ଆଧାର ବନ୍ଧକ ରଖିଲେ ମିଳୁଛି ପିଆଜ, ପିଆଜ କିଣିବା ପାଇଁ ଋଣର ସୁବିଧା ମଧ୍ୟ ଉପଲବ୍ଧ . . ଜାଣନ୍ତୁ କେଉଁଠି ମିଳୁଛି ଏପରି ସୁବିଧା ?

273

କନକ ବ୍ୟୁରୋ : ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି । ପିଆଜ ପାଇଁ କାନ୍ଦୁଛନ୍ତି ଦେଶବାସୀ । ଅଧିକାଂଶ ରାଜ୍ୟରେ ପିଆଜ ଦର କିଲୋ ପିଛା ୧୦୦ଟଙ୍କା ଅତିକ୍ରମ କରିଛି । ଯଦ୍ୱାରା ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ଗ୍ରାହକଙ୍କ ଦୁଃଖକୁ ଲାଘବ କରିବା ପାଇଁ ୟୁପିର ବାରଣାସୀରେ ପିଆଜ ଏବେ ଋଣ ଆକାରରେ ଦିଆଯାଉଛି । ଏଠାରେ ଗ୍ରାହକଙ୍କ ଆଧାର କାର୍ଡ ବନ୍ଧା ରଖି ପିଆଜ ନେଉଥିବା ଜଣାପଡିଛି ।

ସୂଚନା ଅନୁସାରେ, ଋଣରେ ପିଆଜ ଯୋଗାଉଥିବା ଦୋକାନର ମାଲିକ ହେଲେ ସମାଜବାଦୀ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତା । ଋଣରେ ସେ ପିଆଜ ଯୋଗାଉଛନ୍ତି । ତେବେ ପ୍ରତିବଦଳରେ ଲୋକେ ତାଙ୍କ ପାଖରେ ଆଧାର ବନ୍ଧା ରଖୁଛନ୍ତି । ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ଏଭଳି କରିଥିବା କହିଛନ୍ତି । ତାଙ୍କ କହିବାନୁସାରେ, ପିଆଜ ଦର ବୃଦ୍ଧିକୁ ବିରୋଦ୍ଧ କରି ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଆମେ ଆଧାର ଓ ରୁପା ଅଳଙ୍କାର ବନ୍ଧକ ରଖି ଗ୍ରାହକଙ୍କୁ ପିଆଜ ଋଣ ଆକାରରେ ଦେଉଛୁ ।

ସରକାର ମଧ୍ୟ ଏଦିଗରେ ହାତ ଟେକି ଦେଇଛନ୍ତି । ସାଧାରଣ ଜନତାଙ୍କ ଅଭିଯୋଗକୁ ସେ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳ ଦରବୃଦ୍ଧିକୁ ଦେଖି ୧.୨ଲକ୍ଷ ମେଟ୍ରିକ ଟନ୍ ପିଆଜ ଆମଦାନୀ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।