ଆଇପିଏଲର ସବୁଠୁ ଦାମୀ ଖେଳାଳି ବରୁଣ ଚକ୍ରବର୍ତ୍ତୀ ! ଜାଣନ୍ତୁ କାହିଁକି ଏତେ ଦାମ ଦେଇ ଏହି ଅଜଣା ଅଶୁଣା କ୍ରିକେଟରଙ୍କୁ କିଣିଲା ପଞ୍ଜାବ ?

667

କନକ ବ୍ୟୁରୋ : ୨୦୧୯ ଆଇପିଏଲ ମୁକାବିଲା ପାଇଁ ସମସ୍ତ ୮ ଦଳ ସେମାନଙ୍କ ଖେଳାଳି ତାଲିକା ପ୍ରସ୍ତୁତ କରିସାରିଲେଣି । ଗତକାଲି ଜୟପୁରରେ ହୋଇଥିବା ନିଲାମ ପ୍ରକିୟାରେ ନିଜ ନିଜ ଦଳ ପାଇଁ ଖେଳାଳି କିଣିଛନ୍ତି ପ୍ରତି ଫ୍ରାଂଜାଇଜ୍ । ଅନେକ ବରଷ୍ଠ ଖେଳାଳି ନିଜ ନିଲାମ ନେଇ ସନ୍ଦିହାନ ଥିବା ବେଳେ ଜଣେ ଯୁବ ଖେଳାଳିଙ୍କୁ ମୋଟା ଅର୍ଥ ଦେଇ କିଣିଛି କିଙ୍ଗସ ଇଲେଭେନ୍ ପଂଜାବ । ବାରମ୍ବାର କ୍ରିକେଟଠୁ ଦୂରେଇ ଯିବାକୁ ଚେଷ୍ଟା କରିଥିବା ଏହି ଖେଳାଳି ଏବେ କୋଟିପତି ।

ଚମକାଇ ଦେଲେ ଜଣେ ଯୁବ ଖେଳାଳି । ଗୋଟିଏ ଦିନରେ ବନିଲେ କୋଟିପତି । ଆଇପିଏଲ ଖେଳାଳି ନିଲାମ ବେଳେ ଏମିତି ଏକ ଖେଳାଳିଙ୍କୁ ନେଇ ଏବେ ଚର୍ଚ୍ଚା । ତାମିଲନାଡୁର ସ୍ପିନର ବରୁଣ ଚକ୍ରବର୍ତି । ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିବା ବେଳେ ତାଙ୍କୁ ୪୦ ଗୁଣରୁ ଅଧିକ ଅର୍ଥ ଦେଇ କିଣିଛି କିଙ୍ଗସ ଇଲେଭେନ ପଂଜାବ । ଆଇପିଏଲ ନିଲାମରେ ତାଙ୍କୁ ୮.୪ କୋଟି ଟଙ୍କାରେ କିଣାଯାଇଥିବା ବେଳେ ସେ ହୋଇଛନ୍ତି ଅନ୍ୟତମ ଦାମୀ ଖେଳାଳି ।

ଏହି ଅଜଣା ଅଶୁଣା କ୍ରିକେଟରଙ୍କୁ କାହିଁକି ଏତେ ଦାମ କିଣିଲା ପଂଜାବ ? ଆର୍କିଟେକ୍ ପାଠ ପଢିଥିବା ବରୁଣ ଚକ୍ରବର୍ତି  ବର୍ତମାନ ସୁଦ୍ଧା ଜାତୀୟ ଦଳରେ ମଧ୍ୟ ଖେଳି ନାହାନ୍ତି । କେବଳ ବିଜୟ ହଜାରେ ଟ୍ରଫି ଖେଳି ୪.୨୪ ହାରରେ ୯ଟି ମ୍ୟାଚରୁ ୨୨ଟି ଉଇକେଟ ହାତେଇଛନ୍ତି ବରୁଣ । ତାମିଲନାଡୁ ପାଇଁ ରଣଜୀ ମଧ୍ୟ ଖେଳୁଛନ୍ତି । ତେବେ ବିଭିନ୍ନ ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ସ୍, କୋଲକାତା ନାଇଟ୍ ରାଇଡର୍ସ ଆଦି ଦଳର ନେଟ୍ସରେ ବୋଲିଂ କରିଛନ୍ତି । ବରୁଣଙ୍କ ସ୍ୱତନ୍ତ୍ରତା ହେଉଛି ତାଙ୍କ ବୋଲିଂର ବିବିଧତା । ସ୍ପିନର ଭାବେ ସେ ସାତ ପ୍ରକାର ବଲ ପକାଇ ପାରନ୍ତି । ଅଫବ୍ରେକ, ଲେଗ୍ ବ୍ରେକ, ଗୁଗଲି, କ୍ୟାରମ୍ ବଲ୍, ଫ୍ଲିପର, ଟପସ୍ପିନର ଏବଂ ୟର୍କର ମଧ୍ୟ ପକାଇ ପାରନ୍ତି ।

କ୍ୟାରିଅର ଆରମ୍ଭରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିବା ବରୁଣ, ପରବର୍ତୀ ସମୟରେ ପେସ୍ ବୋଲିଂ କରିବା ଆରମ୍ଭ କରିଥିଲେ । କିନ୍ତୁ ଆହତ ସମସ୍ୟା ଯୋଗୁଁ ସେ ସ୍ପିନ ବୋଲିଂ କରିବା ଆରମ୍ଭ କରିଥିଲେ । ଏହି ସ୍ପିନ ହିଁ ତାଙ୍କୁ ଦେଇଛି ନୂଆ ପରିଚୟ । ବରୁଣ ଚକ୍ରବର୍ତୀଙ୍କ ପରି ଟିମ୍ ଇଣ୍ଡିଆର ବୋଲର ଜୟଦେବ ଇଉନାଦକଟ ମଧ୍ୟ ୮.୪ କୋଟି ଟଙ୍କାରେ ନିଲାମ ହେବା ସହ ଚଳିତ ସିଜନର ଦାମୀ ଖେଳାଳି ହୋଇଛନ୍ତି । ଏବେ ସମସ୍ତଙ୍କ ନଜର ବରୁଣଙ୍କ ଉପରେ । ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏହି ଯୁବ ଖେଳାଳିର କ୍ୟାରିଅରରେ ଆଣିବ ନୂଆ ମୋଡ ।