ହର୍ ହର୍ ମୋଦି ! ବାରଣାସୀ ରାସ୍ତାରେ ଦିଲ୍ଲୀ ଟିମକୁ ନେଇ ଶକ୍ତି ପ୍ରଦର୍ଶନ କଲେ ପ୍ରଧାନମନ୍ତ୍ରୀ

43

କନକ ବ୍ୟୁରୋ : ପବିତ୍ର ବାରଣାସୀ ସହରରେ ଶୁଭିଲା ହର୍ ହର୍ ମୋଦିର ନାରା । ବିରାଟ୍ ପଟୁଆର ଭିତରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଦିଲ୍ଲୀର ବଡ ବଡ ନେତାଙ୍କ ଉପସ୍ଥିତିରେ ଲକ୍ଷାଧିକ ସମର୍ଥକଙ୍କୁ ନେଇ ନିଜ ନିର୍ବାଚନ କ୍ଷେତ୍ରରେ ଆଜି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ ଟିମକୁ ଧରି ବାରଣାସୀରେ ଦମ୍ ଦେଖାଇଛି ବିଜେପି । ବିରାଟ୍ ପଟୁଆର, ରାସ୍ତାରେ ଖଚାଖଚ୍ ଭିଡ । ଆଉ ତାରି ଭିତରେ ମୋଦି ଗାଡ଼ି ନେଇ ଗାଡ଼ି ଚାଲୁଥିଲା ବେଳେ ଉପରୁ ହେଉଥିଲା ସମର୍ଥକଙ୍କ ପୁଷ୍ପବୃଷ୍ଟି ।

ବାରଣାସୀ ପ୍ରଚାରରେ ମୋଦିଙ୍କ ଫୋକସରେ ଥିଲା ୩ଟି ପ୍ରମୁଖ ସ୍ଥାନ । ମୋଦିଙ୍କ ପଟୁଆର ପହଂଚିଥିଲା ବାରଣାସୀର ପ୍ରାଣ କେନ୍ଦ୍ର କୁହାଯାଉଥିବା କାଶୀ ବିଶ୍ୱବିଦ୍ୟାଳୟରେ । ଯେଉଁଠି ସେ ମୋଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତରେ ଫୁଲମାଲ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୋଦି । ଏହାପରେ କାଶୀ ବିଶ୍ୱନାଥ ମନ୍ଦିର ଯାଇ ଆରାଧନା କରି ମହଦେବଙ୍କ ଆର୍ଶୀବାଦ ନେଇଥିଲେ । ଆଉ ବାରଣାସୀ ଗସ୍ତ ସାରିବା ପୂର୍ବରୁ ପ୍ରାୟ ୨୫ ମିନିଟ୍ ସମୟ କାଲ୍ ଭୈରବ ମନ୍ଦିରରେ କଟାଇଥିଲେ ମୋଦି ।

ଖୋଦ୍ ପ୍ରଧାନମନ୍ତ୍ରୀ ବାରଣାସୀରୁ ନିର୍ବାଚିତ ହୋଇଥିବା ବେଳେ ଏହି ଲୋକସଭା ଆସନରେ ରହିଛି ୫ଟି ବିଧାନସଭା ଆସନ । ଆଉ ଏହି ଗଡ଼ରେ ନିଜର ଦବଦବା ଜାହିର କରିଛି ବିଜେପି ।

ମୋଦିଙ୍କ ରୋଡ୍ ସୋକୁ ଟକ୍କର ଦେବା ପାଇଁ ମୈଦାନକୁ ଓହ୍ଲାଇଥିଲା-ଅଖିଳେଶ-ରାହୁଲଙ୍କ ଯୋଡି । ନିଜ ସମର୍ଥକଙ୍କ ଗହଣରେ ବିଜେପିକୁ ଚ୍ୟାଲେଂଜ୍ ଦେବା ପାଇଁ ବାହାରିଥିଲେ ପ୍ରଚାର ମୈଦାନକୁ । ଆଉ ଏସବୁ ଭିତରେ ବହୁଜନ ସମାଜବାଦୀ ପାର୍ଟି ନେତ୍ରୀଙ୍କ ନିର୍ବାଚନୀ ସଭା କରି ବିଜେପି ଏବଂ ସମାଜବାଦୀ-କଂଗ୍ରେସ ମେଂଟକୁ ସମାଲୋଚନା କରିଥିଲେ ।

ଅନ୍ତିମ ପର୍ଯ୍ୟାୟରେ ବାରଣାସୀ କ୍ଷେତ୍ରରେ ହେବ ନିର୍ବାଚନ । ତାପୂର୍ବରୁ ନିଜ ନିଜ ଶକ୍ତି ପ୍ରଦର୍ଶନ କରିଛି ରାଜନୈତକ ଦଳ । ଗୋଟିଏ ଦିନରେ ଦୁଇଟି ଦୁଇଟି ମେଗା ରେଲି । ଏବଂ ତାଭିତରେ ମାୟାବତୀଙ୍କ ନିର୍ବାଚନୀ ସଭା ବାରଣାସୀର ମାହୋଲକୁ ପୁରା ସରଗମର କରି ଦେଇଥିଲା ।