ସୁଧରେ ବୁଡ଼ି ରହିଥିଲା ପୁରା ଗାଁ ! ମହିଳାମାନେ ଫୁଲଚାଷ କରି ବଦଳାଇଲେ ଜୀବନ

28

ବିଭିନ୍ନ ସମୟରେ ଦେଶରେ ଚାଷୀ ମୃତ୍ୟୁ ଖବର ଶୁଣିବା ପାଇଁ ମିଳୁଛି । ରୋଗପୋକ ହେଉ କିମ୍ବା ସୁଧଖୋର ମହାଜନଙ୍କ ପାଇଁ ଜୀବନ ହାରୁଛନ୍ତି ଚାଷୀ । ଆଉ ଏଥିପାଇଁ ଦେଶରେ ସବୁବେଳେ ରାଜନୀତି ବେଶ ସରଗରମ ରହେ । ଶାସକ ଦଳ ଓ ବିରୋଧୀ ଦଳ ଉଭୟ ଉଭୟଙ୍କ ଉପରେ ଦୋଷ ଲଦାଲଦି ହୁଅନ୍ତି । କିନ୍ତୁ ଏଥିରେ ଚାଷୀଙ୍କର କିଛି ଲାଭ ହୁଏନାହିଁ । ତେବେ ଚିରାଚରିତ ଚାଷ କରିବା ପ୍ରତିବଦଳରେ ଚାଷୀମାନେ ଯଦି କିଛି ଭିନ୍ନ କରନ୍ତି, ତେବେ ଦେଶର ଚିତ୍ର ବୋଧହୁଏ ଟିକିଏ ଅଲଗା ହୁଅନ୍ତା । ତେବେ ଏପରି କିଛି କରି ଦେଖାଇଛନ୍ତି ଉତ୍ତରପ୍ରଦେଶ ବାରାଣାସୀର ଏକ ଗାଁ ଗୌରାର ମହିଳାମାନେ ।

ଗୌରା ଗାଁର ସମସ୍ତ ପୁରୁଷମାନେ ଋଣବୋଝ ଯୋଗୁଁ ଗାଁରୁ ବହାରକୁ ପଳାଇ ଯାଉଛନ୍ତି । ଗାଁର ପ୍ରାୟ ଲୋକେ ଜମିରେ ମଜୁରୀ କରନ୍ତି । ଏହି ଗାଁର ଉଚ୍ଚ ଜାତିର ଲୋକେ ଋଣ ସୁଝି ନପାରିଲେ ଗରିବଙ୍କ ଜମିକୁ କବଜା କରିନିଅନ୍ତି । ଗରିବ ପିଲାମାନେ ପାଠ ପଢ଼ିପାରନ୍ତି ନାହିଁ । ଗାଁର ଲୋକଙ୍କୁ ଗୋଟିଏ ବେଳର ଖାଇବା ଯୋଗାଡ଼ କରିବା ମଧ୍ୟ ମୁସ୍କିଲ ହୋଇପଡ଼େ । ବହୁତ ଦୟନୀୟ ଅବସ୍ଥାରେ ବିତୁଥିଲା ଗାଁ ଲୋକଙ୍କ ଜୀବନ । ଗାଁର ସ୍ଥିତି ବହୁତ ଖରାପ ଥିଲା ଏବଂ ସୁଧୁରିବାର ମଧ୍ୟ କୌଣସି ଉପାୟ ଦେଖାଯାଉନଥିଲା । ଋଣ ଭାର ବଢ଼ୁଥିବାର ଦେଖି ଗାଁର ମହିଳାମାନେ କିଛି କରିବା ପାଇଁ ଆଗଭର ହୋଇଥିଲେ । ସୁଧଖୋର ଲୋକଙ୍କ ଠାରୁ ରକ୍ଷା ପାଇବା ପାଇଁ ଓ ଋଣ ସୁଝିବା ପାଇଁ ଫୁଲ ଓ ପନିପରିବା ଚାଷ ଆରମ୍ଭ କରିଦେଲେ ।

ଗାଁର ମହିଳାମାନେ ଏକାଠି ହୋଇ ମାତ୍ର ୨୦ ଟଙ୍କାରୁ ଆରମ୍ଭ କରିଥିଲେ ଫୁଲ ଓ ପନିପରିବା ଚାଷ । ତେବେ ମହିଳାଙ୍କ ଏହି ଉଦ୍ୟମ ବୃଥା ଯାଇନଥିଲା । ଯେଉଁ ଉଦ୍ଦେଶ୍ୟରେ ସେମାନେ ଏପରି ପଦକ୍ଷେପ ନେଇଥିଲେ ତାହା ସେମାନେ କରିଦେଖାଇଲେ । ଫୁଲ ଓ ପନି ପରିବା ଲଗାଇ ଧୀରେ ଧୀରେ ମହିଳାମାନେ ଋଣ ଶୁଝି ଦେଲେ । ଗୌରା ଗାଁର ମହିଳାଙ୍କୁ ଦେଖି ଆଖପାଖ ପ୍ରାୟ ୩୫ ଟି ଗାଁର ମହିଳାମାନେ ଗ୍ରୁପ ର୍ଫାମିଂରେ ଯୋଡ଼ି ହୋଇଗଲେ । ଆଉ ଏବେ ସେମାନଙ୍କର ବାର୍ଷିକ ଟର୍ଣ୍ଣଓଭର ୭କୋଟି ପର୍ଯ୍ୟନ୍ତ ପହଞ୍ଚିଯାଇଛି ।

ଗୌରା ଗାଁର ମିହଳାମାନେ ଗ୍ରୁପ ଫାର୍ମିଂ ସହ ଯୋଡ଼ି ହେବାପରେ ଆଉ ତାଙ୍କୁ ସୁଧଖୋର ଲୋକଙ୍କ ଠାରୁ ସୁଧ ନେବାକୁ ପଡ଼ୁନାହିଁ । ଆଉ ଏବେ ଏହି ଗ୍ରୁପ୍ ଅସୟାହ ଲୋକଙ୍କୁ ଋଣ ମଧ୍ୟ ପ୍ରଦାନ କରୁଛି । ଯାହାର ସୁଧା ହାର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବଂଟାଯାଏ । ଯେଉଁପ୍ରକାର ଗୌରା ଗାଁର ମହିଳାମାନେ ଋଣ ଦାଉରୁ ରକ୍ଷାପାଇଛନ୍ତି, ଏପରି ପ୍ରୟାସ ସାରା ଦେଶରେ ପ୍ରସାରିତ ହେବା ଦରକାର । ଯାହାଦ୍ୱାରା ସୁଧରେ ବୁଡ଼ି ରହିଥିବା ଲୋକଙ୍କୁ ପ୍ରେରଣା ମିଳବ ଓ ସେମାନେ ଜୀବନ ନହାରି କିଛି ନୂଆ ଚେଷ୍ଟା କରିବେ । ଆଉ ସେମାନଙ୍କ ଭବିଷ୍ୟତ ଜୀବନ ମଧ୍ୟ ଭଲରେ କଟିବ ।