ରୋଚକ ହେଉଛି ବାରାଣାସୀ ରାଜନୀତି । ମୋଦିଙ୍କ ବିରୋଧରେ ମୈଦାନରେ ୧୦୧ ପ୍ରାର୍ଥୀ । ଇଭିଏମରେ କେମିତି ରହିବ ଏତେ ପ୍ରାର୍ଥୀଙ୍କ ନାଁ, ଚିନ୍ତାରେ ନିର୍ବାଚନ କମିଶନ ।

452

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣାସୀରେ ଦିନକୁ ଦିନ ରୋଚକ ହେଉଛି ରାଜନୀତି । ବାରାଣାସୀ ଆସନ ପାଇଁ ଗତକାଲି ଅର୍ଥାତ ଏପ୍ରିଲ ୨୯ ତାରିଖ ଥିଲା ଶେଷ ଦିନ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ଆସନ ପାଇଁ ଏଥର ୧୦୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏହି ପ୍ରାର୍ଥୀ ମାନଙ୍କ ସହ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଛନ୍ତି । ପ୍ରାର୍ଥୀମାନଙ୍କର ଏତେ ବଡ ଲିଷ୍ଟ ଦେଖିବା ପରେ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ଆୟୋଗଙ୍କ ପାଇଁ ଅଡୁଆ ବଢିଯାଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ମଧ୍ୟରେ ଏହି ସଂଖ୍ୟା ୬୪କୁ ନଖସେ ତେବେ ଇଭିଏମରେ ମତଦାନ କରିବା ସମ୍ଭବ ହେବ ନାହିଁ । ଫଳରେ ବାଲାଟ୍ ପେପରରେ ମତଦାନ କରିବା ପାଇଁ ବାଧ୍ୟ ହେବେ ନିର୍ବାଚନ ଆୟୋଗ ।

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ହାତରେ ରହିଛି ଆଉ ମାତ୍ର ୨ ଦିନ । ଆଉ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଏହି ଆସନରୁ କେତେ ପ୍ରାର୍ଥୀ ନିଜ ନାମ ପ୍ରତ୍ୟାହାର କରିନେଉଛନ୍ତି ଆଉ କେତେ ପ୍ରାର୍ଥୀଙ୍କର ନାମାଙ୍କନ ଖାରଜ ହେଉଛି । ଯଦି ପ୍ରାର୍ଥୀଙ୍କର ସଂଖ୍ୟା ୬୪ରୁ ଅଧିକ ହୁଏ, ତେବେ ଇଭିଏମ୍ ଜରିଆରେ ନିର୍ବାଚନ କରାଇବା ସମ୍ଭବ ହେବ ନାହିଁ । ଫଳରେ ବାଲାଟ୍ ପେପରରେ ହିଁ ମତଦାନ ହେବ । କାରଣ ଗୋଟିଏ ଇଭିଏମରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ରହିଥାଏ । ଏହା ସହ ଇଭିଏମର ୪ଟି ୟୁନିଟ୍ ବ୍ୟବହାର କରାଯାଇପାରିବ । ଅର୍ଥାତ ୬୪ ଜଣ ପ୍ରାର୍ଥୀ ହେଲେ, ସୁରୁଖୁରୁରେ ଇଭିଏମ ଜରିଆରେ ମତଦାନ ହୋଇପାରିବ । କିନ୍ତୁ ଏହି ସଂଖ୍ୟାରେ ଯଦି ବୃଦ୍ଧି ଘଟେ ତେବେ ବାଲାଟି ପେପରର ବ୍ୟବହାର କରାଯିବ ।

ସୂଚନା ଅନୁଯାୟୀ, ଦ୍ୱିତୀୟ ଥର ପାଇଁ ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ, କଂଗ୍ରେସ ମଧ୍ୟ ଦ୍ୱିତୀୟ ଥର ପାଇଁ ଅଜୟ ରାୟଙ୍କୁ ମୋଦିଙ୍କ ବିପକ୍ଷରେ ଛିଡା କରିଛି । ସେପଟେ ଏଥର ଉତ୍ତରପ୍ରଦେଶରେ ମେଣ୍ଟ ଭାବେ ନିର୍ବାଚନ ଲଢୁଥିବା ସପା-ବସବା, ପୂର୍ବତନ ଯବାନ ତେଜ୍ ବାହାଦୁର ଯାଦବଙ୍କୁ ପ୍ରାର୍ଥୀ କରିଛି । ଆଉ ସେପଟେ ତେଲେଙ୍ଗାନାର ଅନେକ ହଳଦୀ ଚାଷୀ ମଧ୍ୟ ମୋଦିଙ୍କ ବିପକ୍ଷରେ ବାରାଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।