙ୍କା ଓ ଡିଜେଲ ପ୍ରତି ଲିଟର ପିଛା ୫ ଟଙ୍କା ଶସ୍ତା ଅଛି । ଏପରିସ୍ଥଳେ ସରର ରାଜନୈତିକ ଦୃଷ୍ଟିକୋଣରୁ ଭାଟ୍ ହ୍ରାସ କରିବା ପାଇଁ ଚାପ ପକାଇପାରନ୍ତି କିନ୍ତୁ ଏବେ ବାଣିଜ୍ୟ କର ବିଭାଗ ଭାଟ୍ କମ କରିବା ସପକ୍ଷରେ ନାହିଁ ।

ସୂଚନାଯୋଗ୍ୟ ଗତକାଲି ଗୁଜରାଟରେ ତୈଳ ଦର ଉପରେ ଭାଟ୍ କମ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପରାମର୍ଶ ପରେ ତୈଳ ଦରରେ ୪ପ୍ରତିଶତ ଭାଟ କମ କରିବାକୁ ନିଷ୍ପତି ନେଇଥିଲେ ଗୁଜରାଟ ସରକାର । ଏନେଇ ଗତକାଲି ଗୁଜରାଟ ସରକାର ଘୋଷଣା କରିଥିଲେ । ଏହାଦ୍ୱାରା ତୈଳ ଦର ଉପରୁ ଭାଟ ହ୍ରାସ କରିବାରେ ଗୁଜରାଟ ପ୍ରଥମ ରାଜ୍ୟ ହୋଇଛି ।

ତୈଳ ଦରରେ ୪ପ୍ରତିଶତ ଭାଟ କମିବା ପରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୯୩ପଇସା କମିବା ସହ ୬୭ଟଙ୍କା ୩ ପଇସା ହେବ । ଏହାସହ ଡିଜେଲ ଦର ୨ଟଙ୍କା ୭୨ ପଇସା ଶସ୍ତା ହୋଇ ନୂଆ ଦର ୬୦ଟଙ୍କା ୭୭ ପଇସା ହେବ । ଗତକାଲି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି । ନିକଟରେ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡିବାରୁ ଉତ୍ପାଦନ କର ୨ଟଙ୍କା ହ୍ରାସ ଘୋଷଣା କରିଥିଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ଆମଦାନୀ ଶୁଳ୍କ ୨ଟଙ୍କା କମ କରିବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ୫ ପ୍ରତିଶତ ଭାଟ୍ କମାଇବାକୁ ପରାମର୍ଶ ଦେଇଥିଲେ ।